କେନ୍ଦ୍ରାପଡ଼ାରେ ଆତଙ୍କ ; ନବମ ଶ୍ରେଣୀ ଛାତ୍ର ହାତରେ ବନ୍ଧୁକ
- ଆଗରୁ ଖେଳ ଶିକ୍ଷକଙ୍କୁ ଦେଇଥିଲା ଧମକ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳର କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଏକ ଘଟଣା ସ୍କୁଲ ପରିସରରେ ଆତଙ୍କ ଖେଳାଇ ଦେଇଛି । ଧାନମଣ୍ଡଳ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ଏକ ବନ୍ଧୁକ ଏବଂ ଗୁଳି ଜବତ ହେବା ସହିତ ବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସଂପୃକ୍ତ ଛାତ୍ର ଖେଳ ଶିକ୍ଷକଙ୍କୁ ଧମକ ଦେବାପାଇଁ ପୂର୍ବରୁ ମଧ୍ୟ ବନ୍ଧୁକ ନେଇ ଆସିଥିଲା । ଆଜି ମଧ୍ୟ ବନ୍ଧୁକ ନେଇ ଆସିଥିବା ବେଳେ ଅନ୍ୟ ପିଲାମାନେ ଏହାକୁ ଦେଖି ଶିକ୍ଷକଙ୍କୁ ସୂଚନା ଦେଇଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକଙ୍କୁ ବିରୋଧ କରି ଛାତ୍ର ଜଣକ ଧମକ ଦେଇଥିବା ଅଭିଯୋଗ ମଧ୍ୟ ଆସିଛି ।
ପୂର୍ବରୁ ମଧ୍ୟ ଏହି ଛାତ୍ର ବିଦ୍ୟାଳୟକୁ ଅନେକଥର ବନ୍ଧୁକ ଆଣିଥିବା ଅଭିଯୋଗ ଉଠିଥିବାରୁ ଘଟଣାର ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି । ଖେଳ ଶିକ୍ଷକ ବନ୍ଧୁକ ଜବତ କରିବା ପରେ ଛାତ୍ର ଜଣଙ୍କ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଧମକ ଦେଇଥିବା ସୂତ୍ରରୁ ଜଣାପଡ଼ିଛି । ଶିକ୍ଷା ବିଭାଗର ନିର୍ଦ୍ଦେଶରେ ଏତଲା ଦିଆଯିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା କରିଛି । ଘଟଣା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ କୁଦାନଗରୀ ଥାନାରେ ଔପଚାରିକ ଏତଲା ଦାଖଲ ହେବାପରେ ପୁଲିସ ବିଦ୍ୟାଳୟରେ ପହଞ୍ଚିବା ସମୟରେ ଅଭିଯୁକ୍ତ ଛାତ୍ର ଖସି ପଳାଇବାକୁ ଚେଷ୍ଟା କରିଥିଲେ । ମାତ୍ର ପୁଲିସ ତାକୁ କାବୁ କରିଥିଲା । ବନ୍ଧୁକ କେଉଁଠୁ ଆସିଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିବା ସହ ବନ୍ଧୁକ ଏବଂ ଗୁଳି ଜବତ କରି ଏହାକୁ କିଏ ଦେଇଛି, କେଉଁଠୁ ଆସିଛି ଏବଂ ଏହା ପଛର ଉଦ୍ଦେଶ୍ୟ କଣ ସେନେଇ ତଦନ୍ତ ଆରମ୍ଭ କରିଛି ।
କେନ୍ଦ୍ରାପଡାରେ ଚୋରା ବନ୍ଧୁକ ଜାଲ ବ୍ୟାପିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶତାଧିକ ଚୋରା ବନ୍ଧୁକ ଚାଲାଣ ହେଉଛି । ଜଣେ ଛାତ୍ରଙ୍କ ହାତରେ ଏପରି ବିପଦଜନକ ଅସ୍ତ୍ର ପହଞ୍ଚିଯିବା ଏହି ଚୋରା ବନ୍ଧୁକ ଜାଲର ଗଭୀରତାକୁ ଇଙ୍ଗିତ ଦ୍ଭ କରିଛି । ଜିଲ୍ଲାବାସୀଙ୍କ ମଧ୍ୟରେ ଅଶାନ୍ତିଏହି ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବୃଦ୍ଧି ପାଇଛି । ବିଦ୍ୟାଳୟ ପରିସରରେ ଶିକ୍ଷା ପରିବେଶ ନିରାପଦ କରିବା ପାଇଁ ପୁଲିସ ଓ ଶିକ୍ଷା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଉଠିଛି । ମୁତାବକ ସଂପୃକ୍ତ ଛାତ୍ରକୁ ସ୍ୱଧାର ଗୃହକୁ ପଠାଯିବା ସହ ଜବତ ହୋଇଥିବା ବନ୍ଧୁକକୁ ପୁଲିସ ପରୀକ୍ଷା ପାଇଁ ଫରେନସିକ ଲାବୋରୋଟାରୀକୁ ପଠାଇଛି । ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଚୋରା ବନ୍ଧୁକ କାରବାରର ମୂଳ ଖୋଜିବା ପାଇଁ ୨-୩ ଜାଗାରେ ଚଢାଉ କରାଯାଇଥିବା ସୂଚନା ମିଳିଛି ।