କେନ୍ଦ୍ରାପଡ଼ା ପାଇଁ ବାଂଲାଦେଶୀ କେତେ ବିପଦ ?

ସ୍ୱତନ୍ତ୍ର ପ୍ରତିନିଧି  ଉକôଳ କେଶରୀ ପାହାଡ଼ସିଂ:
କେନ୍ଦ୍ରାପଡ଼ା ଜିଲ୍ଲା କଥା କୁହନ୍ତୁ କିମ୍ବା ରାଜ୍ୟ କଥା କୁହନ୍ତୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ସାଂପ୍ରତିକ ପରିସ୍ଥିତିରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବିଦା କରିବାକୁ କଡା ନିଦେ୍ର୍ଦଶ ଆସିବାପରେ ତମାମ ରାଜ୍ୟରେ ଆରମ୍ଭ ହୋଇଛି ହଟ ଚମଟ । ଏହି ପରିପ୍ରେକ୍ଷୀରେ ସବୁଠୁ ଅଧିକ ଫୋକସ ରେ ରହିଛି କେନ୍ଦ୍ରାପଡ଼ା ଜିଲ୍ଲା ।୨୦୦୬ ମସିହାର ସରକାରୀ ତଥ୍ୟ ଅନୁସାରେ କେନ୍ଦ୍ରାପଡ଼ାରେ ମୋଟ ୧୬୪୯ ଜଣ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିଲେ ।ଏହି ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ସରକାରୀ ତଥ୍ୟ ଠାରୁ ବାସ୍ତବ ପରିସଂଖ୍ୟାନ ମଧ୍ୟରେ ରହିଛି ଆକାଶ ପାତାଳ ଫରକ୍ । ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ୍ ରେ ବାଂଲାଦେଶୀ ଅନୁପ୍ରବେଶକାରୀ ବସତି ସ୍ଥାପନ କରିସାରିଥିବା ବେଳେ ମହାକାଳପଡା ଓ ରାଜନଗର ବ୍ଲକ ଅଞ୍ଚଳରେ ସବୁଠୁ ଅଧିକ କରିଛନ୍ତି କାୟା ବିସ୍ତାର । ବିଗତ ଦିନ ମାନଙ୍କରେ ଦେଖା ଯାଇଛି ଜିଲ୍ଲାରେ ଜାଲ ନୋଟ ଛପାଇବା ଠାରୁ ଆରମ୍ଭ କରି ନିଷିଦ୍ଧ ଅଞ୍ଚଳରେ ମାଛ ମାରିବା ଅବା ପ୍ରତିବନ୍ଧକ ଥିବା ସ୍ୱତେ ବାହାର ରାଜ୍ୟକୁ ବିଭିନ୍ନ ସାମୁଦ୍ରିକ ଜୀବ ଚୋରା ଚାଲାଣ କରିବା ଭଳି ବେଆଇନ୍ କାର୍ଯ୍ୟରେ ଲିପ୍ତ ରହି ଆଇନ୍ ଜାଲରେ ଛନ୍ଦି ହୋଇଛନ୍ତି । ବେଆଇନ୍ ଅନୁପ୍ରବେଶ କାରିଙ୍କ ସଂଖ୍ୟା ଯେତିକି ବଢ଼ି ଚାଲିଛି ସେହି ଅନୁପାତରେ ଜିଲ୍ଲାରେ ସମସ୍ୟା ଦେଖାଯିବା ସହିତ ଅପରାଧର ମାତ୍ରା ମଧ୍ୟ ବଢ଼ି ଚାଲିଛି ।ଏହିସବୁ ସମସ୍ୟା ରୁ ଜିଲ୍ଲାକୁ ମୁକ୍ତ କରିବାପାଇଁ ହେଲେ ପ୍ରଶାସନ ବା ରାଜ୍ୟ ସରକାର ଅନୁପ୍ରବେଶ କାରୀଙ୍କ ଉପରେ ଶୂନ୍ୟ ସହନଶୀଳତା ନୀତି ଆପଣାଇ ଏମାନଙ୍କୁ ଚିହ୍ନଟ କରି ବିତାଡିତ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି । ସରକାରୀ ତଥ୍ୟ କୁ ଯଦି ବିଶ୍ୱାସ କରାଯାଏ ତେବେ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ମାତ୍ର ୧୬୪୯ ଜଣ ଅନୁପ୍ରବେଶକାରୀ ଅଛନ୍ତି କିନ୍ତୁ ବାସ୍ତବ ଚିତ୍ର ସଂପୂଣ୍ଣ ଭିନ୍ନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ମାନଦଣ୍ଡ ଆଣିଲେ ନାହିଁ ।ଅନୁପ୍ରବେଶକାରୀ କେଉଁ ବାଟରେ କେମିତି ଆସୁଛନ୍ତି ଓ କେଉଁଠି ରହୁଛନ୍ତି ଜିଲ୍ଲା ପୋଲିସ ଏସବୁ ଜାଣିଥିଲେ ମଧ୍ୟ ଏମାନଙ୍କ ବିରୋଧରେ କିଛି ପଦକ୍ଷେପ ନେଇ ପାରୁନାହିଁ କାରଣ ଏମାନଙ୍କୁ ଚିହ୍ନଟ କରିବା ପାଇଁ କିଛି ସ୍ପଷ୍ଟ ମାନଦଣ୍ଡ ନାହିଁ । ଫଳରେ ଏମାନେ ବିଭିନ୍ନ ବାଟରେ ଅନୁପ୍ରବେଶ କରି ଜିଲ୍ଲାରେ ପୂର୍ବରୁ ଥିବା ନିଜ ସମ୍ପର୍କୀୟଙ୍କ ନିକଟରେ କିଛି ଦିନ ରହିବା ପରେ ଧିରେ ଧିରେ ରାଜନୈତିକ ନେତାଙ୍କ ଛତ୍ର ଛାୟା ତଳେ ଆସି ଭୋଟର ଆଇଡି, ରାସନ୍ କାର୍ଡ, ଆଧାର କାର୍ଡ ଭଳି ଭାରତୀୟ ନାଗରିକ ପ୍ରମାଣ ପତ୍ର ହାତେଇ ନେଉଛନ୍ତି । ପରବର୍ତ୍ତୀ ସମୟରେ ନିଜର ଭୋଟ ବ୍ୟାଙ୍କ ଆଶା ଚରିର୍ଥାତ କରିବାପାଇଁ ନେତାମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ସୁପାରିଶ କରି ବିଭିନ୍ନ ଜଙ୍ଗଲ ଜମି, ଗୋଚର ଜମି ଏମାନଙ୍କ ହାତରେ ବିନା ସଂକୋଚରେ ଟେକି ଦେଉଥିବା ଦେଖିବାକୁ ମିଳୁଛି ।ଯାହା ଫଳରେ ଜିଲ୍ଲାରେ କାୟା ବିସ୍ତାର କରି ରହିବା ସହିତ ବିଭିନ୍ନ ଅପରାଧିକ କାର୍ଯ୍ୟ କଲାପରେ ଲିପ୍ତ ରହୁଛନ୍ତି । ତେଣୁ ଏସବୁରେ ରୋକ୍ ଲଗାଇବା ପାଇଁ ହେଲେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାପାଇଁ ପ୍ରଥମେ ଏକ ସ୍ପଷ୍ଟ ମାନଦଣ୍ଡ ଆସିବା ନିହାତି ଜରୁରୀ । ଯାହା ଫଳରେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କେତେ ବାଂଲାଦେଶୀ ବସବାସ କରୁଛନ୍ତି କାହିଁକି ଗଣନା ହୋଇପାରୁନାହିଁ ବୋଲି ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି ।