କୋମାରେ କମିଶନରେଟ୍‌ : ମାଫିଆଙ୍କୁ ଛାଡ଼, ମଦୁଆଙ୍କ ପଛରେ ଚନ୍ଦକା ପୁଲିସ

କୋମାରେ କମିଶନରେଟ୍‌ : ମାଫିଆଙ୍କୁ ଛାଡ଼, ମଦୁଆଙ୍କ ପଛରେ ଚନ୍ଦକା ପୁଲିସ

ଭୁବନେଶ୍ୱରର : ରାଜଧାନୀ ଓ ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଉଛନ୍ତି ଲୁଟେରା, ନିଶା ବେପାରୀ, ବନ୍ଧୁକ ବେପାରୀ, ଜମି ଦଲାଲ, ବାଲି ମାଫିଆ । ପ୍ରତେକ ଦିନ ଘଟୁଛି ଲୁଟ୍‌, ଡକାୟତି, ହତ୍ୟା, କୁକର୍ମ ବନ୍ଧୁକ କାରବାର, ହଣାକଟା ଓ ନିଶା କାରବାର । ସେପଟେ ପୁଲିସ ବିଭାଗରେ କିଏ କାହାକୁ ପ୍ରେମ ପାଇଁ ହତ୍ୟା କଲାଣି ତ କିଏ ଟଙ୍କା ପାଇଁ, ତ ଆଉ କିଏ ମାଫିଆ ଓ ଦଲାଲଙ୍କ ସହ ହାତ ମିଳାଇ ମୋଟା ଅଙ୍କର ଟଙ୍କା ରୋଜଗାର କଲାଣି । ହେଲେ ନିଜର ଅପାରଗତାର ଭଦ୍ରମୁଖାକୁ ଲୁଚାଇବା ପାଇଁ ଉପରସ୍ତ ଅଧିକାରୀ ମାନଙ୍କ ଚାଟୁକରା ଚଳାଇ ବାହାବାହା ନେଉଛନ୍ତି ବହୁ ଥାନାରେ ଗାଦିମଡ଼ାଡି ରହିଥିବା ଅଫିସର । ଯାହାର ଜଳନ୍ତା ଉଦାହରଣ ରାଜଧାନୀର ବିଭିନ୍ନ ଥାନା, ସିପି ଅଫିସ, ଡ଼ିସିପି ଅଫିସ, ଡ଼ିଜି ଅଫିସ ଏବଂ ଓଡ଼ିଶା ପୁଲିସ ବିଭାଗ ତଥା ଭିଜିଲାନ୍ସ, ଗୁଇନ୍ଦା, ସିଏମ୍‌ କାର୍ଯ୍ୟାଳୟ, କ୍ରାଇମବ୍ରାଞ୍ଚ୍‌ ଅଫିସରେ ଦେଖିବାକୁ ମିଳିବ । ଏମାନେ  ବଡ଼ବଡ଼ିଆଙ୍କ ଚାଟୁକରା କରି ରାଜଧାନୀରେ ବର୍ଷବର୍ଷ ଧରି ରହିବା ସହ ଚଳାଇଛନ୍ତି ନିଜର ପତିଆରା । ଫଳରେ ଅନ୍ୟ ଜିଲ୍ଲାରେ ଥିବା ଦକ୍ଷ ଅଫିସରଙ୍କ ପାଇଁ ଏକ ପ୍ରକାର କମିଶନରେଟ୍‌ ପୁଲିସ ମନା । କାରଣ ଏହି ଭୁବନେଶ୍ୱର ଓ କଟକରେ ଗାଦିମଡ଼ା ଅଫିସରମାନେ ଯେମିତି ଏଠାରେ କୋଳି ଖାଇ ମଞ୍ଜି ପୋତିଛନ୍ତି । ଏମାନେ ପୁଲିସ ମାନୁଆଲକୁ ଏକ ପ୍ରକାର ଫୁ କରିଦେଇଛନ୍ତି । ଫଳରେ ଏମାନଙ୍କ ପାଇଁ କମିଶନରେଟ୍‌ ପୁଲିସ ବଦନାମର କଳାପାହାଡ଼ ମୁଣ୍ଡରେ ଲଦି ରହିଛି । ଯାହା ଏବେ ପୁଲିସ ବିଭାଗର ଭିତିରି ଗୁମର ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ସହ କମିଶନରେଟ୍‌ ପୁଲିସ କୋମାକୁ ପଳାଇଥିବା ମନେ ହେଉଛି । ସେହିପରି ଗୋଟିଏ ଜୋନର ୩ଟି ଥାନା ହାତେଇ ଏବେ ଚନ୍ଦକା ଥାନାକୁ ଆସିଥିବା ଆଇଆଇସି ମାଡାମ ଏବେ ଅପରାଧୀ, ବାଲି ମାଫିଆ, ଦଲାଲ, ଲୁଟେରାଙ୍କୁ ଗଳା ବାଟରେ ଛାଡି କୁଆଡେ ମଦୁଆଙ୍କ ପଛରେ ପଡ଼ିଛନ୍ତି । କୁଆଡେ ମାଡାମ ରାତି ହେଲେ ତାଙ୍କର ଟିମ ଧରି ହାତରେ ବାଡି ଧରି ବାହାରିପଡ଼ୁଛନ୍ତି ମଦୁଆଙ୍କୁ ସାବାଡ଼ କରିବାକୁ । ହେଲେ, ଦୀପତଳ ଅନ୍ଧାର ଭଳି ନିଜ ଥାନାରେ ଥିବା ଅଫିସରଙ୍କ କ୍ୱାଟରେ ଦେଖିବାକୁ ମିଳିଛି ଦଲାଲ, ମାଫିଆଙ୍କ ଭିଡ଼ ସହ ମଦର ଆସରା । ଯାହା କି ମାଡାମଙ୍କ ନଜରରେ ଆସୁନାହିଁ । ଏଭଳି ଖବର ସ୍ଥାନୀୟରୁ ସୂଚନା ଆସିବା ପରେ ଯାହା ଜଣାପଡ଼ିଛି, କୁଆଡେ ମାଡାମ ଜଣେ ଦକ୍ଷ ଅଫିସର ଅଟନ୍ତି, ସେ ଆଇନ କାନୁନ୍‌ ବିଷୟରେ ବହୁ କିଛି ଜାଣିଛନ୍ତି । ତାଙ୍କ ପଛରେ ବହୁ  ଗାଦିମଡ଼ା ଅଫିସରଙ୍କ ହାତ ରହିଛି । ସେ ସିପି, ଡ଼ିସିପିଙ୍କୁ ମଧ୍ୟ ହାତ ମୁଠାରେ ରଖିଛନ୍ତି । ତାଙ୍କର କେହି କିଛି କରିପାରିବେ ନାହିଁ କି ତାଙ୍କର ଦକ୍ଷତା ଉପରେ କେହି ଆଙ୍ଗୁଳି ଉଠାଇ ପାରିବେନି । କିନ୍ତୁ ମାଡ଼ାମ ନାମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ତିନି ତିନିଟି ପିଟିସନ୍‌ ପଡ଼ିଥିବା ଜଣାପଡ଼ିଛି । ସେଥିରେ କୁଆଡେ ମାଡାମଙ୍କ ଦକ୍ଷତା, କେଳେଙ୍କାରୀ ବିଷୟରେ ଉଲ୍ଲେଖ ରହିଛି । ଯାହା ଆମ ହାତରେ ଲାଗିଛି । ଏନେଇ ସିପି ଅଫିସରେ ମାଡ଼ାମ ନିକଟତ ଅଫିସରଙ୍କୁ ନେଇ ସିପି ଅଫିସରେ ପହଞ୍ଚି କୁଆଡେ ଥାନାରେ ଥିବା କିଛି ତଳ କର୍ମଚାରୀଙ୍କୁ ଡ଼କାଇ ତାଗିଦ୍‌ କରିଛନ୍ତି । ଆଗକୁ ଜଦି ଥାନାର କଥା କିଛି ବାହାରକୁ ଯାଏ ତାହାହେଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି ତାଗିଦ କରିଛନ୍ତି । ହେଲେ ମାଡାମ ଜଦି ନିଜର ପ୍ରକୃତ ଦକ୍ଷତା ଦେଖାଇ ଅପରାଧିଙ୍କୁ ସାବାଡ କରିବାରେ ସଫଳତା ହାସଲ କରନ୍ତେ ତାହାହେଲେ ସ୍ଥାନୀୟ ବାସିନ୍ଦା ସୁରକ୍ଷିତ ରହିପାରନ୍ତେ । କିନ୍ତୁ ତାହା ବଦଳରେ ମଦୁଆଙ୍କୁ ଧରି ବଡ଼ବଡ଼ିଆଙ୍କ ନିକଟରେ ବାହାବାହା ନେଇ କୁଆଡେ ମାଡ଼ାମ ନିଜର ଦକ୍ଷତାକୁ ପ୍ରମାଣ କରୁଛନ୍ତି । ହେଲେ ନିଜ ଅଞ୍ଚଳରେ ଗତ ୧୫ ଦିନ ତଳେ ୨ଟି ଆପାଟମେଣ୍ଟରୁ ହୋଇଥିବା ସିରିଜ୍‌ ଲୁଟର ଲୁଟେରାଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ସେମାନଙ୍କ ଖୋଳତାଳ ପାଇପାରୁନାହିଁ ପୁଲିସ ।

  • ଗଳାବାଟରେ ବାଲି, ପଥର ମାଫିଆ; ପାତାଳରେ ସିରିଜ୍‌ ଲୁଟେରା
  • ଥାନାର ଅଫିସର କ୍ୱାର୍ଟରେ ଦଲାଲଙ୍କ ଖଟି ସହ ମଦର ଆସର

ସୂଚନାଯୋଗ୍ୟ ଯେ, ଗତ ୪ ତାରିଖ ତଥା ବୁଧବାର ବିଳମ୍ବିତ ରାତିରେ ନନ୍ଦନକାନନ ଥାନା ଅଞ୍ଚଳରୁ ଆରମ୍ଭ କରି ଚନ୍ଦକା ଥାନା ଅଞ୍ଚଳରେ ୪ଟି ଆପାର୍ଟମେଣ୍ଟର ୧୦ଘରୁ ଲକ୍ଷଲକ୍ଷ ଟଙ୍କାର ସୁନା, ରୂପା, ଟଙ୍କା ଦାମି ସାମଗ୍ରୀକୁ କଳାକନା ବୁଲାଇଥିଲେ ଦୁଇ ଲୁଟେରା । ଏନେଇ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁକରି ବିଭିନ୍ନ ଛକ ଓ ଆପାର୍ଟମେଣ୍ଟର ସିସିଟିଭି କ୍ୟାମେରାକୁ ଯାଞ୍ଚ୍‌କରି ୨ ଲୁଟେରାଙ୍କୁ ଚିହ୍ନଟ କରିଥିଲା । ଲୁଟେରାମାନେ ପ୍ରଥମେ ନନ୍ଦନକାନନ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଲୁଟ୍‌ କରିଥିଲେ । ସେଠାରୁ ଆସି ପୁଣି ଚନ୍ଦକା ଅଞ୍ଚଳର ୨ଟି ଆପାର୍ଟମେଣ୍ଟରେ ପଶି ୧୦ଟି ଘରୁ ଲକ୍ଷଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା କଳାକନା ବୁଲାଇ ବାଇକରେ ଫେରାର ହୋଇଯାଇଥିବା ଦେଖାଯାଇଥିଲା । ହେଲେ ସିରିଜ୍‌ ଲୁଟ୍‌ ଘଟଣାକୁ ୧୫ ଦିନ ପୁରିଥିଲେ ମଧ୍ୟ ଏହି ଦୁଇ କୁଖ୍ୟାତ ଲୁଟେରାଙ୍କ ଖୋଳତାଳ ପାଉନି ଚନ୍ଦକା ଥାନା ପୁଲିସ ।  ପୂର୍ବରୁ ମଧ୍ୟ ଚନ୍ଦକା ଅଞ୍ଚଳରେ ବହୁ ଆପାର୍ଟମେଣ୍ଟରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟ୍‌ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ଲୁଟେରାଙ୍କ ଟେର ପାଇପାରି ନାହିଁ ପୁଲିସ । ସେପଟେ ଆଗକୁ ଦୁର୍ଗାପୂଜା ଆସୁଥିବାରୁ ବାଲି ମାଫିଆ, ମଦ ବେପାରୀ, ଜମି ମାଫିଆ, ଦଲାଲଙ୍କ ଠାରୁ ମୋଟା ଅଙ୍କାର ଚାନ୍ଦା ଆଦାୟ ହୋଇଥିବା ବିଶ୍ୱସ୍ତ ଶୁତ୍ରରୁ ସୂଚନା ମିଳିଛି । କୁଆଡେ ଚନ୍ଦକା ଥାନାରେ ଥିବା କିଛି ନୁଆଁ ନୁଆଁ ଚାକିରି ପାଇଥିବା ଅଫିସର ଓ ଥାନାରେ ରହିଥିବା ଜଣେ ଦଲାଲ ଏହି ଚାନ୍ଦା ଆଦାୟରେ ଲାଗିପଡ଼ିଥିବା ସୂଚନା ମିଳିଛି ।