ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର :  ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଏବେ ପାୱାର କରିଡ଼ରରୁ ନେଇ ବିଜେପି ଅଳିନ୍ଦ ଯାଏଁ ଜୋରଦାର ଚର୍ଚ୍ଚା ଚାଲିଛି  । କିଏ କହୁଛନ୍ତି ଆଉ ୬ ବିଧାୟକ ମନ୍ତ୍ରୀ ହେବେ ବୋଲି ତ ଆଉ କିଏ କହୁଛନ୍ତି କିଛି ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଦ୍ ଦେଇ ଅନ୍ୟ ବିଧାୟକଙ୍କୁ ମନ୍ତ୍ରୀ ହେବାର ସୁଯୋଗ ଦେବେ  । 
ଏଭଳି ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ଏବେ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ରିପୋର୍ଟ କାର୍ଡ଼ ମାଗିଛନ୍ତି  । ଯାହାଙ୍କ ରିପୋର୍ଟ କାର୍ଡ଼ରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ହେବେ ସେମାନଙ୍କର ମନ୍ତ୍ରୀ ପଦ ବଜାୟ ରହିବ  । ଯାହାଙ୍କ ରିପୋର୍ଟ କାର୍ଡ଼ ଠିକ୍ ନଥିବ ସେମାନେ ବିଦା ହେବାର ଆଶଙ୍କା ରହିଛି  ।  ମନ୍ତ୍ରୀ ହେବା ପରେ ସେମାନେ କେତେଥର ଜିଲ୍ଲା ଗସ୍ତ କରିଛନ୍ତି, କିକି ସମୀକ୍ଷା କରିଛନ୍ତି, ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଆଦି ନେଇ ବି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି  । ଏହାଛଡ଼ା ସରକାରୀ ପ୍ରକଳ୍ପ ନୀରିକ୍ଷଣ ଓ କ୍ଷେତ୍ର ପରିଦର୍ଶନ ସଂକ୍ରାନ୍ତରେ ବିଶଦ ତଥ୍ୟ ଦେବାକୁ କୁହାଯାଇଛି  । ସେହିପରି ଆଗାମୀ ଦିନ ପାଇଁ ମନ୍ତ୍ରୀମାନେ କି କି ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ସେନେଇ ବି ରିପୋର୍ଟ ତଲବ କରାଯାଇଛି  । 
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଭୁବନେଶ୍ୱରରୁ ନେଇ ଦିଲ୍ଲୀଯାଏଁ ମାନସମନ୍ଥନ ଚାଲିଛି  । ବିଜେପିରେ ଏବେ ଅଧିକାଂଶ ବିଧାୟକ ନବାଗତ ହୋଇଥିବାବେଳେ ମନ୍ତ୍ରୀ ପଦ ପାଇଁ ଅନେକ ଯୁବ ବିଧାୟକ ଆଶାବାଦୀ ଅଛନ୍ତି  । ତେବେ ଦକ୍ଷତା ଅପେକ୍ଷା ଭୌଗୋଳିକ ଅଞ୍ଚଳ ଉପରେ ଗୁରୁତ୍ୱାରୋପ କରାଯିବ  । ୨୧ ଲୋକସଭା କ୍ଷେତ୍ର ଆଧାରରେ ମନ୍ତ୍ରୀ ପଦ ଆବଣ୍ଟନ କରାଯିବ ବୋଲି କୁହାଯାଉଥିବାବେଳେ ତାହା କିନ୍ତୁ ବାସ୍ତବରେ ରୂପାନ୍ତରିତ ହେବା କଷ୍ଟକର  । ସେହିପରି ବିଜେପିରେ ଏବେ ଶୀତଳଯୁଦ୍ଧ ଚାଲିଥିବା କୁହାଯାଉଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନିଗମ ଅଧ୍ୟକ୍ଷ ବଣ୍ଟନ, ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି ଅନେକ ସଂକେତ ଦେବବୋଲି ଚର୍ଚ୍ଚା ହେଉଛି  ।