ସାମ୍ବାଦିକଙ୍କୁ ପିଟିଲା ପୁଲିସ୍ ; ମହିଳା ସାମ୍ବାଦିକଙ୍କ ହାତ ଫାଟିଲା
ଭୁବନେଶ୍ୱର: ରଥଯାତ୍ରାରେ ଅଘଟଣ । ପୁଲିସ୍ ମାଡ଼ରେ ଗୁରୁତର ହୋଇଛନ୍ତି ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ। ପୁରୀ ରଥଯାତ୍ରାରେ ଖବର ସଂଗ୍ରହ କରିବାକୁ ଯାଇ ହଟହଟା ହୋଇଛନ୍ତି ରାଜ୍ୟର କେତେକ ବରିଷ୍ଠ ସାମ୍ବାଦିକ । ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ଲାଗି ବହୁ ଅଧିକାରୀ, ନେତାମନ୍ତ୍ରୀ, ଭିଭିଆଇପିଙ୍କ ଭଳି ସାମ୍ବାଦିକଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କର୍ଡନ୍ ପାସ୍ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି ବ୍ୟବସ୍ଥାକୁ ଅଣଦେଖା କରିଛି ଖୋଦ୍ ପୁଲିସ୍ । କର୍ଡନ୍ ପାସ୍ ଦେଖାଇ ଥିଲେ ମଧ୍ୟ ସାମ୍ବାଦିକଙ୍କୁ କର୍ଡନ୍ ଭିତରକୁ ପ୍ରବେଶ କରାଗଲା ନାହିଁ । ଓଲଟା ଲାଠି ମାଡ଼ ତଥା ଠେଲାପେଲା କରି ସାମ୍ବାଦିକଙ୍କୁ ଆଘାତପ୍ରାପ୍ତ କରାଯାଇଛି। ଏଭଳି ଭୟଙ୍କର ଆକ୍ରମଣ ହୋଇଥିଲା ଯେ, ଜଣେ ମହିଳା ସାମ୍ବାଦିକଙ୍କ ହାତ ଫାଟି ଯାଇଥିଲା । ଫଳରେ ତାଙ୍କ ହାତରେ ୨୦ଟି ଷ୍ଟିଜ୍ ପଡ଼ିଥିବା ଜଣାପଡ଼ିଛି । ସମ୍ପୃକ୍ତ ମହିଳା ସାମ୍ବାଦିକଙ୍କୁ ମିଶାଇ ୭ରୁ ଊଦ୍ଧ୍ୱର୍ ସାମ୍ବାଦିକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି । ରଥଯାତ୍ରା ଇତିହାସରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ବିରୋଧୀ ବିଜେଡି ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯାଇଛି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ । ସକାଳ ୮ଟା ରୁ ଭୁବନେଶ୍ୱର ଜୟଦେବ ଭବନ ନିକଟରୁ ଓଟିଡିସି ବସରେ ୫୨ ଜଣ ସାମ୍ବାଦିକ ବାହାରି ପୁରୀରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ । ସେମାନଙ୍କ ପାଇଁ କର୍ଡନ ପାସ ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ସାମ୍ବାଦିକ ମୋଚି ସାହି ଦେଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ । ହେଲେ ସେମାନଙ୍କୁ ପୁଲିସ ବ୍ୟାରିକେଡ୍ରେ ଛାଡି ନଥିଲା । ସାମ୍ବାଦିକମାନେ ପୁଲିସକୁ କର୍ଡନ ପାସ ସହିତ ନିଜର ସାମ୍ବାଦିକ ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ପୁଲିସ ଶୁଣିନଥିଲା । ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ବହୁ ପୁଲିସ୍ କର୍ମଚାରୀ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ସାମ୍ବାଦିକଙ୍କୁ ଠେଲାପେଲାରେ ୭ ଜଣ ଗୁରୁତର ହୋଇଛନ୍ତି । ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ତଳେ ପଡି ଯିବା ଯୋଗୁଁ ସେ ଦଳାଚକଟାର ସମ୍ମୁଖୀନ ହୋଇଥିଲେ । ସେହିପରି ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହର ପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା । ତଥାପି ପୁଲିସର ଆକ୍ରମଣ ଥମି ନଥିଲା । ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କୁ ପୁଲିସ ଏତେ ଜୋରରେ ଠେଲି ଦେଇଥିଲା ଯେ ତାଙ୍କ ହାତରେ ବଡ଼ କ୍ଷତ ସୃଷ୍ଟି ହୋଇଛି । ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାମ୍ପ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କ ହାତରେ ୨୦ଟି ଷ୍ଟିଜ ପଡିଥିଲା । ସାମ୍ବାଦିକ ଗିରିଧାରୀ ଲାଲ ଷଡଙ୍ଗୀଙ୍କ ଗୋଡ଼ରେ ଆଘାତ ଲାଗିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହିତ ସିସିକ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଛି ।