ମଧ୍ୟ ପ୍ରଦେଶରେ ମଦ ନିଷେଧ
ଇତିମଧ୍ୟରେ ମଧ୍ୟପ୍ରଦେଶ ସରକାର ରାଜ୍ୟର ୧୭ଟି ଧାର୍ମିକ ସ୍ଥଳରେ ମଦ ବିକ୍ରି ଏବଂ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି । ଏହି ସହର ଗୁଡ଼ିକ ମଧ୍ୟରେ ରହିଛି ଉଜ୍ଜୟିନୀ, ମହିହାର, ଦତିଆ, ପାନା, ମାଣ୍ଡଲା, ମୁଲତାଇ, ମଣ୍ଡସର୍, ଓର୍ଚ୍ଚା, ଚିତ୍ରକୂଟ, ଅମରକଣ୍ଟକ, ମହେଶ୍ୱର, ଓଁକାରେଶ୍ୱର, ମାଣ୍ଡଲେଶ୍ୱର ଇତ୍ୟାଦି । ତେବେ ଏହି ୧୭ଟି ସହର ଭିତରେ ଗୋଟିଏ ନଗର ନିଗମ, ୬ଟି ନଗରପାଳିକା, ୬ଟି ନଗର ପରିଷଦ ଏବଂ ୬ଟି ଗ୍ରାମ ପଞ୍ଚାୟତ ରହିଛି । ଏହିସବୁ ସ୍ଥାନକୁ ବିପୁଳ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିଥାନ୍ତି ଏବଂ ଏହି ସ୍ଥାନ ଗୁଡ଼ିକ ଧର୍ମସ୍ଥଳୀ ଭାବରେ ମାନ୍ୟତା ପାଇଛି । ଏହିସ୍ଥାନ ସବୁରେ ମଦ୍ୟପାନ ଏବଂ ମଦ ବିକ୍ରିକୁ ନିଷେଧ କରାଯିବା ପାଇଁ କିଛି ସଙ୍ଗଠନ ଦାବି କରୁଥିଲେ । ପରିଶେଷରେ ସରକାର ମଦ ବିକ୍ରି ଓ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି । ତେବେ ସରକାରଙ୍କ ଏ ପ୍ରକାରର ଏକ ନିଷ୍ପତ୍ତି କିଭଳି ଭାବରେ କାର୍ଯ୍ୟକାରୀ ହେବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟରେ ଅନ୍ୟ ସ୍ଥାନ ଗୁଡ଼ିକରେ ମଦର ପ୍ରଚଳନ ଥିବା ସ୍ଥଳେ ଏହି ୧୭ଟି ସହରରେ ମଦ ପ୍ରଚଳନକୁ ନିଷିଦ୍ଧ କରାଯିବା ଦ୍ୱାରା ଏଠାରେ ବେଆଇନ୍ ଏବଂ ବିଷାକ୍ତ ମଦ ବିକ୍ରି ହେବ କି ନାହିଁ ତାହା ସମୟ କହିବ । ସମଗ୍ର ରାଜ୍ୟରେ ଯଦି ମଦ ବିକ୍ରିକୁ ନିଷିଦ୍ଧ କରାଯାଇଥାନ୍ତା, ତା'ହେଲେ ହୁଏତ ଏହି ୧୭ଟି ସହରରେ ମଧ୍ୟ ମଦ ନିଷିଦ୍ଧ କାର୍ଯ୍ୟକାରୀ ହୋଇପାରିଥାନ୍ତା । କେବଳ ଧର୍ମସ୍ଥଳୀର ମର୍ଯ୍ୟାଦାକୁ ନେଇ ଯଦି ମଦ ବିକ୍ରିକୁ ବନ୍ଦ କରାଯାଉଛି ତେବେ ନିଶ୍ଚିତ ରୂପେ ଏଭଳି ଏକ ଆଦେଶ କାର୍ଯ୍ୟକାରୀ ହେବା ଅତ୍ୟନ୍ତ କଷ୍ଟକର ହୋଇଯିବ ।
କୌଣସି ଏକ ସ୍ଥାନ ଧର୍ମସ୍ଥଳୀ ହେଲେ ମଧ୍ୟ ପର୍ଯ୍ୟଟକ ହିସାବରେ ଯେତେବେଳେ ଲୋକମାନେ ସେଠାକୁ ଯାଆନ୍ତି, ସେତେବେଳେ ମାଦକ ଦ୍ରବ୍ୟର ବ୍ୟବହାର କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଓଡ଼ିଶା ପରିପ୍ରେକ୍ଷୀରେ ଏଭଳି ଏକ ଆଇନ୍ କାର୍ଯ୍ୟକାରୀ କରାଯିବା ସମ୍ପର୍କରେ ଯଦି ବିଶ୍ଳେଷଣ କରାଯାଏ ତେବେ ଅନେକ ପ୍ରକାରର ସନେ୍ଦହ ଉପୁଜୁଛି । ଶ୍ରୀକ୍ଷେତ୍ର ପୁରୀରେ ମାଦକ ଦ୍ରବ୍ୟକୁ ନିଷିଦ୍ଧ କରାଯିବା ପାଇଁ ବାରମ୍ବାର ଦାବି ଉଠୁଥିଲେ ମଧ୍ୟ ବଡ଼ଦାଣ୍ଡକୁ ଆମିଷମୁକ୍ତ କରାଯାଇପାରୁନାହିଁ । ପୁରୀରେ ମଦ ବ୍ୟାନ୍ କରିବା ପାଇଁ ବିଭିନ୍ନ ସମୟରେ ଦାବି ଉଠିଛି ସତ; କିନ୍ତୁ କେବଳ ମଦ ବ୍ୟାନ୍ କରିଦେଲେ ଅନ୍ୟ ମାଦକ ଦ୍ରବ୍ୟ ସମ୍ପର୍କରେ କଣ କରାଯିବ ବୋଲି ପ୍ରଶ୍ନ ଉଠେ । ଠିକ୍ ସେହିପରି ମଧ୍ୟ ପ୍ରଦେଶରେ ଧାର୍ମିକ ପୀଠ ଗୁଡ଼ିକରେ କେବଳ ମଦକୁ ବ୍ୟାନ୍ କରି ଦେଲେ ଗଞ୍ଜେଇ, ଭାଙ୍ଗ ଭଳି ଅନ୍ୟାନ୍ୟ ମାଦକ ଦ୍ରବ୍ୟ ରହିଛି ଏବଂ ସେସବୁ ବଜାରରେ ଉପଲବ୍ଧ ହେବ । କେବଳ ସେତିକି ନୁହେଁ ମଦର ବିକଳ୍ପ ଭାବରେ ଅନ୍ୟାନ୍ୟ ପଦାର୍ଥ ଗୁଡ଼ିକରେ ଚାହିଦା ବଢିଯିବ । ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରୁ ମଧ୍ୟ ଚୋରାରେ ମଦ ହୋଟେଲ୍ ଗୁଡ଼ିକରେ ଆସି ପହଞ୍ଚିଯିବ । କାରଣ ହୋଟେଲ୍ ଶିଳ୍ପ କ୍ଷେତ୍ରରେ ବାର୍ ଗୁଡ଼ିକୁ ବନ୍ଦ କରି ଦେଲେ ବ୍ୟବସାୟ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ । ବାହାରେ ବଜାରରେ ମଦ ବିକ୍ରିକୁ ନିଷେଧ କରାଯାଇପାରିବ , ମାତ୍ର ହୋଟେଲ୍ ଗୁଡିକରେ ବାର୍ ଭାବରେ ରହିଥିବା ସ୍ୱତନ୍ତ୍ର କୋଠରୀ ଗୁଡ଼ିକ ଅନ୍ୟ କୌଣସି କାର୍ଯ୍ୟରେ ଲାଗିପାରିବ ନାହିଁ । ତେଣୁ ସରକାରଙ୍କର ଆଇନ୍କୁ ଲୋକ ଦେଖାଣିଆ ଭାବରେ କାର୍ଯ୍ୟକାରୀ କରାଗଲେ ମଧ୍ୟ ହୋଟେଲ୍ ଗୁଡ଼ିକ ଏହି ଆଇନ୍କୁ ସର୍ବପ୍ରଥମେ ଉଲଙ୍ଘନ କରିବେ ।
ମଧ୍ୟ ପ୍ରଦେଶରେ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହାର ଫଳାଫଳ କଣ ହେଉଛି ତାକୁ ଦେଖି ଓଡ଼ିଶାରେ ବା ଅନ୍ୟ ରାଜ୍ୟରେ ମଧ୍ୟ ଏ ପ୍ରକାରର ପଦକ୍ଷେପ ନିଆଯାଇପାରିବ । ହେଲେ କେବଳ ଧର୍ମସ୍ଥଳୀ ଗୁଡ଼ିକୁ ଲକ୍ଷ୍ୟରେ ରଖି ସରକାର ଯଦି ମଦ ନିଷେଧ କରିବାକୁ ଚାହୁଁଛନ୍ତି, ଏହା କେତେଦୂର ସଫଳ ହେବ ତାକୁ ଦେଖିସାରିବା ପରେ ଅନ୍ୟ ରାଜ୍ୟ ଗୁଡ଼ିକ ଏ ପ୍ରକାରର ଏକ ପଦକ୍ଷେପ ନେଲେ ଭଲ ହେବ ।