ଖଇରାକୁ ଏନ୍‌ଏସି ମାନ୍ୟତା ଦାବି ପ୍ରସଙ୍ଗ : ସ୍ୱର ବଦଳାଇଥିବା ନେତାଙ୍କୁ ସମାଲୋଚନା

ଖଇରା : ଖଇରାକୁ ଏନ୍‌ଏସି ମାନ୍ୟତା ଦାବିରେ ଖଇରା ସ୍ୱାଭିମାନ ମଞ୍ଚ ପକ୍ଷରୁ ବ୍ଲକ ଗେଟ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ଚତୁର୍ଥ ଦିନରେ ପହଞ୍ଚିଛି । ଏହି ଧାରଣାରେ ବକ୍ତାମାନେ ବିସ୍ଫୋରକ ବୟାନ ଦେଇଛନ୍ତି । ବର୍ତ୍ତମାନ ସମୁଳିଆରେ ଜନୈକ ନିର୍ବାଚିତ ପ୍ରତିନିଧିଙ୍କ  ବର୍ଷେ ତଳର ଦାବି  ଏବେକାର ମନ୍ତବ୍ୟକୁ ନେଇ ବୈଠକରେ ସମାଲୋଚନା କରାଯାଇଛି । ବର୍ଷେ ତଳର ନେତା ଜଣକ ବୈଠକରେ ଦେଇଥିବା ମନ୍ତବ୍ୟର ଭିଡିଓ ମଧ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।  ବିଜେଡି ସରକାର ସିମୁଳିଆକୁ ଘୋଷଣା କରି ଖଇରାକୁ ବାଦ୍‌ ଦେବା ନେଇ ସେତେବେଳେ ବିରୋଧରେ ଥିବା ଏହି ନେତା ଜଣକ ଏହି ଭିଡିଓରେ ସମାଲୋଚନା କରିବା ସହ ଯଦି ସରକାର ଖଇରାରୁ ଏନ୍‌ଏସି ଘୋଷଣା ନ କରନ୍ତି ତେବେ  ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଉଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଆଧାର କରି ମଞ୍ଚର ସଦସ୍ୟମାନେ ପ୍ରଶ୍ନ ଉଠାଇଛନ୍ତି । ବିଜେପି ସରକାର କ୍ଷମତାକୁ ଆସିବା ପରେ ଏବେ ନେତାଙ୍କ ସ୍ୱର ବଦଳିଯାଇଛି । ସ୍ୱାଭିମାନ ମଞ୍ଚର ସଦସ୍ୟମାନେ ନିକଟରେ ଉକ୍ତ ନେତାଙ୍କୁ ଭେଟିଥିବାବେଳେ ଖଇରାରେ ବହୁତ ଲୋକ ଗରିବ ସୀମାରେଖା ତଳେ ରହିଛନ୍ତି । ତାଙ୍କ ଉପରେ ଟ୍ୟାକ୍ସ ବୋଝ ପଡିବ, ତେଣୁ ଖଇରାକୁ ଏନ୍‌ଏସିର କରିବାର ଆବଶ୍ୟକତା ନାହିଁ କହିବା ଦୁର୍ଭାଗ୍ୟଜନକ ବୋଲି ସଦସ୍ୟମାନେ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ।