ବିକଶିତ ନୂଆପଡା ଗଠନ ବିଜେପିର ସଂକଳ୍ପ

ବିକଶିତ ନୂଆପଡା ଗଠନ ବିଜେପିର ସଂକଳ୍ପ

ନୂଆପଡ଼ା : ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏହା ହେଉଛି ପ୍ରଥମ ଉପ ନିର୍ବାଚନ । ପୂର୍ବତନ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନମଙ୍ଗଳ କାର୍ଯ୍ୟ ପାଇଁ ରାଜ୍ୟରେ ବିଜେପି ସରକାର ଜନସାଧାରଣଙ୍କ ଆର୍ଶୀବାଦରୁ ୫୦୦ ଦିନ ପୂରଣ କରିଛି । ବିଜେପି ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ । ସୁଭଦ୍ରା ଯୋଜନାରେ ମହିଳାମାନେ ୩ କିସ୍ତି ପାଇ ସାରିଲେଣି । ଭକ୍ତଙ୍କ ଭାବାବେଗ ସହିତ ଜଡିତ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି । ରତ୍ନ ଭଣ୍ଡାର ଖୋଲାଯାଇଛି । ରାଜ୍ୟରେ ନୂତନ ୭୫ ହଜାର କିମି ରାସ୍ତା ତିଆରି ପାଇଁ ଏବଂ ରାଜପଥଗୁଡିକର ବିକାଶ, ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂତନ ଭାବେ ରାଜ୍ୟ ରାଜପଥ ପ୍ରାଧିକରଣ ଗଠନ କରାଯାଇଛି ।

    ନୂଆପଡା ବିଧାନସଭାରେ ୧୧୦୧ କୋଟି ଟଙ୍କାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏସବୁ କ୍ରିୟାନ୍ୱୟନ କରିବା ବିଜେପି ସରକାରର ପ୍ରାଥମିକତା ହେବ । ନୂଆପଡାରେ ମେଡିକାଲ କଲେଜ ଖୋଲିବା ପାଇଁ ମଧ୍ୟ କେନ୍ଦ୍ରରୁ ଅନୁମୋଦନ ମିଳିସାରିଛି । ନୂଆପଡାରେ ଦାଦନ ଖଟିବା ହେଉଛି ପ୍ରମୁଖ ସମସ୍ୟା । ଏଠାକାର ଲୋକଙ୍କ ପାଖରେ ପୂର୍ବରୁ ବିକଳ୍ପ ନ ଥିବାରୁ ସେମାନେ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ । ଏସବୁ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ସଂକଳ୍ପ ନେଇଛି ବୋଲି ନୂଆପଡାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ନୂଆପଡାର ଲୋକେ ଯେପରି କର୍ମସଂସ୍ଥାନ ପାଇବେ, ଆତ୍ମନିର୍ଭର ହେବ ଓ ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ବିଜେପି ସରକାର ଯୋଜନା କରିଛି । ସେହିପରି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ କହଛନ୍ତି ଯେ, ନୂଆପଡାର ଯେଉଁସବୁ ସମସ୍ୟା ବିଷୟରେ ସ୍ଥାନୀୟ ଲୋକେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେସବୁର ସମାଧାନ କରାଯିବ ।