ସିନାପାଲିକୁ ଏନ୍‌ଏସି ଘୋଷଣା ଦାବି

ନୂଆପଡ଼ା, ୫ା୧୦ : ନୂଆପଡା ଜିଲ୍ଲା ସଦର ସିନାପାଲିକୁ ଏନ୍‌ଏସି ଘୋଷଣା ପାଇଁ ଦୀର୍ଘବର୍ଷ ହେବ ବାରମ୍ବାର ଦାବି ଉଠିଛି । ଘୋଷଣାରେ ବିଲମ୍ବ ହେତୁ ସିନାପାଲିରେ ଜନ ଅସନ୍ତୋଷ ବଢିବାକୁ ଲାଗିଛି । ଏହାକୁ ନେଇ ବେଳେବେଳେ ରାଜନୈତିକ ଟିକାଟିପଣି ହୋଇ ସିନାପାଲିରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏଇ କିଛିମାସ ମଧ୍ୟରେ  ଅନେକ ଥର ସିନାପାଲିକୁ ଏନ୍‌ଏସି ଘୋଷଣା ଦାବି ନେଇ ମନ୍ତ୍ରୀଙ୍କୁ ଭେଟିଛନ୍ତି ସିନାପାଲିର ପ୍ରତିନିଧି ମଣ୍ଡଳୀ । ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିଥିବା ଦସ୍ତାବିଜରେ କିଛି ତ୍ରୁଟିଥିବା ହେତୁ ଏହି କାର୍ଯ୍ୟରେ ବିଳମ୍ବ ହେଉଛି। ପ୍ରାପ୍ତ ସୂଚନା ମୁତାବକ ସିନାପାଲିକୁ ଯଥାଶୀଘ୍ର ଏନ୍‌ଏସି ଘୋଷଣା ପାଇଁ ସିନାପାଲି ନାଗରିକ କମିଟି ତରଫରୁ ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନୂଆପଡା ଠାରେ ସାକ୍ଷାତ କରିଥିଲେ । ଏ ବିଷୟକୁ ନେଇ ମନ୍ତ୍ରୀଙ୍କ ସହିତ ବିଷଦ ଆଲୋଚନା କରାଯାଇଥିଲା । ମନ୍ତ୍ରୀ ମହୋଦୟ ସମସ୍ତ କଥା ଶୁଣି, ସିନାପାଲିର ଏନ୍‌ଏସି ଦାବି ପ୍ରତି ନ୍ୟାୟୋଚିତ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିନିଧି ମଣ୍ଡଳୀରେ ଡମ୍ବରୁଧର ମେହେର, ନାରାୟଣ ପାତ୍ର, ଅରିଗଞ୍ଜନ ଯୋଷୀ, ତ୍ରିନାଥ ମେହେର, ସୁବ୍ରତ ଠାକୁର, ଶିବପ୍ରସାଦ ମୁଣ୍ଡ, ଲିଙ୍ଗରାଜ ଘିଭେଲା, ପ୍ରିୟରଞ୍ଜନ ମେହେର, ମଧୁସୂଦନ ମାଝୀ, ଲମ୍ବୋଦର ମାଝୀ ଓ ରବିନ୍ଦ୍ର ସୁନାନୀ ସାମିଲ ଥିଲେ । ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ଖଡିଆଳ ବିଧାୟକ ହିତେଶ ବଗର୍ତ୍ତି ଓ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ