ଖରାରେ ଶ୍ରମିକଙ୍କୁ କାମ କରିବା ମନା
୧୧ଟାରୁ ସାଢେ଼ ୩ ପର୍ଯ୍ୟନ୍ତ କାର୍ଯ୍ୟରେ ନଲଗାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ଼ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେ ନାହିଁ । ଅପ୍ରେଲରୁ ଜୁନ୍ ପର୍ଯ୍ୟନ୍ତ ଶ୍ରମିକମାନଙ୍କ କାର୍ଯ୍ୟ ଉପରେ କଟକଣା ଲଗାଯାଇଛି । ମାଲିକ ଓ ଠିକାଦାରମାନେ ଏନେଇ ପଦକ୍ଷେପ ନେବେ । ଏହାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ବଢ଼ିବାରେ ଲାଗିଛି ଖରାତାତି । ଆଗକୁ ତାତି ବଢ଼ିବା ସହ ପ୍ରଚଣ୍ଡ ଗ୍ରୀଷ୍ମ ଲହରର ବି ଆଶଙ୍କା ରହିଛି । ଶ୍ରମିକଙ୍କ ସୁରକ୍ଷା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ତେବେ ଜରୁରୀ କାର୍ଯ୍ୟ ଥିଲେ ଶ୍ରମିକମାନଙ୍କୁ ବିଶ୍ରାମ ଦେବା ସମ୍ଭବପର ହୋଇନଥାଏ । ଏଭଳି ସ୍ଥିତିରେ ସେମାନଙ୍କ ନିମନ୍ତେ ଶୀତଳ ପାନୀୟ ଜଳର ବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଓ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓଆରଏସ ପ୍ୟାକେଟର ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଜିଲ୍ଲା ଚିକିତ୍ସାଧିକାରୀ, ଉପଖଣ୍ଡ ଚିକିତ୍ସାଧିକାରୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୌଦ୍ରତାପର ମୁକାବିଲା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି ।