-
ଦୁର୍ଘଟଣାକୁ ନେଇ ଚିନ୍ତାରେ ମୋହନ
-
ଅଟୋ ଚାଳକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା
-
ଡ୍ରାଇଭରଙ୍କୁ ଟ୍ରେନିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏ ଘଟଣାରେ ଆହତ ହୋଇଥିବା ଛାତ୍ରୀଙ୍କ ଆଶୁ ଆରୋଗ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି । ତେବେ ‘ଆମ ବସ୍' ପରିବହନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଆମ ବସ୍ ପରିଚାଳନା ସଂସ୍ଥା କ୍ରୁଟ୍ ସହିତ ସମନ୍ୱୟ ରକ୍ଷା କରି ଏ ସମସ୍ୟାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେବାକୁ ସେ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଆମ ବସ୍ ଡ଼୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ନିୟମିତ ଟ୍ରେନିଂ ପ୍ରଦାନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଟ୍ରେନିଂ ପ୍ରକ୍ରିୟାରେ ଡ଼୍ରାଇଭରମାନଙ୍କ ଦକ୍ଷତା ସହ ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସଂପର୍କରେ ମଧ୍ୟ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଶେଷକରି, ସେମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ଟ୍ରେନିଂ ମଡ୍ୟୁଲ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହିତ ଏମଭିଆଇମାନଙ୍କ ଦ୍ୱାରା ଆମ ବସଗୁଡ଼ିକର ଫିଟନେସ ସଂପର୍କରେ ନିୟମିତ ଯାଞ୍ଚ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବସ ଫିଟନେସ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହିପରି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ନ ଘଟେ ସେଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ନିୟମିତ ଭାବେ ସମୀକ୍ଷା କରି ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।