ଚାଲି ଚାଲି ମାଉସୀ ଘରକୁ ଗଲେ ମହାପ୍ରଭୁ

ନବରଙ୍ଗପୁର/ ଚନ୍ଦାହାଣ୍ଡି  : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଫଟକି ପଞ୍ଚାୟତ ସଦର ମହକୁମାରେ ଅନୁଷ୍ଠିତ ରଥଯାତ୍ରାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଚଳିତ ବର୍ଷ ରଥ ନିର୍ମାଣ ହୋଇନପାରିବାରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭକ୍ତଙ୍କ ଗହଣରେ ଚାଲି ଚାଲି ମାଉସୀ ମା’ ମନ୍ଦିରକୁ ଯାଇଛନ୍ତି । ଯାହାକୁ ନେଇ ଜଗନ୍ନାଥପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି । 
   ଝରିଗାଁ ବନ ବିଭାଗ ରଥ ନିର୍ମାଣ ପାଇଁ ଆସୁଥିବା କାଠକୁ ଜବତ କରିବା ପରେ ରଥ ନିର୍ମାଣ ଅଟକିଥିଲା । ଗତ ଦୁଇ ମାସ ଧରି ଜବତ କାଠକୁ ଛାଡ଼ିବା ନେଇ କୌଣସି ନିଷ୍କର୍ସ ବାହାରି ନ ପାରିବାରୁ ଚଳିତ ବର୍ଷ ରଥଯାତ୍ରାରେ ଫଟକିରେ ଗଡ଼ି ପାରିନି ରଥ । ଫଟକି ଜଗନ୍ନାଥ ମନ୍ଦିର ପୂଜା କମିଟି ସଭାପତି ଦାମୋଦର ମାଝୀଙ୍କ କହିବା ଅନୁସାରେ, ଫଟକି ଗ୍ରାମରେ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେବ ରଥ ଯାତ୍ରା ପାଳନ ହୋଇ ଆସୁଛି । କୋଇଲିମୁଣ୍ଡା, ତିଲିମାଳ, ଦେଓବନ୍ଦ ସମେତ ଉପାନ୍ତ ଗ୍ରାମ ବତାଝର, ଦହିମାଲବାସୀ ରଥଯାତ୍ରାକୁ ଆସି ମହାପ୍ରଭୁଙ୍କ କୃପାଲାଭ କରୁଥିଲେ । ଶହ ଶହ ଭକ୍ତଙ୍କ ଗହଣରେ ମହାପ୍ରଭୁ ରଥାରୂଢ଼ ହୋଇ ମାଉସୀ ମା’ ମନ୍ଦିରକୁ ବିଜେ କରିଥାନ୍ତି । ବହୁ ପୁରାତନ ରଥର ନବ ନିର୍ମାଣ ପାଇଁ ଚଳିତ ବର୍ଷ ଜଙ୍ଗଲରୁ କାଠ ଅଣାଯାଉଥିଲା । ଝରିଗାଁ ବନ ବିଭାଗ ରଥ କାଠ ଗାଡ଼ିକୁ ଜବତ କରିବା ପରେ ନିର୍ମାଣ ଅଟକି ଥିଲା । ବହୁ ଅନୁରୋଧ ପରେ ବି ବନ ବିଭାଗ କାଠ ନ ଦେବାରୁ ରଥ ନିର୍ମାଣ ହୋଇପାରିଲା ନାହିଁ ବୋଲି କମିଟି ସଭାପତି ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ ଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । କିନ୍ତୁ ରଥଟଣାରୁ ବଞ୍ଚିତ ହୋଇଥିଲେ ଭକ୍ତ । ରୀତିନୀତି ଅନୁଯାୟୀ ଯୁଧିଷ୍ଠିର ମାଝୀ ଦ୍ୱାରା ପୂଜାପାଠ କରାଯିବା ପରେ ଛେରା ପହଁରା କରାଯାଇଥିଲା । ପରେ ଭକ୍ତଙ୍କ ଗହଣରେ ମହାପ୍ରଭୁ ଚାଲି ଚାଲି ମାଉସୀ ମା’ ମନ୍ଦିରକୁ ଯାଇଥିଲେ । ଏହାକୁ ଜଗନ୍ନାଥ ପ୍ରେମୀ କ୍ଷୋଭ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଜିଲ୍ଲା ପରିଷଦ ଜୋନ୍୧ ସଭ୍ୟାବର୍ଷାରାଣୀ ପଟେଲ, ସୁଶାନ୍ତ ମାଝୀ, ତହସିଲ ଜଗତ, ପଦ୍ମଲୋଚନ ମାଝୀ, ଶଶୀକାନ୍ତ ପଟେଲ, ଅମର ସିଂ ମାଝୀ, ଲିବୁଚନ ମାଝୀ, ଦେବଚନ ମାଝୀ, କୈବଲ୍ୟ ପଟେଲ ପ୍ରମୁଖ ରଥଯାତ୍ରା ପରିଚାଳନାରେ ସହେଯାଗ କରିଥିଲେ ।