ଛାତ୍ରଛାତ୍ରୀଙ୍କୁ ସିବିଏସଇର ଆଶ୍ୱସ୍ତି
ନୂଆଦିଲ୍ଲୀ : ହୋଲି ଯୋଗୁଁ ମାର୍ଚ୍ଚ ୧୫ରେ ସିବିଏସଇ ବୋର୍ଡ ପରୀକ୍ଷା ଦେଇନପାରିବା ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଚିନ୍ତାରେ ଥିଲେ । ହୋଲି ପାଇଁ ପରୀକ୍ଷା ଦେଇପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ସ୍ୱତନ୍ତ୍ର ପରୀକ୍ଷା କରିବାକୁ ଘୋଷଣା କରିଛି । ଦେଶର ଅନେକ ସ୍ଥାନରେ ହୋଲି ୧୪ ଓ ୧୫ରେ ପାଳନ କରାଯାଉଛି । ସିବିଏସଇ ଦ୍ୱାଦଶ ବୋର୍ଡ ହିନ୍ଦୀ ପରୀକ୍ଷା ସେହି ଦିନରେ ହେବାକୁ ଯାଉଛି । ଏପରି ପରିସ୍ଥିତିରେ, ଅନେକ ଛାତ୍ର ଏବଂ ଅଭିଭାବକ ଏହାକୁ ନେଇ ଚିନ୍ତିତ ଥିଲେ । ଏହାକୁ ସିବିଏସଇ ଗୁରୁତର ସହ ଗ୍ରହଣ କରି ବିକଳ୍ପ ପନ୍ଥା ବାହାର କରିଛନ୍ତି । ସିବିଏସଇ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛିଯେ, ମାର୍ଚ୍ଚ ୧୫ରେ ହେବାକୁ ଥିବା ବୋର୍ଡ ପରୀକ୍ଷା ବାତିଲ କରାଯିବ ନାହିଁ । ପରୀକ୍ଷା ଏହାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ । ଏହାର ଅର୍ଥ ହେଉଛି ପରୀକ୍ଷା କେବଳ ୧୫ ମାର୍ଚ୍ଚରେ ଅନୁଷ୍ଠିତ ହେବ । ତଥାପି, ହୋଲି ଯୋଗୁଁ ଯେଉଁ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ, ସେମାନଙ୍କୁ ପରୀକ୍ଷାରେ ଯୋଗ ଦେବା ପାଇଁ ଆଉ ଏକ ସୁଯୋଗ ଦିଆଯିବ । ମାର୍ଚ୍ଚ ୧୫ରେ ହେବାକୁ ଥିବା ପରୀକ୍ଷା ସମ୍ପର୍କରେ ସିବିଏସଇ ପକ୍ଷରୁ ସମସ୍ତ ସ୍କୁଲକୁ ନିଦେ୍ର୍ଦଶ ଜାରି କରାଯାଇଛି । ଏଥିରେ କୁହାଯାଇଛିଯେ ବୋର୍ଡ ନୀତି ଅନୁଯାୟୀ, ଜାତୀୟ କିମ୍ବା ଅନ୍ତର୍ଜାତୀୟସ୍ତରର କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତିବର୍ଷ ସ୍ୱତନ୍ତ୍ର ପରୀକ୍ଷା ଅନୁଷ୍ଠିତ ହୁଏ ।