୨ ବର୍ଷରେ ସାପ କାମୁଡ଼ାରେ ଯାଇଛି ୧୮୫୯ ଜୀବନ: ୧,୦୨୨ ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିଛି କ୍ଷତିପୂରଣ

 ଭୁବନେଶ୍ୱର : ଗତ ଦୁଇ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ସର୍ପାଘାତରେ ମୋଟ ୧,୮୫୯ ଜଣଙ୍କର ମୃତୁ୍ୟ ହୋଇଛି ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ବିଧାନସଭା ପ୍ରଶ୍ନକାଳରେ ପ୍ରକାଶ କରିଛନ୍ତି । ବସ୍ତାର ବିଜେଡି ବିଧାୟକ ସୁବାସିନୀ ଜେନାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ପାଘାତ ଯୋଗୁ ୧,୧୫୦ ଜଣଙ୍କର ମୃତୁ୍ୟ ହୋଇଥିଲା । ସେହିପରି ସୁବାସିନୀ ଜେନା ପ୍ରଶ୍ନ କରିଥିଲେ, ରାଜ୍ୟରେ ପ୍ରତିବର୍ଷ ଶହଶହ ଲୋକ ସର୍ପଦଂଶନରେ ମୃତୁ୍ୟବରଣ କରୁଛନ୍ତି ସରକାରୀ ବ୍ୟବସ୍ଥା ଅନୁସାରେ ସ୍ଥାନୀୟ ସ୍ତରରେ ରିପୋର୍ଟ ଆଧାରରେ ମୃତକଙ୍କ ପରିବାରକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସଡ଼ିଆରଏଫ ପାଣ୍ଠିରୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇଥାଏ ଓ ବିଗତ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର କେତେଜଣ ସର୍ପଦଂଶନରେ ମୃତୁ୍ୟବରଣ କରିଛନ୍ତି ଏବଂ କେତେ ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ଓ କେତେ ଜଣଙ୍କୁ ଏଥିରୁ ବାଦ୍ ଦିଆଯାଉଛି ଓ କାହିଁକି, ତାହାର ଏକ ଜିଲ୍ଲା ୱାରୀ ତାଲିକା ପ୍ରଦାନ କରିବେ କି ?
ଏହାରି ଉତ୍ତରରେ ମନ୍ତ୍ରୀ କହିଛନ୍ତି ୧,୦୨୨ ଜଣ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି, ଯାଞ୍ଚ ପରେ ୨୨ଟି ମାମଲା ପ୍ରତ୍ୟାଖ୍ୟାନ କରାଯାଇଛି, ଏବଂ ୧୦୬ଟି ମାମଲା ବିଭିନ୍ନ ସ୍ତରରେ ବିଚାରାଧୀନ ଅଛି । ସେହିପରି, ୨୦୨୪-୨୫ ଆର୍ଥିକ ବର୍ଷରେ ୭୦୯ ଜଣ ସାପ କାମୁଡ଼ା ମୃତୁ୍ୟବରଣ କରିଥିବା ରିପୋର୍ଟ କରାଯାଇଛି, ଯେଉଁଥିରୁ ୪୩୫ ଜଣ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଛି । ୮ଟି ମାମଲା ଖାରଜ କରାଯାଇଛି ଏବଂ ଡକୁ୍ୟମେଣ୍ଟ ଅଭାବରୁ ୨୬୬ଟି ମାମଲା ତହସିଲଦାର/ସବ-କଲେକ୍ଟର/କଲେକ୍ଟର ସ୍ତରରେ ବିଚାରାଧୀନ ଅଛି ।
ମନ୍ତ୍ରୀ କହିଛନ୍ତି, ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏସଡିଆରଏଫ) ନିଦେ୍ର୍ଦଶାବଳୀ ଅନୁଯାୟୀ, ରାଜ୍ୟ ସରକାର ବିପର୍ଯ୍ୟୟ ସହାୟତା ଦେୟ ଏବଂ ମନିଟରିଂ ସିଷ୍ଟମ (ଡିଏଏମପିଏସ) ପୋର୍ଟାଲ୍ ମାଧ୍ୟମରେ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରୁଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି ।