ହସ୍ତୀଦ୍ୱାର ସାମ୍ନାରେ ହେବ ଅନ୍ନଛତ୍ର : ନରେନ୍ଦ୍ର ମହଲାକୁ ଘୁଞ୍ଚିବ ଶ୍ରୀମନ୍ଦିର କାର୍ଯ୍ୟାଳୟ
ଭୁବନେଶ୍ୱର : ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ୱାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା କରୁଛନ୍ତି ସରକାର । ଏ ନେଇ ଆଜି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ୱିତୀୟ ଥର ପାଇଁ ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି । ଦିନକୁ ଦିନ ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି ଏହାକୁ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ୱାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା ହୋଇଥିବା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେପଟେ ଅଧାପଡିଥିବା କାର୍ଯ୍ୟର ଅଗ୍ରଗତି ସହ ଧ୍ୟାନ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନ ଯଜ୍ଞ ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି । ଏଥିସହ ନରେନ୍ଦ୍ର ମହଲାକୁ ଘୁଞ୍ଚିବ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ । ବର୍ତ୍ତମାନର କାର୍ଯ୍ୟାଳୟ ବନିବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଅନୁଧ୍ୟାନ ପରେ, ଆଗକୁ ଏଭଳି କିଛି ଯୋଜନା ଥିବା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆଜି ସକାଳୁ ସକାଳୁ ଗଜପତି ମହାରାଜାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଓବିସିସିର ବରିଷ୍ଠ ଅଧିକାରୀ ଓ ସଂସ୍କୃତି ଉପଦେଷ୍ଟା କମିଟି ସଦସ୍ୟମାନେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ।