ଜୁନ୍ ୨୦ରେ ଆସିବେ ମୋଦି : ଓଡ଼ିଶାରେ ୨ ଘଣ୍ଟା ରହିବେ

ଭୁବନେଶ୍ୱର : ଆଗାମୀ ଜୁନ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ  । ଅପରାହ୍ନ ୩ଟା ୪୦ରେ ଭୁବନେଶ୍ୱରରେ ପହଁଚିବାର ଥିବାବେଳେ ଅପରାହ୍ନ ୫ଟା ୫୦ରେ ଭୁବନେଶ୍ୱରରୁ ଫେରିବାର କାର୍ଯ୍ୟକ୍ରମ ରହିଛି  । ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇ ଘଣ୍ଟାର ଓଡ଼ିଶା ଗସ୍ତ ପାଇଁ ପ୍ରଶାସନ ଓ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି  ।
ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି  । ବୈଠକରେ ଆଲୋଚିତ କାର୍ଯ୍ୟସୂଚୀ ଅନୁସାରେ ୨୦ ତାରିଖ ଅପରାହ୍ଣ ୨ଟା ୫ରେ ପ୍ରଧାନମନ୍ତ୍ରୀ ୟୁପିର କୁଶୀନଗର ବିମାନବନ୍ଦରରୁ  ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଭୁବନେଶ୍ୱର ବିମାନବନ୍ଦରଠାରେ  ଅପରାହ୍ଣ  ୩ଟା ୪୦ରେ ପହଞ୍ଚିବେ  । ୩ଟା ୪୫ରୁ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ଏକ ରୋଡ ଶୋ’ରେ ଜନତା ମଇଦାନ ଯିବେ  । ୪ଟା ୧୫ରେ ଜନତା ମୈଦାନଠାରେ ପହଞ୍ଚିବେ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ଓଡ଼ିଶା ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ  ଉପଲବ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବେ  । ପ୍ରଧାନମନ୍ତ୍ରୀ ଅପରାହ୍ଣ ୫ଟା ୩୫ରେ କାର୍ଯ୍ୟକ୍ରମ ସ୍ଥଳରୁ ପ୍ରତ୍ୟାବର୍ତ୍ତନ କରିବା ସହ ୫ଟା ୫୦ରେ  ଭୁବନେଶ୍ୱର ବିମାନ ବନ୍ଦରରୁ ଫେରିବେ  । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଏସିଏସ ସତ୍ୟବ୍ରତ ସାହୁ, ଏସିଏସ ହେମନ୍ତ ଶର୍ମା, ପୁଲିସ ଡିଜି ୱାଇ.ବି.ଖୁରାନିଆଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ  ।   ବୈଠକରେ  ପ୍ରଧାନମନ୍ତ୍ରୀଙ୍କ  ଭୁବନେଶ୍ୱରରେ ପହଞ୍ଚିବା କ୍ଷଣି ସ୍ୱାଗତ, ପ୍ରତ୍ୟାବର୍ତ୍ତନ ସମୟରେ ସମ୍ବର୍ଦ୍ଧନା, ଗସ୍ତ ପରିପ୍ରେକ୍ଷୀରେ ଆବଶ୍ୟକସ୍ଥଳେ ସାମୟିକ ରହଣି ପାଇଁ ରାଜଭବନରେ ବ୍ୟବସ୍ଥା  ସଂପର୍କରେ  ଆଲୋଚନା କରାଯାଇଥିଲା  । ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ  ଏବଂ ଆଇଜି ପୁଲିସ୍  ସାମଗ୍ରିକ ଭାବେ ସୁରକ୍ଷା ବ୍ୟବସ୍ଥା ତଦାରଖରେ ରହିବେ  । ଭୁବନେଶ୍ୱର ଅଞ୍ଚଳରେ କମିଶନରେଟ୍  ପୁଲିସ ସୁରକ୍ଷା ଦାୟିତ୍ୱରେ  ରହିବେ  ।  ବୈଠକରେ ଅଗ୍ନିଶମ ସେବା ବିଭାଗ ତରଫରୁ ଆନୁଷଙ୍ଗିକ ପ୍ରସ୍ତୁତି, ପ୍ରେସ ସମନ୍ୱୟ, ଡିସିପିଙ୍କ ପକ୍ଷରୁ କାରକେଡ୍ ପ୍ଲାନ୍, ସ୍ୱାସ୍ଥ୍ୟ ଓ ମେଡିକାଲ କେୟାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଆବଶ୍ୟକ ରାସ୍ତା ମରାମତି,  ପରିମଳ ବ୍ୟବସ୍ଥା, ସଭାମଞ୍ଚ ପ୍ରସ୍ତୁତି,  ଆବଶ୍ୟକ ପାସ୍ ବ୍ୟବସ୍ଥା, ଗଣମାଧ୍ୟମରେ   କାର୍ଯ୍ୟକ୍ରମ ସ୍ଥଳରେ ଇଣ୍ଟରନେଟ୍ ସୁବିଧା ଆଦି କରାଯିବ  । ଅତିରିକ୍ତ ଶାସନ ସଚିବ, ଗୃହ (ପ୍ରୋଟକଲ)ଙ୍କ  ତତ୍ତ୍ୱାବଧାନରେ ସବୁଥର ଭଳି ଏଥର ମଧ୍ୟ  ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟକରିବ ବୋଲି ବୈଠକରୁ ଜଣାଯାଇଛି  । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏସପିଜି ପକ୍ଷରୁ ରୁଟ୍ ଲାଇନ ଯାଞ୍ଚ କରାଯାଇଛି  ।  ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତୀୟ ସମୀକ୍ଷା ବୈଠକରେ ଏସ୍ପିଜି, କମିଶନରେଟ୍ ପୁଲିସ, ଅଗ୍ନିଶମ ବାହିନୀ, ବିମାନବନ୍ଦର ନିଦେ୍ର୍ଦଶକ, ଏକାମ୍ର ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ  ।