ତୁରନ୍ତ ପିଲାଜନ୍ମ କର: ଏମ୍କେ ଷ୍ଟାଲିନ୍ ଜନସଂଖ୍ୟା ବୃଦ୍ଧି ସଂସଦୀୟ କ୍ଷେତ୍ର ନିର୍ଦ୍ଧାରଣକୁ ମାତ୍ ଦେବ

 ଚେନ୍ନାଇ: ନବ ଦମ୍ପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ତୁରନ୍ତ ପିଲାଛୁଆ ଜନ୍ମ କର, ନଚେତ ଆଗାମୀ ଦିନରେ ଆମକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ତାମିଲନାଡ଼ୁ ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ଏଭଳି ବୟାନ ଏବେ ରାଜ୍ୟ ରାଜନୀତିରେ କୌତୁହଳର ବିଷୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ରାଜ୍ୟରେ ସଫଳତା ପାଇଥିବା ବନ୍ଧ୍ୟାକରଣ ଯୋଜନାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ସେ କହିଛନ୍ତି ଯେ, “ଏଇ ନିକଟରେ ମୁଁ କହିଥିଲି ଛୁଆ ଜନ୍ମ ପାଇଁ ସମୟ ନିଅ; କିନ୍ତୁ ବର୍ତ୍ତମାନ ସଂସଦୀୟ କ୍ଷେତ୍ର ନିର୍ଦ୍ଧାରଣକୁ ନେଇ ଯେଉଁ ପରିସ୍ଥିତି ଉପୁଜିଛି ନବଦମ୍ପତିଙ୍କୁ ତୁରନ୍ତ ଅଧିକରୁ ଅଧିକ ପିଲା ଜନ୍ମ କରିବା ପାଇଁ କହିବାକୁ ମୁଁ ବାଧ୍ୟ ହେଉଛି ।” ଜନସଂଖ୍ୟା ଆଧାରରେ ସଂସଦୀୟ କ୍ଷେତ୍ର ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ରାଜ୍ୟର ପ୍ରତି କୋଣ ଅନୁକୋଣରେ ଜନସଂଖ୍ୟା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଆସନ୍ତା ୫ ତାରିଖରେ ସଂସଦୀୟ କ୍ଷେତ୍ର ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ଷ୍ଟାଲିନ୍ ସର୍ବଦଳୀୟ ବୈଠକ ଡାକିଥିବା ବେଳେ ବୈଠକ ଅବ୍ୟବହିତ ପୂର୍ବରୁ ତାଙ୍କର ଏଭଳି ବୟାନ ତାମିଲନାଡ଼ୁ ରାଜନୀତିକୁ ଉଷ୍ଣ କରିଛି । ସେ କହିଛନ୍ତି ଯେ, ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକ କୌଣସି ଦଳୀୟ କିମ୍ବା ବ୍ୟକ୍ତିବିଶେଷଙ୍କ ପାଇଁ ନୁହେଁ ବରଂ ଏହା ରାଜ୍ୟର ସ୍ୱାର୍ଥସାଧନ ଲାଗି ଉଦ୍ଧିଷ୍ଟ । ଏଣୁ ସମସ୍ତ ରାଜନେତାମାନେ ନିଜ ନିଜର ବ୍ୟକ୍ତିଗତ ରାଗ, ହିଂସାକୁ ବାଦ ଦେଇ ବୈଠକରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି । ନିର୍ବାଚନ ଅଧିକାରୀଙ୍କ ନିକଟରେ ରାଜ୍ୟର ୪୦ଟି ଦଳ ନିଜକୁ ପଞ୍ଜୀକୃତ କରିଥିବା ବେଳେ ସମସ୍ତ ଦଳୀୟ ନେତାଙ୍କୁ ଏଥିରେ ଭାଗ ନେବାକୁ ସେ ଅନୁରୋଧ କରିଛନ୍ତି । ଏ ଅବସରରେ ସେ ପୁଣି ‘ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକ ଉପରେ ଖଣ୍ଡା ଝୁଲୁଛି’ ପ୍ରସଙ୍ଗ ଉଠାଇ ସମସ୍ତ ଦଳୀୟ ନେତାଙ୍କୁ ନିଜର ଅଭିମାନ ଛାଡ଼ି ବୈଠକରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ।