ୟୁଏଇରେ ଭାରତୀୟ ମହିଳାଙ୍କୁ ଫାଶୀ : ୪ମାସର ଶିଶୁ ମୃତୁ୍ୟ ପାଇଁ ଦଣ୍ଡ

 ନୂଆଦିଲ୍ଲୀ:  ଆବୁଧାବିରେ ଏକ ୪ମାସର ଶିଶୁକୁ ହତ୍ୟା ଅଭିଯୋଗରେ ଜଣେ ଭାରତୀୟ ମହିଳାଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି । ଫାଶୀ ଦଣ୍ଡାଦେଶ ପାଇଥିବା ମହିଳା ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ବଣ୍ଡା ଜିଲ୍ଲାର ଶେହଜାଦୀ ଖାନ୍ (୩୩) । ମହିଳାଙ୍କ ସୁରକ୍ଷା ପାଇଁ ତାଙ୍କ ପିତା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜରିଆରେ  ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ୍ ଦାୟର କରିଥିବା ବେଳେ ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମା କୋର୍ଟଙ୍କୁ ମାମଲାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । କୋର୍ଟଙ୍କୁ ସେ ଅବଗତ କରିଥିଲେ ଯେ, ଶେହଜାଦୀଙ୍କୁ ଗତ ଫେବ୍ରୁଆରୀ ୧୫ରେ ଫାଶୀ ଦିଆଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛିଏବଂ ଅନ୍ତିମ ସଂସ୍କାର ପାଇଁ ମାର୍ଚ୍ଚ ୫କୁ ତାରିଖ ଧାର୍ଯ୍ୟ କରାଯାଇଛି । ୪ ମାସୀୟ ଶିଶୁକୁ ନିୟମିତ ଟିକାକରଣରେ ଅବହେଳା ଯୋଗୁଁ ଶିଶୁର ମୃତୁ୍ୟ ଅଭିଯୋଗରେ ଶେହଜାଦୀ ଫେବ୍ରୁଆରୀ ୧୦, ୨୦୨୩ରେ ଆବୁଧାବି ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଜୁଲାଇ ୩୧, ୨୦୨୩ରେ ତାଙ୍କୁ ମୃତୁ୍ୟଦଣ୍ଡ ଦିଆଯାଇଥିଲା ଏବଂ ତାଙ୍କୁ ଅଲ୍ ୱାଥବା ଜେଲରେ ରଖାଯାଇଥିଲା । ସମ୍ପୂର୍ଣ୍ଣ ମାମଲା ବିଷୟରେ କୋର୍ଟ ଅବଗତ ହେବା ପରେ ଜଷ୍ଟିସ୍ ସଚିନ ଦତ୍ତ ଏହାକୁ "ଅତ୍ୟନ୍ତ ଦୁର୍ଭାଗ୍ୟଜନକ’ ବୋଲି କହିଥିଲେ । ଶେହଜାଦୀଙ୍କ ବାପା ଶବିର ଖାନ କହିଛନ୍ତି ଯେ ତାଙ୍କ ଝିଅ ଶେହଜାଦିଙ୍କ ସ୍ଥିତି ଜାଣିବା ପାଇଁ ସେ ଅନେକ ଥର ବୈଦେଶିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । କିନ୍ତୁ ସମସ୍ତ ପ୍ରୟାସ ବ୍ୟର୍ଥ ଯାଇଥିଲା । ଆବେଦନରେ ସେ ଅଭିଯୋଗ କରିଛନ୍ତି ଯେ ଶେହଜାଦୀଙ୍କୁ ଶିଶୁହତ୍ୟା ମାମଲାରେ ସ୍ଥାନୀୟ କୋର୍ଟ ସମ୍ମୁଖରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ପୂର୍ଣ୍ଣ ସୁଯୋଗ ଦିଆଯାଇ ନଥିଲା ଏବଂ ଅପରାଧ ସ୍ୱୀକାର କରିବାକୁ ତାଙ୍କ ଉପରେ ଚାପ ପକାଯାଇଥିଲା । ଯାହା ଫଳରେ ତାଙ୍କୁ ଆଜି ମୃତୁ୍ୟଦଣ୍ଡ ଦିଆଯାଇଛି ।
ସୂଚନାଯୋଗ୍ୟ ଶେହଜାଦୀ ଡିସେମ୍ବର ୨୦୨୧ରେ ଏକ ବୈଧ ଭିସା ସହିତ ଆବୁଧାବି ଯାଇଥିଲେ । ଅଗଷ୍ଟ ୨୦୨୨ରେ ସେଠାରେ ଜଣେ ବ୍ୟକ୍ତିଙ୍କ ନବଜାତକ ପୁତ୍ରସନ୍ତାନର କେୟାର୍ଟେକର୍ ଭାବେ ନିଯୁକ୍ତି ପାଇଥିଲେ । ଶିଶୁଟିକୁ ନିୟମିତ ଟିକାକରଣ ଅନୁଯାୟୀ ଡିସେମ୍ବର ୭, ୨୦୨୨ରେ ମଧ୍ୟ ଶିଶୁକୁ ଟିକା ଦିଆଯାଇଥିଲା ଏବଂ ସେହି ସନ୍ଧ୍ୟାରେ ଶିଶୁର ମୃତୁ୍ୟ ହୋଇଥିଲା । ଆବେଦନକାରୀଙ୍କ ଅନୁଯାୟୀ, ଶିଶୁଟିର ପିତାମାତା ପୋଷ୍ଟମର୍ଟମ୍ ପରୀକ୍ଷା କରିବାକୁ ମଧ୍ୟ ମନା କରିଦେଇଥିଲେ ।