ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ ଶୁଭାରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହା କେବଳ ଏକ ଅଭିଯାନ ନୁହେଁ ବରଂ ଆମର ଯୁବଶକ୍ତି, ସମାଜ ଓ ରାଷ୍ଟ୍ର ପ୍ରତି ଏକ ଦୃଢ଼ ସଂକଳ୍ପ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ନୂତନ ଚିନ୍ତାଧାରା ଓ ମୂଲ୍ୟବୋଧ ସୃଷ୍ଟିର ଏକ ସଶକ୍ତ କେନ୍ଦ୍ର। ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଶା ସେବନ ଭଳି ଏକ ଗମ୍ଭୀର ଚ୍ୟାଲେଞ୍ଜର ସମାଧାନ ପାଇଁ ନିଆଯାଇଥିବା ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଅଭିଯାନ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଯୁବ-କୈନ୍ଦ୍ରିକ ଆହ୍ୱାନର ସମାଧାନ ଦିଗରେ ଏକ ସଫଳ ପଦକ୍ଷେପ ଗ୍ରହଣ କରିଛି ।
ଶ୍ରୀ ପ୍ରଧାନ କହିଛନ୍ତି, ନିଶା କେବଳ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ବରଂ ଏହା ଦେଶର ଭବିଷ୍ୟତ ତଥା ଦକ୍ଷ ନାଗରିକ ଗଠନ ପଥରେ ଏକ ବଡ଼ ବିପଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବିକଶିତ ଭାରତ’ର ସ୍ୱପ୍ନ ସେତେବେଳେ ସଫଳ ହେବ, ଯେତେବେଳେ ଆମର ଯୁବପିଢ଼ି ସୁସ୍ଥ, ସଚେତନ, ଆତ୍ମନିର୍ଭର ହେବା ସହ ସମାଜରେ ସକରାତ୍ମକ ପରିବର୍ତ୍ତନ ପାଇଁ ଉଦ୍ଦେଶ୍ୟ ରଖିବେ । ‘ବିକଶିତ ଭାରତ’ର ମାର୍ଗ ‘ନିଶାମୁକ୍ତ ଯୁବଶକ୍ତି’ ଦେଇ ହିଁ ଗତି କରିଥାଏ । ଏହି ଦୂରଦର୍ଶୀ ଏବଂ ପ୍ରେରଣାଦାୟୀ ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇବା ସହ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରି ଏହାକୁ ଏକ ‘ଜନ-ଆନ୍ଦୋଳନ’ରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ‘ନିଶାମୁକ୍ତ ପରିସର ଅଭିଯାନ’ ଅଧୀନରେ ଏକ ସ୍ୱତନ୍ତ୍ର ଇ-ଶପଥ ପ୍ଲାଟଫର୍ମ ଓ ମୋବାଇଲ୍ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ କରିଛନ୍ତି ।
Samir Kumar Rout