ଶିଶିର ମେଳାରେ ଉଡ଼ିବ ଗୁଡ଼ି

ଶିଶିର ମେଳାରେ ଉଡ଼ିବ ଗୁଡ଼ି

ଭୁବନେଶ୍ୱର : ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଇବାର ପୁରୁଣା ଲୋକପରମ୍ପରା, ଆନନ୍ଦ ଓ ଉତ୍ସବର ମାହୋଲକୁ ନୂଆ ପିଢ଼ି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଓରମାସ ଓ ସୁଭଦ୍ରା ଶକ୍ତି ପକ୍ଷରୁ ‘ଶିଶିର ସରସ-୨୦୨୬’ ମେଳା ପରିସରରେ ବୁଧବାର ଏକ ବିଶେଷ ‘କାଇଟ୍‌ ଶୋ'ର ଆୟୋଜନ କରାଯିବ । ଏହି ‘କାଇଟ୍‌ ଶୋ’ ଅପରାହ୍ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ, ଯେଉଁଠାରେ ପାରମ୍ପାରିକ ଓ ଆଧୁନିକ ଡିଜାଇନର ବିଭିନ୍ନ ପ୍ରକାର ଗୁଡ଼ିରେ ଆକାଶ ରଙ୍ଗୀନ ହେବ ।

   ଏହା ସହ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଗୁଡ଼ି ତିଆରି କଳାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ ବିଶେଷ କର୍ମଶାଳା ମଧ୍ୟ ଆୟୋଜିତ ହେବ, ଯେଉଁଠାରେ ଶିଶୁ ଓ ଯୁବପିଢ଼ି ପାରମ୍ପାରିକ ଓ ସୃଜନାତ୍ମକ ଗୁଡ଼ି ତିଆରିର ପ୍ରାୟୋଗିକ ଜ୍ଞାନ ଅର୍ଜନ କରି, ନିଜେ ତିଆରି କରିଥିବା ଗୁଡ଼ି ଉଡ଼ାଇ ମକର ପର୍ବର ଆନନ୍ଦ ଉଠାଇବେ । ଏମାନଙ୍କ ମଧ୍ୟରୁ ଦକ୍ଷ ଗୁଡ଼ି ଉଡାଳିଙ୍କୁ ନେଇ ଗୁରୁବାର ଦିନ ଏକ ପ୍ରତିଯୋଗିତା ଆୟୋଜିତ ହେବ । ଓରମାସର ଏହି ଉଦ୍ୟମକୁ ମନ୍ତ୍ରୀ ରବି ନାରାୟଣ ନାଏକ ସ୍ୱାଗତ କରିଛନ୍ତି । ରାଜଧାନୀବାସୀଙ୍କୁ ମେଳାରେ ଯୋଗଦେଇ ମକର ସଂକ୍ରାନ୍ତିକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏହି ମେଳାରେ କେବଳ ଓଡ଼ିଆ ସଂସ୍କୃତି ନୁହେଁ, ଦେଶର ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଆପଣାଇବାର ପ୍ରୟାସ କରାଯାଉଛି ।