ଦୁଇଗୁଣା ବଢ଼ିଲା ପୁଲିସ କର୍ମଚାରୀଙ୍କ ପୋଷାକ ଭତ୍ତା 

ଦୁଇଗୁଣା ବଢ଼ିଲା ପୁଲିସ କର୍ମଚାରୀଙ୍କ ପୋଷାକ ଭତ୍ତା 

ଭୁବନେଶ୍ୱର: ରାଜ୍ୟ ପୁଲିସ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପୁଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି  । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି  । ଏହି ନିଷ୍ପତ୍ତି ଅନୁଯାୟୀ କନେଷ୍ଟବଳ ଠାରୁ ଇନ୍‌ସ୍ପେକ୍ଟର ପର୍ଯ୍ୟନ୍ତ ପୁଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ୱିଗୁଣିତ ହୋଇଛି  । ଇନ୍‌ସ୍ପେକ୍ଟରମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ରୁ ୮୬୦୦ ଟଙ୍କା, ସବ୍‌ଇନ୍‌ସ୍ପେକ୍ଟର ଓ ଏଏସ୍‌ଆଇଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହିଙ୍କ ପାଇଁ ୫୦୦୦ ରୁ ୧୦,୦୦୦ ଟଙ୍କା  ଏବଂ ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି  । ଏହି ପଦବୀର ସମାନ ର‍୍ୟାଙ୍କ୍‌ର କର୍ମଚାରୀ ଓ ଅଧିକାରୀଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ପ୍ରଦାନ କରାଯିବ  । 
ସେହିପରି କନେଷ୍ଟବଳ, ସିପାହି ଓ ସମାନ ର‍୍ୟାଙ୍କ୍‌ର କର୍ମଚାରୀଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାସହ ହାବିଲଦାର ଓ ସମାନ ର‍୍ୟାଙ୍କର କର୍ମଚାରୀଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ଏହି ଭତ୍ତା ଓ ପ୍ରୋତ୍ସାହନ ରାଶିରେ ବୃଦ୍ଧି ହେବା ପରେ କନେଷ୍ଟବଳ, ହାବିଲଦାର ଓ ସିପାହି ସଂଘର କର୍ମକର୍ତ୍ତାମାନେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି  । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂଘର କର୍ମକର୍ତ୍ତାମାନଙ୍କୁ ଦକ୍ଷତାର ସହ ଆଗାମୀ ଦିନଗୁଡିକରେ କାର୍ଯ୍ୟ କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ବୈଠକରେ ଉପସ୍ଥିତ ସମସ୍ତ ପୁଲିସ ସେବା କର୍ମଚୀରୀଙ୍କୁ ରାଜ୍ୟବାସୀଙ୍କ ଆଶା ଓ ଭରସାର ମାନ ରଖି ଓଡିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାରେ ନିଜର ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ  । ବିଶେଷ କରି ଅସହାୟମାନେ କିଭଳି ଯଥାଶୀଘ୍ର ସହାୟତା ପାଇବେ, ଅସୁରକ୍ଷିତ ଲୋକେ କିଭଳି ତୁରନ୍ତ ସୁରକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦେବା ଓ ସମସ୍ତ ପୁଲିସ ଷ୍ଟେସନରେ ତୁରନ୍ତ ଏଫ୍‌ଆଇଆର୍‌ ଗ୍ରହଣ ଏବଂ ସେହି ଏଫ୍‌ଆଇଆର୍‌ ଉପରେ କିଭଳି ଠିକ୍‌ ସମୟରେ ତଦନ୍ତ କରାଯିବ, ସେଥିପ୍ରତି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏବେ ରାଜ୍ୟ ପୁଲିସ ବାହିନୀରେ ୧୬ ହଜାର ପଦବି ଖାଲିଥିବା ବେଳେ ୧୬୦୫୯ ନୂଆ ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ନିଆଯାଇଛି । ଏସବୁ ପଦବି ପୂରଣ ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୁଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ । ଏହାସହ ପୁଲିସ ବାହିନୀକୁ ଅଧିକ ଦକ୍ଷ କରିବା ପାଇଁ ଅଧିକାରୀମାନେ ଅନ୍ୟ ରାଜ୍ୟକୁ ଯାଇ ସେଠାକାର ପରିଚାଳନା ପଦ୍ଧତିକୁ ଅନୁସରଣ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ  । ବୈଠକରେ ପୁଲିସ ଡିଜି ୱାଇ. ବି. ଖୁରାନିଆ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । କନଷ୍ଟେବଳ, ହାବିଲଦାର ଓ ସିପାହୀ ମହାସଂଘର ସଭାପତି ଅନିଲ ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସଂପାଦକ କିଶୋର ମହାନ୍ତି ଓ ଅନ୍ୟ ସଦସ୍ୟ ମାନେ ବୈଠକରେ ଉପସ୍ଥିତ ରହିଥିଲେ ।