ଧର୍ମେନ୍ଦ୍ରଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନ: ଭାରତ-ୟୁଏଇ ଶିକ୍ଷା ସମ୍ପର୍କରେ ନୂଆ ଅଧ୍ୟାୟ

 ଭୁବନେଶ୍ୱର : ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ୟୁଏଇର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅବଦୁଲ ରେହମାନ ଅଲ ଆୱାରଙ୍କ ଉପସ୍ଥିତିରେ ଦୁବାଇର ଯୁବରାଜ ଶେଖ୍ ହମଦାନ୍ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମ୍ଙ୍କ କରକମଳରେ ଆଇଆଇଏମ, ଅହମ୍ମଦବାଦର ଦୁବାଇ କ୍ୟାମ୍ପସ ଉଦଘାଟନ ହୋଇଯାଇଛି  । ଏହି ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିକଳ୍ପିତ ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏହା ଆଉ ଏକ ବଡ଼ ପଦକ୍ଷେପ  । ଏହି ନୂଆ କ୍ୟାମ୍ପସ ବିଶ୍ୱକୁ ଭାରତର ନୂଆ ପରିଚୟ ପ୍ରଦାନ କରିବ  । ଏହି ଅନ୍ତର୍ଜାତୀୟ କ୍ୟାମ୍ପସ୍ ଜାତୀୟ ଶିକ୍ଷା ନୀତିରେ କଳ୍ପନା କରାଯାଇଥିବା ‘ଆତ୍ମାରେ ଭାରତୀୟ, ଆଉଟଲୁକରେ ବିଶ୍ୱ’ ନୀତିକୁ ଏକ ସର୍ବୋତ୍ତମ ଲଞ୍ଚପ୍ୟାଡ୍ ପ୍ରଦାନ କରିଛି  । ଏହି କ୍ୟାମ୍ପସ ଭାରତ-ୟୁଏଇ ଶିକ୍ଷା ସମ୍ପର୍କରେ ଏକ ଗୌରବମୟ ଅଧ୍ୟାୟ ଯୋଡିହୋଇଛି  । ଏହା ପୂର୍ବରୁ ଶ୍ରୀ ପ୍ରଧାନ ୟୁଏଇର ଉଚ୍ଚଶିକ୍ଷା ଏବଂ ବୈଜ୍ଞାନିକ ଗବେଷଣା ମନ୍ତ୍ରୀ ଡକ୍ଟର ଅବଦୁଲ ରେହମାନ ଅଲ ଆୱାରଙ୍କ ସହିତ ଏକ ସାକ୍ଷାତ୍ ଆଲୋଚନା କରିଥିଲେ  । ଉଚ୍ଚଶିକ୍ଷାରେ ଦୁଇ ଦେଶର ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରାଯିବା ସହ ଦୁଇ ଦେଶର ଜ୍ଞାନ ସେତୁକୁ ମଜଭୂତ୍ କରିବା ଉପରେ ଆଲୋଚନା ହୋଇଥିଲା  ।ଦୁବାଇରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ସହଯୋଗୀ ହୋଇଥିବାରୁ ଶ୍ରୀ ପ୍ରଧାନ ୟୁଏଇର ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ୟୁଏଇରେ ଭାରତୀୟ ଉଚ୍ଚ ଶିକ୍ଷାନୁଗୁଡ଼ିକର ଏକ ଗୋଲଟେବୁଲ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ ଶ୍ରୀ ପ୍ରଧାନ  । ଉଚ୍ଚ ଶିକ୍ଷାନୁଷ୍ଠାନର ଲିଡରମାନଙ୍କ ସହ ଶ୍ରୀ ପ୍ରଧାନ ଭବିଷ୍ୟତ ପାଇଁ ଥିବା ସେମାନଙ୍କର ଆଭିମୁଖ୍ୟ ଏବଂ ଯୋଜନା ବିଷୟରେ ଆଲୋଚନା କରିଥିଲେ  । ଏହି ଅବସରରେ ୟୁଏଇରେ ଥିବା ଭାରତୀୟ ସ୍କୁଲଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବର ମଧ୍ୟ ଶୁଭାରମ୍ଭ କରିଛନ୍ତି  ।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସରେ କେମିକାଲ ଇଞ୍ଜିନିୟରିଂ ଓ ଏନର୍ଜି ଏବଂ ସଷ୍ଟେନବିଲିଟି ବିଷୟରେ ବି.ଟେକ୍ ଏବଂ ପିଏଚ.ଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବିଦେଶରେ ସର୍ବପ୍ରଥମ ଅଟଳ ଇନକୁ୍ୟବେସନ୍ ସେଣ୍ଟରର ଉଦଘାଟନ କରିଥିଲେ  ।