ନାହିଁ ପାର୍କିଂ ସ୍ଥାନ, ସାଧାରଣରେ ଅସନ୍ତୋଷ

 କାକଟପୁର : କାକଟପୁର ମୁଖ୍ୟ ବଜାରରେ ନିର୍ଦ୍ଧିଷ୍ଟ ପାର୍କିଂ ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ପୂଜା ବଜାର ସମୟରେ ଭିଡ଼ ବଢିଥିବାବେଳେ, ଲୋକମାନେ ଗାଡ଼ି ରାସ୍ତା ସାଇଡ୍ରେ ରଖୁଥିବା ସମୟରେ, ପୁଲିସ ଗାଡ଼ିର ନମ୍ବର ପ୍ଲେଟ ଫଟୋ ଧରି ଇ-ଚାଲାଣ କାଟୁଥିବା ଦେଖାଯାଇଛି । ପୁଲିସ କାର୍ଯ୍ୟକଳାପ ଆଇନ ସମ୍ମତ  । ନିୟମ ଅନୁଯାୟୀ ସଡ଼କରେ କିମ୍ବା ସଡ଼କ ପାଖରେ ଗାଡ଼ି ରଖି, ଯାତାୟାତକୁ ବାଧା କିମ୍ବା ବିପଦ ସୃଷ୍ଟି କରିବା ଆଇନ ସପକ୍ଷ ନୁହେଁ  । ରାସ୍ତାରେ ଅବରୋଧ ସୃଷ୍ଟି କରିଲେ, ପୁଲିସ ଚାଲାଣ କାଟିବା ସହିତ ଗାଡ଼ି ଉଠାଇ ନେବା  ପର୍ଯ୍ୟନ୍ତ ଅଧିକାର ରଖିଥାଏ । ତେଣୁ, ମୁଖ୍ୟ ରାସ୍ତାରେ ଗାଡ଼ି ପାର୍କିଂ କରିବା ବେନିୟମ  । ସେହିପରି, ପୋଲିସ ଚାଲାଣ କାଟିବା ସମ୍ପୂର୍ଣ ଆଇନ ସମ୍ମତ । କାକଟପୁରରେ ପାର୍କିଂ ବ୍ୟବସ୍ଥାର ଅଭାବ ହେତୁ, ଏପରି ଅସନ୍ତୋଷ ସାଧାରଣରେ ସୃଷ୍ଟି ହେଉଛି  । ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥାନ ଚିହ୍ନଟ ହୋଇନଥିବାରୁ, ସାଧାରଣ ଲୋକ ବାଧ୍ୟ ହୋଇ ରାସ୍ତା ସାଇଡ୍ରେ ଗାଡ଼ି ରଖୁଛନ୍ତି । ଏହାର ପରିଣାମ ଟ୍ରାଫିକ୍ ଜାମ୍ ସମସ୍ୟା, ଆମ୍ବୁଲାନ୍ସ ଫସିଯିବା, ଦୁର୍ଘଟଣା ଘଟିବା ପରି ଦୃଶ୍ୟ ସାମ୍ନାକୁ ଆସୁଛି  । କିନ୍ତୁ ଚାଲାଣ କାଟିବା ଦ୍ୱାରା ଜରିମାନା ପ୍ରତି ଗ୍ରାମାଞ୍ଚଳ ଲୋକମାନଙ୍କ ଅସନ୍ତୋଷ ସୃଷ୍ଟି ହେଉଛି  । ପ୍ରଶାସନ ତୁରନ୍ତ  ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥାନ ଚିହ୍ନଟ କରିବାକୁ ଦାବି ହୋଇଛି ।