ନିମୁହିଁ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଦାବି

 ସୋନପୁର : ସୋନପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ବୃନ୍ଦ ସୋନପୁର ଉପ-ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ ନିମୁହିଁ ମନ୍ଦିରକୁ ଐତିହ୍ୟ ପୀଠର ମାନ୍ୟତା ସହ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ନିମନ୍ତେ ଏକ ଦାବିପତ୍ର  ପ୍ରଦାନ ସହ ଉକ୍ତ ପୀଠ ବିଷୟରେ ରହିଥିବା ଇତିହାସ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଯାଇଥିଲା । ଉକ୍ତ ପୀଠଟି ଐତିହାସିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱ ବହନ କରେ । ତେଣୁ ଏହି ପୀଠର ଉନ୍ନତି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରାଯାଇଛି । ଏହି ମନ୍ଦିର ମହାରାଜ ବୀରମିତ୍ର ସିଂଦେଓ ନିର୍ମାଣ କରିଥିଲେ । ଏହି ପୁରାତନ ମନ୍ଦିର ଯୁଗଳ ଅହି ମାଣିକ୍ୟ ଓ ଶିଶି ସେଣା ମିଳନ ଓ ବିଚ୍ଛେଦ କାହାଣୀର କଥା କହିଅଛି । ତନ୍ତ୍ର କୁମାରୀ ମଦନା ମାଳୁଣୀର ତନ୍ତ୍ର ସହିତ ଏହି ମନ୍ଦିର ସଂପର୍କିତ । ଏହି ମନ୍ଦିରର ଦ୍ୱାର ନ ଥିବାରୁ ନିମୁହିଁ ମନ୍ଦିରର କୁହାଯାଇଥାଏ  । ମନ୍ଦିର ମାଳିନୀ ସୋନପୁର ସହରର କେନ୍ଦ୍ରସ୍ଥଳୀରେ ନିମୁହିଁ ମନ୍ଦିର ଅବସ୍ଥିତ । ଏବେ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଛୋଟ ସ୍ଥାନରେ କାରୁକାର୍ଯ୍ୟ ସଂପୂର୍ଣ୍ଣ ଏହି ସାନ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳ ସୌନ୍ଦର୍ଯ୍ୟ କରଣ କରିବାକୁ ଦାବି କରାଯାଇ ଅଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର, ଗୁଣନିଧି ମେହେରଙ୍କ ସମେତ ବାଙ୍କାନିଧି ରାୟଗୁରୁ, ମହେଶ ପୂଝାରୀ, ଅକ୍ଷୟ କୁମାର ସେଠୀ, ଦୁଃଖିରାମ ନାୟକ, ସୂର୍ଯ୍ୟ ନାରାୟଣ ଦାସ, ଶେଷଦେବ ପଟ୍ଟନାୟକ, ପ୍ରଦୀପ ପୁରୋହିତ, ଜ୍ୟୋତିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।