ନିମ୍ନମାନର କାର୍ଯ୍ୟ, ଫାଟିଲା ପୋଲ
ଭୁବନେଶ୍ୱର :ଭବାନୀପାଟଣାରୁ ବୋରିଗୁମ୍ମାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଚିଲିଗୁଡା ଗ୍ରାମ ନିକଟରେ ଥିବା ମୁଣ୍ଡୁରା ନଦୀ ପୋଲ ନିମ୍ନମାନର କାମ ଯୋଗୁଁ ବାରମ୍ୱାର ଫାଟ ସୃଷ୍ଟି ହେଉଛି । ଯଦ୍ୱାରା ଯାତ୍ରୀବାହୀ ହେଉ ଅବା ଭାରିଯାନ ପ୍ରତିଟି ମୁହୂର୍ତ୍ତରେ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ଏହି ରାସ୍ତା ଦେଇ ଦିନକୁ ଦିନ ଯାନବାହାନ ଚଳାଚଳ ବୃଦ୍ଧି ପାଉଥିବା ବେଳେ ଅମାନିଆଙ୍କ ଗାଡ଼ିର ବେଗରେ ମଧ୍ୟ ଅଙ୍କୁଶ ଲାଗୁନି । ତା’ ଉପରେ ରାସ୍ତାର ଏଭଳି ଅବସ୍ଥା । ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ପୁରୁଣା ପୋଲକୁ ଗତ କିଛି ବର୍ଷ ତଳେ ଭାଙ୍ଗି ନୂତନ ପୋଲ ନିର୍ମାଣ କରାଗଲା । ତେବେ ସେହି ସମୟରେ ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା ଓ ବିଭାଗୀୟ ଯନ୍ତ୍ରୀ ମିଲିଭଗତରେ ପୋଲ ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର କରି କାମ ସାରି ଦେଇଥିବା ଜଣାପଡିଛି । ଯାହାଦ୍ୱାରା ଏବେ ଏହି ପୋଲର ସ୍ଲାବ ଜଏଣ୍ଟ ସ୍ଥାନରେ ଲାଗିଥିବା ଲୁହା ରେଲିଂ ସବୁ ଦୁର୍ବଳ ସହ ଫାଟ ସୃଷ୍ଟି ହୋଇ ଦୁର୍ଘଟଣାର କାରଣ ସାଜିଛି । ପୂର୍ବରୁ ମଧ୍ୟ ଉକ୍ତ ପୋଲ ଦୁର୍ବଳ ସହ ଫାଟ ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ତରବରିଆ ଭାବେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ହୋଇଥିଲା । ଏବେ ପୁଣି ପୋଲର ଏଭଳି ମରାମତି କାର୍ଯ୍ୟ ମଧ୍ୟ ନିମ୍ନମାନର ହୋଇଥିବା ଓ ପୋଲର ସ୍ଥାୟିତ୍ୱକୁ ନେଇ ଅଞ୍ଚଳର ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି ।