ନୂଆପଡ଼ାକୁ ଧୋକା ଦେଇଛି ବିଜେଡ଼ି

ନୂଆପଡ଼ାକୁ ଧୋକା ଦେଇଛି ବିଜେଡ଼ି
  • ମୋହନଙ୍କ ଦମଦାର ଶକ୍ତି ପ୍ରଦର୍ଶନ
  • ୭ କିଲୋମିଟର ବିଶାଳ ରୋଡ଼ଶୋ’
  • କୋମନାରେ ବିରାଟ ଜନ ସମାବେଶ
  • ନବୀନଙ୍କୁ ମାରିଲେ ‘ବେଇମାନି’ ବାଣ
  • ନୂଆପଡ଼ାରେ କ’ଣ ବିଜେଡ଼ି ନେତା ନଥିଲେ କି ?

ଭୁବନେଶ୍ୱର : ଯେଉଁ କୋମନାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଶାଳ ସମାବେଶ କରି ବିଜେପି ଉପରେ ବର୍ଷିଥିଲେ ସେଇ କୋମନାରେ ହିଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶକ୍ତି ପ୍ରଦର୍ଶନ କରିଛନ୍ତି । କୋମନାର ଉଦ୍ୟାନ ବନ୍ଧରେ ସେ ୭ କିଲୋମିଟର ଧରି ରୋଡ଼ଶୋ’ କରିଥିଲେ । ବିଶାଳ ରୋଡ଼ ଶୋ’ ପରେ ବିରାଟ ସମାବେଶରେ ସେ ନବୀନ ଓ ବିଜେଡ଼ିକୁ ଭଲକି ଧୋଇଛନ୍ତି । ନବୀନଙ୍କ ‘ବେଇମାନ’ ବାଣର ସେ କଡ଼ା ଜବାବ ଦେବା ସହ ମୋଦି ଯେଉଁଠି ବିକାଶ ସେଇଠି ବୋଲି କହିଛନ୍ତି । ସେହିପରି ବାହାର ଜିଲ୍ଲାରୁ ପ୍ରାର୍ଥୀ ଦେଇ ବିଜେଡ଼ି ନୂଆପଡ଼ାବାସୀଙ୍କୁ ଧୋକା ଦେଇଥିବାବେଳେ ଏହାର ଜବାବ ଦେବାକୁ ଆହ୍ୱାନ ଦେଇଥିଲେ ।

      ମୋହନ କହିଥିଲେଯେ, ଜୟ ଢେ଼ାଲକିଆ ବିଜୟୀ ହେଲେ ବିଧାନସଭାରେ ଆପଣମାନଙ୍କ କଥା ଉଠାଇବେ । ଆମର ସରକାର ଅଛି । ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, ଜୟ ଢୋଲକିଆ ମିଶି ନୂଆପଡ଼ାର ବିକାଶ କରିବେ । କିଛିଦିନ ତଳେ ବିରୋଧୀ ଦଳ ନେତା ଜୟ ଢେ଼ାଲକିଆଙ୍କୁ ବେଇମାନ୍‌ ବୋଲି କହି ସମ୍ବୋଧନ କରିଥିଲେ । ବେଇମାନ୍‌ କାହାକୁ କୁହାଯାଏ, ତାହା ବୋଧେ ନବୀନ ବାବୁ ଜାଣିନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏମିତି ଶବ୍ଦ କେବେ ବାହାରେନି । ସେ କାହାର ଏକ ସ୍କ୍ରିପ୍ଟ ପଢ଼ିଛନ୍ତି । ବେଇମାନର ସଂଜ୍ଞା ଜାଣିବା ପାଇଁ ବିଜେପୁର ଉପନିର୍ବାଚନ କଥା ଜାଣିବା ଦରକାର । ଜଣେ କଂଗ୍ରେସ ନେତ୍ରୀଙ୍କୁ ଆଣି ବିଜେଡ଼ି ପ୍ରାର୍ଥୀ କରିଥିଲା । ସେତେବେଳେ ବିଜେଡ଼ି ବେଇମାନି କରିଥିଲା କି ନାହିଁ । କାକଟପୁରରେ ଆମର ଜଣେ ପ୍ରାର୍ଥୀଙ୍କୁ ଚୋରି କରିଥିଲା କିଏ, ଏକଥା ବିଜେଡ଼ି ଉତ୍ତର ଦେବା ଦରକାର । ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିରୋଧୀ ଦଳ ନେତାଙ୍କୁ ବିଜେଡ଼ି ନେଇ ଯାଇଥିଲା । କିଏ ବେଇମାନି କରିଥିଲା ବୋଲି ସେ ପ୍ରଶ୍ନ କରିଥିଲେ । ସେ କ୍ଷମତାରେ ଥିବାବେଳେ ବେଇମାନି କରିଥିଲେ । ଏ ଶବ୍ଦ କ’ଣ ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭାପାଏ ? ରାଜେନ୍ଦ୍ର ଢୋଲକିଆଙ୍କ ପରିବାରକୁ ଗୋଟିଏ ଆଙ୍ଗୁଠି ଦେଖାଇଲେ ଚାରୋଟି ଆଙ୍ଗୁଠି ତାଙ୍କ ଆଡ଼କୁ ଯିବ । ବିଜୟ ମହାପାତ୍ର, ନଳିନୀ ମହାନ୍ତି କାହାକୁ ସେ ଛାଡ଼ିନାହାନ୍ତି । ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ମୁଁ ଭୋଟ ଭିକ୍ଷା କରିବାକୁ ଆସିଛି । 

      ମହିଳା ସଶକ୍ତିକରଣ କଥା ବିଜେଡ଼ି କହେ । ନେତୃତ୍ୱର ବିକାଶ କଥା କହୁଥିଲା । ହେଲେ ନୂଆପଡ଼ାରେ କ’ଣ ବିଜେଡ଼ି ନେତୃତ୍ୱ ବିକାଶ କରିନଥିଲା କି ? ନୂଆପଡ଼ାକୁ ନବୀନ ବାବୁ ଧୋକା ଦେଇଛନ୍ତି । ଏହାର ବିଚାର କରିବେ ନୂଆପଡ଼ାବାସୀ । ଜୟଙ୍କ ଭଳି ଜଣେ ଯୋଗ୍ୟ ଯୁବକ ଓ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଥିଲେ । ନୂଆପଡ଼ାର ବିକାଶ ପାଇଁ ମୁଁ ପଦକ୍ଷେପ ନେଇଛି । ରାଜେନ୍ଦ୍ର ବାବୁ ବିଜେଡ଼ି ସରକାରରେ ମନ୍ତ୍ରୀ ଥିଲେ । ନୂଆପଡ଼ା ପାଇଁ ସେ ଅନେକ ସ୍ୱପ୍ନ ଦେଖୁଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସେ ଭେଟିପାରୁନଥିଲେ । ଜୟ ଢେ଼ାଲକିଆ ଜାଣିଛନ୍ତି ମୋଦି ଯେଉଁଠି, ବିକାଶ ସେଇଠି । ଜୟ ବିକାଶ କରିବା ପାଇଁ ବିଜେପିକୁ ଆସିଛନ୍ତି ବୋଲି ମୋହନ କହିଛନ୍ତି ।

      ମୋହନ କହିଥିଲେଯେ, ଆମ ସରକାର କ୍ଷମତାକୁ ଆସିବା ପରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିଛୁ । ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପିଛା ଆମେ ୩୧ ଶହ ଟଙ୍କା ଦେଉଛୁ । ହେଲେ ନବୀନ ବାବୁ ଘୋଷଣା କରି ଶହେ ଟଙ୍କା ବୋନସ ବି ଦେଇନଥିଲେ । ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛୁ । ମୁଖ୍ୟମନ୍ତ୍ରୀ ହେବାପରେ ସେ ପଞ୍ଚମ ଥର ପାଇଁ ଆସିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ କେବେ ନୂଆପଡ଼ା ଆସିଥିଲେକି ବୋଲି ସେ ପ୍ରଶ୍ନ କରିଛନ୍ତି ।