‘ଚକ୍ରାନ୍ତକାରୀ ନେଇ ଯାଇଛନ୍ତି ଚାବି’ : ପ୍ରଭାତ

‘ଚକ୍ରାନ୍ତକାରୀ ନେଇ ଯାଇଛନ୍ତି ଚାବି’ : ପ୍ରଭାତ
  • ପାଣ୍ଡିଆନ୍‌ ଦମ୍ପତିଙ୍କୁ ତେଲ ମାରିଲେ, ବରିଷ୍ଠଙ୍କ ଉପରେ ବର୍ଷିଲେ

  • ହାରୁନେତା ବେଶୀ ମୁଣ୍ଡ ଖେଳାନ୍ତୁନି

  • ବବି, ଦେବୀ, ପ୍ରତାପ, ଅତନୁ ଓ ସଂଜୟଙ୍କୁ ଟାର୍ଗେଟ୍‌

  • ସୁଜାତାଙ୍କୁ ରାଜ୍ୟସଭା ପଠାନ୍ତୁ


ଭୁବନେଶ୍ୱର : ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକଙ୍କ ଅପେକ୍ଷା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ତେଲ ମରା କଥା ବେଶୀ ଚର୍ଚ୍ଚା ସୃଷ୍ଟିକରିଛି । ପାଣ୍ଡିଆନ୍‌ ଦମ୍ପତ୍ତିଙ୍କୁ ମୁଣ୍ଡରେ ବସାଇବା ସହ ବବି ଦାସ, ଦେବୀ ମିଶ୍ର, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ ଓ ସଂଜୟ ଦାସବର୍ମାଙ୍କ ଭଳି ନେତାଙ୍କୁ ତଳେ କଚାଡ଼ି ଦେଇଛନ୍ତି। ସିଧାସିଧା କହିଛନ୍ତି, ହାରୁନେତାମାନେ ବେଶୀ ମୁଣ୍ଡ ନଖେଳାଇ ନିଜ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦିଅନ୍ତୁ । ସୁଜାତାଙ୍କୁ ରାଜ୍ୟସଭାକୁ ପଠାନ୍ତୁ । ପାଣ୍ଡିଆନଙ୍କ ପ୍ରତି ଅବିଚାର ହେଲେ ସେ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଯାହା ଏବେ ବିଜେଡ଼ି ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି । ପ୍ରଭାତ ବିଶ୍ୱାଳ କହିଲେଯେ, ଜଣେ ସଚ୍ଚୋଟ ନେତା ଭାବେ ସେ ସତ୍ୟକଥା ରଖୁଛନ୍ତି । ଯେଉଁ ଚାବିକୁ ନବୀନ ପଟ୍ଟନାୟକ ସେତେବେଳେ ପ୍ୟାରୀମୋହନ ମହାପାତ୍ରଙ୍କୁ ଦେଇଥିଲେ, ସେହି ଚାବିକୁ କିଛି ବନ୍ଧୁ ଚକ୍ରାନ୍ତ କରି ନେଇ ଯାଇଛନ୍ତି । ଦଳ କି ଅବସ୍ଥାରେ ଅଛି, ନୂଆପଡ଼ା ନିର୍ବାଚନରେ ତାହା ପ୍ରମାଣିତ ହୋଇଛି । 

   ପ୍ରତିଷ୍ଠା ଦିବସରେ ଅନୁରୋଧ କରୁଛି, ଯେଉଁମାନେ ନେତୃତ୍ୱ ନେଇଛନ୍ତି, ହାରିଛନ୍ତି ସେମାନେ ନିଜ ନିର୍ବାଚନମଣ୍ଡଳୀର ଦାୟିତ୍ୱ ବୁଝନ୍ତୁ । ଅଧିକ ମୁଣ୍ଡ ନଖେଳାନ୍ତୁ । ସାମ୍ବାଦିକମାନଙ୍କୁ ସଂକେତ ଦେଇ ସେ ନାଁ ନନେଇଥିଲେବି ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନାଙ୍କୁ ଇଙ୍ଗିତ କରି କହିଥିଲେଯେ, ବ୍ୟକ୍ତିଗତ ଭାବେ ମୁଁ ପାଞ୍ଚ ସାତ ଥର ସେମାନଙ୍କୁ କହିସାରିଲେଣି । ବହୁ କଷ୍ଟ ହେଉଛି ମୋତେ । ସେମାନେ କଷ୍ଟ କରିନାହାନ୍ତି । ସେମାନେ ଚାବିଟି ନେଇଛନ୍ତି, ଭଲରେ ଚାବିକି ଦେଇଦିଅନ୍ତୁ । ୫୦ ବିଧାୟକ ଅଛନ୍ତି ବିଜେଡ଼ିରେ । ଦଳ ସେମାନଙ୍କୁ ଦାୟିତ୍ୱ ଦେଲେ ଦଳ ସୁନ୍ଦର ଭାବେ ଚାଲିବ । ଏମାନେ କାହିଁକି ସବୁ ମାଡ଼ି ବସୁଛନ୍ତି । ୨୦୧୯ରେ ବିଜେଡ଼ି ସରକାରକୁ ଆସିବାରେ ଭିକେ ପାଣ୍ଡିଆନ ଓ ତାଙ୍କ ଟିମକୁ ବଡ଼ ଅବଦାନ ରହିଛି । ୨୦୨୪ରେ ସରକାରୀ ବିରୋଧୀ ହାୱା ପାଇଁ ଦଳ ହାରିଯାଇଛି । ଦଳ ପାଣ୍ଡିଆନ୍‌ ଦମ୍ପତ୍ତିଙ୍କୁ ପୁରସ୍କାର ଦେବା କଥା । ଯେଉଁମାନେ ପାଣ୍ଡିଆନ୍‌ ଦମ୍ପତ୍ତିଙ୍କୁ ବିରୋଧ କରୁଛନ୍ତି ସେମାନେ ଅଙ୍କ କଷିନାହାନ୍ତି । ସେମାନଙ୍କ ପାଖେ ଅଙ୍କ ନାହିଁ। ଦେବାଶିଷ ସାମନ୍ତରାୟ ସେ କହିଲା ବେଳେ ବହୁକଥା କୁହନ୍ତି, ହେଲେ ସେ ନିଜେ କିଛି ଜାଣି ପାରନ୍ତିନି। ଗୋଟିଏ ଆସନ ରାଜ୍ୟସଭା ଦଳର ଆସିବ। ସୁଜାତାଙ୍କୁ ରାଜ୍ୟସଭା ପଠାଇବା ଦରକାର । ଦେବାଶିଷ ଓ ଭୂପିନ୍ଦରଙ୍କର ସାଂଗଠନିକ ଦକ୍ଷତା କମ୍‌ ରହିଛି ।