ନ୍ୟୁୟର୍କ ଜେଲରେ ମଦୁରୋ

ନୂଆଦିଲ୍ଲୀ : ଆମେରିକା ତେଲ ସମୃଦ୍ଧ ଦେଶ ଭେନେଜୁଏଲାକୁ ଆକ୍ରମଣ କରି ଏହାର ରାଷ୍ଟ୍ରପତି ନିକୋଲସ ମଦୁରୋ ଓ ତାଙ୍କ ପତ୍ନୀଙ୍କୁ ସାମରିକ କାର୍ଯ୍ୟାନୁଷ୍ଠାନରେ ଅପହରଣ କରିବା ପରେ ଭାରତ ଗଭୀର ଚିନ୍ତା ପ୍ରକଟ କରିଛି । ଭେନେଜୁଏଲାରେ ସାମ୍ପ୍ରତିକ ଘଟଣାବଳୀ "ଗମ୍ଭୀର ଚିନ୍ତାର ବିଷୟ’ ଓ ଏହାର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି ଭାରତ ପକ୍ଷରୁ କୁହାଯାଇଛି । ଏକ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭାରତ ଭେନେଜୁଏଲାର ଲୋକଙ୍କ ମଙ୍ଗଳ ଓ ସୁରକ୍ଷା ପାଇଁ ନିଜର ସମର୍ଥନ ପୁନଃପ୍ରକାଶ କରିଛି । ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ କରିଛି ।


   ଆମେ ସମସ୍ତ ସମ୍ପୃକ୍ତଙ୍କୁ ଏହି ଅଞ୍ଚଳର ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ କରୁଛୁ ବୋଲି ବିବୃତ୍ତିରେ କୁହାଯାଇଛି । ମନ୍ତ୍ରଣାଳୟ ଆହୁରି କହିଛି ଯେ କାରାକାସରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଯୋଗାଯୋଗରେ ଅଛି ଓ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଜାରି ରଖିବ । ମନ୍ତ୍ରଣାଳୟ ସାର୍ବଭୌମତ୍ୱର ଉଲ୍ଲଂଘନ ସମ୍ପର୍କରେ କୌଣସି ସିଧାସଳଖ ଉଲ୍ଲେଖ କରିନାହିଁ କିମ୍ବା ସ୍ପଷ୍ଟ ଭାବରେ ଆମେରିକାର ନାମ ନେଇନାହିଁ, ଦ୍ରୁତ ଗତିରେ ଘଟୁଥିବା ଘଟଣାଗୁଡ଼ିକ ମଧ୍ୟରେ ଏକ ମାପିଚୁପି ସ୍ୱର ଗ୍ରହଣ କରିଛି । ଆମେରିକା ଦ୍ୱାରା ଏହି ଅଭିଯାନକୁ "ନାର୍କୋ-ଆତଙ୍କବାଦ’ ବୋଲି ଅଭିହିତ ଏକ ବ୍ୟାପକ କାର୍ଯ୍ୟାନୁଷ୍ଠାନର ଅଂଶ ଭାବରେ ବର୍ଣ୍ଣନା କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ପରେ କହିଥିଲେ ଯେ କ୍ଷମତା ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଦେଶର ପ୍ରଶାସନ ତଦାରଖ କରିବ । ଭେନେଜୁଏଲାରେ ସାମ୍ପ୍ରତିକ ଘଟଣାବଳୀକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ଭେନେଜୁଏଲାକୁ ସମସ୍ତ ଅଣ-ଅତ୍ୟାବଶ୍ୟକୀୟ ଯାତ୍ରା ଏଡାଇବାକୁ କଡ଼ା ପରାମର୍ଶ ଦିଆଯାଇଛି । ତେବେ ଆମେରିକା ଦ୍ୱାରା ଗିରଫ ହୋଇଥିବା ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମଦୁରୋ, ତାଙ୍କ ପତ୍ନୀ ଓ ପୁଅଙ୍କ ସମତେ ଅନ୍ୟ ତିନିଜଣଙ୍କୁ ନ୍ୟୁୟର୍କ ଜେଲରେ ରଖାଯାଇଛି।