ପୁଲିସକୁ ଧରିଲା ଭିଜିଲାନ୍ସ 

  • ୪୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ

  • ଘରୁ ମିଳିଲା ନଗଦ ୫ ଲକ୍ଷ

କଟକ : ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇ ଧରାପଡିଛନ୍ତି ଥାନା ବାବୁ ବିଜୟ କୁମାର ବାରିକ । ପୁଣି ଘରୁ ମିଳିଛି ନଗଦ ୫ ଲକ୍ଷ ଟଙ୍କା । ଏହାପରେ କଟକ ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ଆଜି ଅର୍ଥାତ୍‌ ଜାନୁଆରୀ ୪ରେ କଟକର ସିଆରଆରଆଇ ଥାନା ଆଇଆଇସି ବିଜୟ କୁମାର ବାରିକଙ୍କୁ ଭୁବନେଶ୍ୱରର ରାଜମହଲ ଛକରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଅଭିଯୁକ୍ତ ଶ୍ରୀ ବାରିକଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହାପରେ ଶ୍ରୀ ବାରିକଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏନେଇ ଅଭିଯୁକ୍ତ ବିଜୟ ବାରିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଭୁବନେଶ୍ୱରର ୟୁନିଟ୍‌ ୧ ସ୍ଥିତ ବିଜୟ କୁମାର ବାରିକଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଲାଞ୍ଚ ଦାବି ଏବଂ ଜବତ ହୋଇଥିବା ଟଙ୍କାର ଉତ୍ସ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି ।