ପନ୍ତ ହେଲେ ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍

ଭାରତ ଓ ଇଂଲଣ୍ଡ ପଞ୍ଚମ ଟେଷ୍ଟ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବୁଧବାର, ସଦ୍ୟତମ ରାଙ୍କିଙ୍ଗ୍ ଜାରି କରିଛି । ମାଞ୍ଚେଷ୍ଟରରେ ଶତକ ହାସଲ କରିଥିବା ରବୀନ୍ଦ୍ର ଜାଡେଜା ଏବଂ ୱାଶିଂଟନ ସୁନ୍ଦରଙ୍କ ରାଙ୍କିଙ୍ଗ ବଢ଼ିଥିବା ବେଳେ ଯୁବ ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ୩ଟି ସ୍ଥାନ ତଳକୁ ଖସି ଆସିଛନ୍ତି । ଋଷଭ ପନ୍ତ ଆଇସିସି ଟେଷ୍ଟ ବ୍ୟାଟର ତାଲିକାରେ ବର୍ତ୍ତମାନ ଶ୍ରେଷ୍ଠ ଭାରତୀୟ ଖେଳାଳି ହୋଇପାରିଛନ୍ତି ଏବଂ ସେ ତାଲିକାର ୭ମ ସ୍ଥାନରେ ଅଛନ୍ତି । ଅଧିନାୟକ ଶୁଭମନ ଗିଲ ନବମ ସ୍ଥାନରେ ନିଜ ସ୍ଥିତି ବଜାୟ ରଖିଛନ୍ତି ।ଯଶସ୍ୱୀ ଜୟସ୍ୱାଲ ୩ଟି ସ୍ଥାନ ତଳକୁ ଖସିଲେ : ପୂର୍ବରୁ ପଞ୍ଚମ ସ୍ଥାନରେ ଥିବା ଯଶସ୍ୱୀ ଜୟସ୍ୱାଲ ଏବେ ଟେଷ୍ଟ ବ୍ୟାଟର ରାଙ୍କିଙ୍ଗ୍‌ରେ ୮ମ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୭୬୯ ରହିଛି । ୭୭୬ ପଏଣ୍ଟ ସହ ଋଷଭ ପନ୍ତ ୭ମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ଇଂଲଣ୍ଡର ବ୍ୟାଟର ଜୋ ରୁଟ୍ ୯୦୪ ରେଟିଂ ପଏଣ୍ଟ ସହ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ।

ଆଇସିସି ରାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କୁ ଫାଇଦା ମିଳିଛି ।  ଜାଡେଜା ଆଇସିସି ପୁରୁଷ ବୋଲିଂ ରାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ସେ ପୂର୍ବରୁ ୧୫ତମ ସ୍ଥାନରେ ଥିବା ବେଳେ ବର୍ତ୍ତମାନ ୬୮୨ ରେଟିଂ ପଏଣ୍ଟ ସହ ୧୪ତମ ସ୍ଥାନରେ ପହଞ୍ଚିଛନ୍ତି । ଏହି ତାଲିକାରେ ୮୯୮ ପଏଣ୍ଟ ସହ ଯଶପ୍ରୀତ ବୁମରାହ ପ୍ରଥମ ସ୍ଥାନରେ ରହିଛନ୍ତି । ପୁରୁଷ ଟେଷ୍ଟ ଅଲରାଉଣ୍ଡର ରାଙ୍କିଙ୍ଗ୍‌ରେ ୱାଶିଂଟନ ସୁନ୍ଦର ଲମ୍ବା ଲମ୍ଫ ମାରିଛନ୍ତି । ସେ ୮ଟି ସ୍ଥାନ ଉପରକୁ ଉଠି ମ୍ୟାଟ୍ ହେନେରିଙ୍କ ସହ ମିଳିତ ଭାବେ ୧୩ତମ ସ୍ଥାନରେ ଅଛନ୍ତି । ସେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ ।