ପିଏମଜିଏସ୍ୱାଇ ସମ୍ପର୍କିତ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକ : ଏଯାବତ ୧୭,୫୬୦ ସଡ଼କ, ୬୩୭ ସେତୁ ନିର୍ମିତ
ଭୁବନେଶ୍ୱର: ଲୋକସେବା ଭବନ ଠାରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା (ପିଏମଜିଏସ୍ୱାଇ) କାର୍ଯ୍ୟକାରିତା ସଂପର୍କିତ ୩୭ତମ ରାଜ୍ୟସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ କମିଶନର ଯାମିନୀ ଷଡ଼ଙ୍ଗୀ ଓଡ଼ିଶାରେ ବିଗତ ବିଭିନ୍ନ ବର୍ଷରେ କରାଯାଇଥିବା ପିଏମ୍ଜିଏସ୍ୱାଇର କାର୍ଯ୍ୟକାରିତା ଓ ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ । ଏଥିରେ କମିଟିର ସଦସ୍ୟ ଥିବା ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦିର ବରିଷ୍ଠ ପଦାଧିକାରୀ ଓ ସର୍ବୋଚ୍ଚ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।
ବିଗତ ବିଭିନ୍ନ ବର୍ଷରେ କାର୍ଯ୍ୟକାରୀ କରାଯାଇଥିବା ପିଏମଜିଏସ୍ୱାଇ-୧, ପିଏମଜିଏସ୍ୱାଇ-୨, ପିଏମଜିଏସ୍ୱାଇ-୩ ସମେତ ପିଏମ୍-ଜନମନ୍ ଅଧୀନରେ ସଡ଼କ ଓ ସେତୁ ନିର୍ମାଣ ସଂପର୍କରେ ସମୀକ୍ଷା କରାଯାଇଥିଲା । ଏହି ସବୁ ଯୋଜନା ଅଧୀନରେ ସାମଗ୍ରିକ ଭାବେ ଅଦ୍ୟାବଧି ୭୦,୬୯୨.୬୩ କିମି ଦୈର୍ଘ୍ୟ ବିଶିଷ୍ଟ ୧୭,୫୬୦ଟି ସଡ଼କ ନିର୍ମାଣ କରାଯାଇଥିବା ବେଳେ ୬୩୭ଟି ସେତୁ ନିର୍ମିତ ହୋଇଛି । ଏହା ଦ୍ୱାରା ୧୬,୯୯୭ଟି ଜନବସତିକୁ ସଡ଼କ ଓ ସେତୁ ସଂଯୋଗ କରାଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ପିଏମଜିଏସ୍ୱାଇ ଅଧୀନରେ ଉଭୟ ସେତୁ ଏବଂ ଜଳ ସଂରକ୍ଷଣ ଲକ୍ଷ୍ୟ ରଖି ନିର୍ମାଣ କରାଯାଉଥିବା ସେତୁ-ତଥା-ବନ୍ଧରା (ବିସିବି) ବ୍ୟବସ୍ଥା ସଂପର୍କରେ ଉପସ୍ଥାପନ କରାଯାଇଥିଲା । ଏହା ଅଧୀନରେ ଅଦ୍ୟାବଧି ୯ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଛି ଓ ୧୮ ଟି ପ୍ରକଳ୍ପ ନିର୍ମାଣାଧୀନ ରହିଛି ।
ସେହିପରି ପିଏମଜିଏସ୍ ୱାଇ -୪ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ପ୍ରକଳ୍ପ ପ୍ରସ୍ତାବ ସଂପର୍କରେ କମିଟିରେ ଉପସ୍ଥାପନ କରାଯାଇଥିଲା । ଏହି ପର୍ଯ୍ୟାୟରେ ୧୬୨୯ ବସତିକୁ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ ଲକ୍ଷ୍ୟ ରହିଛି ।