ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା ପ୍ରସଙ୍ଗ : ୧୫ ଦିନ ସଚେତନତା, ପରେ ଆକ୍ସନ
ଭୁବନେଶ୍ୱର : ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ । ପରିବହନରେ ପରିବେଶ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ପମ୍ପରେ ଇନ୍ଧନ ମନା ନିଷ୍ପତ୍ତିର କାର୍ଯ୍ୟକାରିତା ତଥା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତୈଳ କମ୍ପାନୀ ଓ ଡିଲର ଆସୋସିଏନ ପ୍ରତିନିଧି ଯୋଗ ଦେଇଥିଲେ । ମୋଟର ଯାନ ଆଇନର ଅନୁପାଳନ ଓ ପରିବେଶ ସୁରକ୍ଷା ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଥିଲେ । ବୈଠକରେ ସର୍ବସମ୍ମତି କ୍ରମେ କୁହାଯାଇଛି ଯେ, ଆଗାମୀ ଦିନରେ ପ୍ରଦୂଷଣ ପ୍ରମାଣପତ୍ର କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଅନ୍ତତଃ ୧୫ ଦିନ ଧରି ଏହି ସଚେତନତାକୁ ବ୍ୟାପକ କରାଯିବ । ଏହାସତ୍ତେ୍ୱ ବି ଯେଉଁମାନେ ବୈଧ ପ୍ରଦୂଷଣ ପ୍ରମାଣପତ୍ର ନକରିବେ, ଆଗାମୀ ଦିନରେ ତାଙ୍କୁ ପେଟ୍ରାଲ ପମ୍ପରେ ଇନ୍ଧନ ଦେବାକୁ ମନା କରାଯିବ ।
ସମସ୍ତେ ପ୍ରଦୂଷଣ ପ୍ରମାଣପତ୍ର କେନ୍ଦ୍ରକୁ ମଧ୍ୟ କୁହାଯିବ, ସେମାନେ ଗାଡ଼ିରେ ଷ୍ଟିକର ଲଗାଇ ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଉଲ୍ଲେଖ କରିବେ । ସେହିଭଳି ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚର ଅନ୍ୟ ଦିଗଗୁଡ଼ିକ ସଂପର୍କରେ ମଧ୍ୟ ପେଟ୍ରୋଲ ପମ୍ପ କର୍ମଚାରୀ ଓ ଜନସାଧାରଣଙ୍କୁ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଅବଗତ କରାଯିବ । ମୋଟର ଯାନ ଆଇନ ଅନୁଯାୟୀ ଏହାର ବୈଧତା ନିର୍ଦ୍ଧାରିତ ହୋଇଛି । ଏହି ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପାଇଁ ରାଜ୍ୟର ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି । ବୈଠକରେ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଇଣ୍ଡିଆନ୍ ଅଏଲ ସିଜିଏମ୍ କମଲ୍ ଶିଲ୍, ଏଚପିସିଏଲ୍ରୁ ସିଆର୍ ବିଜୟ କୁମାର, ଉତ୍କଳ ପେଟ୍ରୋଲିୟମ ଡିଲର୍ ଆସୋସିଏସନ୍ ସଞ୍ଜୟ ଲାଠ୍ ପ୍ରମୁଖ ଯୋଗ ଦେଇଥିଲେ ।
Samir Kumar Rout