ଶିଳ୍ପାୟନର ସଫଳତା ପଛରେ ମୋଦିଜୀଙ୍କ ‘ମିଡାସ୍ ଟଚ୍’
-
ହାଇଦ୍ରାବାଦରୁ ଫେରି ଗଣମାଧ୍ୟମକୁ ଭେଟିଲେ ମୁଖ୍ୟମନ୍ତ୍ରୀ
-
ଜାନୁଆରି ୨୮, ୨୯ ରେ ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡିଶା’ : ମୋହନ
-
ଆଗାମୀ ୩ ମାସରେ ପ୍ରକଳ୍ପ ଶିଳାନ୍ୟାସ
-
‘ଇଜ୍ ଅଫ୍ ଡୁଇଙ୍ଗ ବିଜ୍ନେସ’ ପାଇଁ ବିଭିନ୍ନ ଆଇନ୍ରେ ୨୩ ସଂଶୋଧନ
ଭୁବନେଶ୍ୱର : ହାଇଦ୍ରାବାଦରେ ଆୟୋଜିତ ୨ ଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡଶୋ’ରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଭାରତର ସର୍ବବୃହତ ନିବେଶ କେନ୍ଦ୍ର ଭାବେ ପ୍ରତିଷ୍ଠା ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କହିଛନ୍ତି । ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହାଇଦ୍ରାବଦ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛିଯେ, ନିବେଶକମାନଙ୍କ ଓଡିଶା ପ୍ରତି ଦୃଢ ବିଶ୍ୱାସ ରହିଛି । ଦୁଇଦିନ ଧରି ବିଭିନ୍ନ ଶିଳ୍ପପତି ଓ ନିବେଶକମାନଙ୍କ ସହିତ ଆଲୋଚନା କରିବା ପରେ ଏହାର ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ବୋଲି ପ୍ରକାଶ କରି ‘ଏହି ଅଭିଜ୍ଞତା ମୋ ପାଇଁ ଖୁବ୍ ସନ୍ତୋଷଜନକ’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଦୁଇ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା ପ୍ରସଙ୍ଗରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଶିଳ୍ପକ୍ଷେତ୍ରରେ ବ୍ୟାପକ ସମ୍ଭାବନା ଠାରୁ ଏହାର ବାସ୍ତବ ରୂପାୟନ ପର୍ଯ୍ୟନ୍ତ ଓଡ଼ିଶାର ଶିଳ୍ପ ଯାତ୍ରା ଆଜି ଖୁବ୍ ମଜବୁତ୍ ହୋଇଛି । ସେ କହିଥିଲେଯେ, ଶିଳ୍ପାୟନ କ୍ଷେତ୍ରରେ ଓଡିଶାର ସଫଳତାର ମୂଳରେ ରହିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ମିଡାସ୍ ଟଚ୍ ବା ଯାଦୁକରୀ ସ୍ପର୍ଶ ହେଉଛି ଶିଳ୍ପାୟନରେ ଆମ ସଫଳ ଯାତ୍ରାର ବାସ୍ତବ ରହସ୍ୟ । ସୂଚନାଯୋଗ୍ୟଯେ, ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଏକ ବ୍ୟାପକ ନିବେଶ ଅଭିଯାନର ନେତୃତ୍ୱ ନେଇ ହାଇଦ୍ରାବାଦ୍ ଯାଇଥିଲେ । ଦୁଇ ଦିନ ବ୍ୟାପୀ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ୭୩ଟି ଉଚ୍ଚସ୍ତରୀୟ ବୈଠକ ଏବଂ ୨ଟି କ୍ଷେତ୍ରୀୟ ରାଉଣ୍ଡଟେବୁଲ ଆଲୋଚନା କରିଥିଲେ । ପ୍ରଥମ ରାଉଣ୍ଡଟେବୁଲ ଆଲୋଚନା ଫାର୍ମାସେକ୍ଟର ଉପରେ ଆଧାରିତ ଥିଲା ଏବଂ ଆଠଟି ପ୍ରମୁଖ ଫାର୍ମା କମ୍ପାନୀ ସହିତ ଏହି ଆଲୋଚନା କରାଯାଇଥିଲା । ଦ୍ୱିତୀୟ ରାଉଣ୍ଡଟେବୁଲ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ସମ୍ପର୍କିତ ୨୭ କମ୍ପାନୀ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଫାର୍ମା ଏବଂ ପ୍ରତିରକ୍ଷା, ଏହି ଦୁଇଟି କ୍ଷେତ୍ର, ବର୍ତ୍ତମାନ ଓଡ଼ିଶାରେ ନଗଣ୍ୟ; ଏହି ଦୁଇଟି ରାଉଣ୍ଡଟେବୁଲ ଆଲୋଚନା ଦ୍ୱାରା ଏହି ଦୁଇଟି କ୍ଷେତ୍ରରେ ନିବେଶକଙ୍କୁ ଆକର୍ଷିତ କରାଯାଇଛି । ଦୁଇ ଦିନରେ ସେ ନିଜେ ୩୮ ଜଣ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ୍ ଆଲୋଚନା କରିଛନ୍ତି ବୋଲି କହିଥିଲେ । ଏହି ବୈଠକରେ ଔଷଧ ଏବଂ ଚିକିତ୍ସା ଉପକରଣ, ପ୍ରତିରକ୍ଷା ଉତ୍ପାଦନ, ନବୀକରଣୀୟ ଶକ୍ତି ଉପକରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଡାଟା ସେଣ୍ଟର, ବୟନ ଏବଂ ବୈଷୟିକ ବୟନ ଏବଂ ଉନ୍ନତ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକରେ ନିବେଶ ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ହାଇଦ୍ରାବାଦରେ ଅନୁଷ୍ଠିତ ଏକ ମେଗା ଓଡ଼ିଶା ନିବେଶକ ରୋଡଶୋ ୫ ଶହରୁ ଅଧିକ ଶିଳ୍ପପତି, ବ୍ୟବସାୟିକ ସଂଗଠନ ଏବଂ ଆନୁଷ୍ଠାନିକ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନା ଦ୍ୱାରା ଶିଳ୍ପପତିମାନେ ଓଡ଼ିଶାର ଶିଳ୍ପ ପରିବେଶ, ଭିତ୍ତିଭୂମି ଏବଂ ନୀତି-ଚାଳିତ ଅଭିବୃଦ୍ଧି ମଡେଲ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପାଇପାରିଥିଲେ । ମୁଖ୍ୟମନ୍ତ୍ରୀ ନିଜେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ପାଇଁ ତାଙ୍କର ଦୃଷ୍ଟିକୋଣ ଏବଂ ଉତ୍ପାଦନ ଓ ସେବା କ୍ଷେତ୍ରର ବିକାଶ ପାଇଁ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଗାମୀ ଦିନରେ ଶିଳ୍ପାୟନ ପାଇଁ ଆମର ରୋଡ୍ ମ୍ୟାପରେ ଏକ ନୂଆ ମାଇଲ୍ ଷ୍ଟୋନ୍ ସ୍ଥାପନ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ରାଉରକେଲାରେ ଏଣ୍ଟରପ୍ରାଇଜ୍ ଓଡିଶା ଅନୁଷ୍ଠିତ ହେବ । ଏହାସହିତ କଲିକତାରେ ମଧ୍ୟ ଏକ ଶିଳ୍ପ କନ୍କ୍ଳେଭ ହେବାର ଯୋଜନା ରହିଛି ।
ସେ କହିଥିଲେଯେ, ଓଡିଶାରେ ନିବେଶକୁ ସହଜ ଓ ସରଳ କରିବା ପାଇଁ, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଆଇନ୍ରେ ପ୍ରାୟ ୨୩ ସଂଶୋଧନ କରାଯାଉଛି । ବହୁତ୍ ପୁରୁଣା ଆଇନ୍, ଯାହାର ବର୍ତ୍ତମାନ କୌଣସି ଆବଶ୍ୟକତା ନାହିଁ, ସେଗୁଡିକ ସଂଶୋଧନ କରାଯାଇ, ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦେଇ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ । ସେ କହିଥିଲେଯେ, ଆଗାମୀ ତିନି ମାସରେ ଆମର ମୁଖ୍ୟ ଫୋକସ ହେଉଛି ଯେଉଁ ସବୁ ପ୍ରସ୍ତାବ ଆସିଛି ତାକୁ ଯେପରି ବାସ୍ତବରେ ପରିଣତ କରାଯାଇ ପ୍ରକଳ୍ପଗୁଡିକୁ ଗ୍ରାଉଣ୍ଡିଙ୍ଗ କରାଯିବ । ପ୍ରକଳ୍ପଗୁଡିକ କ୍ଷୀପ୍ରଗତିରେ କାର୍ଯ୍ୟକାରୀ ହୋଇପାରିଲେ ନିବେଶକମାନଙ୍କ ଭରସା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଥିଲେ । ଏହି ଗସ୍ତ ସମୟରେ, ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ହାଇଦ୍ରାବାଦରେ ଥିବା ପ୍ରତିରକ୍ଷା ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଭାରତ ଡାଇନାମିକ୍ସ ଲିମିଟେଡ୍ ମଧ୍ୟ ଗସ୍ତ କରିଥିଲେ । ଭାରତର ପ୍ରତିରକ୍ଷା ଏବଂ ମହାକାଶ ଉତ୍ପାଦନ ଇକୋସିଷ୍ଟମ ସହିତ ଓଡ଼ିଶାର ସମ୍ପର୍କକୁ ଆହୁରି ଗଭୀର କରିବା ଥିଲା ଏହି ଗସ୍ତର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଓଡିଶାରେ ମଧ୍ୟ ଡିଫେନ୍ସ ମାନୁଫାକ୍ଚରିଂ ଇକୋ-ସିଷ୍ଟମର ବିକାଶ କରାଯିବ । ଏଥିପାଇଁ ଏମଏସଏମଇ, ଷ୍ଟାର୍ଟଅପ୍, ଦକ୍ଷ ମାନବ ସମ୍ବଳ ଓ ପ୍ରିସିସନ୍ ମାନୁଫାକଚରିଂ ଉପରେ ଗୁରୁତ୍ୱ ଦିଆଯିବ । ଓଡିଶାରେ ମିଜାଇଲ୍ କମ୍ପୋନେଣ୍ଟ ନିର୍ମାଣ ଉପରେ ପ୍ରସ୍ତୁତି କରାଯାଉଛି ବୋଲି ସେ କହିଥିଲେ ।
ଗସ୍ତ ସମୟରେ ୧୩ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ୨୭,୬୫୦ କୋଟି ଟଙ୍କାର ନିବେଶ ସୁଯୋଗ ମିଳିଛି । ଏହାଦ୍ୱାରା ୧୫,୯୦୫ ନିଯୁକ୍ତି ସୃଷ୍ଟି ହେବ । ଏହାବ୍ୟତୀତ ୯ଟି ଇନଭେଷ୍ଟମେଣ୍ଟ ଇଣ୍ଟେଣ୍ଟ ଫାଇଲିଂ ମଧ୍ୟ ହୋଇଥିଲା । ଏହାଦ୍ୱାରା ୩୯,୧୩୧ କୋଟିର ଅଧିକ ନିବେଶ ସମ୍ଭାବନା ଏବଂ ୪୦,୪୩୫ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ମୋଟ ଉପରେ, ହାଇଦ୍ରାବାଦ ରୋଡଶୋ ୬୬,୭୮୧ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ସୃଷ୍ଟି କରିଛି, ଯାହା ୫୬,୩୪୦ ନିଯୁକ୍ତି ସମ୍ଭାବନା ସହିତ ଏହାକୁ ଓଡ଼ିଶା ସରକାରଙ୍କ ନେତୃତ୍ୱରେ ସବୁଠାରୁ ସଫଳ ନିବେଶ ପ୍ରସାର କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କରିଛି । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଉତ୍କର୍ଷ ଓଡିଶା ୨୦୨୫ ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡିଶାରେ ୪,୩୮,୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି । ଏହାଦ୍ୱାରା ୨,୫୫,୮୧୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ସେ ପୁଣି କହିଥିଲେଯେ, ଗତ ୧୮ ମାସରେ ୨.୧୦ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ୧,୬୩,୭୨୫ଟି ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି । ଏହି ସମୟ ମଧ୍ୟରେ ଓଡିଶାରେ ଫାର୍ମା କନ୍କ୍ଳେଭ୍, ଟେକ୍ସଟାଇଲ୍ କନକ୍ଳେଭ ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପର ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ କନକ୍ଳେଭରେ ଓଡିଶା ଦୁଇଟି ଏମଓୟୁ କରିଥିଲା । ତେଣୁ, ଶିଳ୍ପାୟନ ପାଇଁ ନିୟମିତ ଭାବରେ ଆମର ଫୋକସ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବୈଠକରେ ଅଂଶଗ୍ରହଣ କରୁଥିବା ଶିଳ୍ପନେତାମାନେ ଓଡ଼ିଶାର ସ୍ପଷ୍ଟ ନୀତି, ଭିତ୍ତିଭୂମିରେ ଉନ୍ନତି, ଦାୟିତ୍ୱବାନ ଶାସନ ଏବଂ ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଂପୃକ୍ତି ଯୋଗୁ ଓଡିଶା ଉପରେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ବୋଲି ମତ ଦେଇଥିଲେ ।
ଯେହେତୁ ସମସ୍ତ ଶିଳ୍ପ ପ୍ରକଳ୍ପଗୁଡିକୁ ମୁଁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛି । ସେଥିପାଇଁ ଶିଳ୍ପପତିମାନେ ଓଡିଶା ପ୍ରତି ଖୁବ୍ ଉତ୍ସାହିତ ଅଛନ୍ତି । ନିବେଶକମାନେ ବର୍ତ୍ତମାନ ଅନୁଭବ କରୁଛନ୍ତିଯେ, ଓଡିଶା ହେଉଛି ଆଗାମୀ ଦିନର ଭାରତର ଗ୍ରୋଥ୍ ଇଞ୍ଜିନ୍ । ଔଷଧ, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ନବୀକରଣୀୟ ଶକ୍ତି, ଆଇଟି, ବୟନଶିଳ୍ପ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ନିବେଶକ ମାନଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି । ଏହା ଏକ ବହୁମୁଖୀ, ମୂଲ୍ୟଯୁକ୍ତ ଓ ନିଯୁକ୍ତି-ସୃଷ୍ଟିକାରୀ ଶିଳ୍ପ ଅର୍ଥନୀତି ଆଡ଼କୁ ଓଡ଼ିଶାର ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ । ଉତ୍କର୍ଷ ଓଡ଼ିଶା ୨୦୨୫ ଗୋଟିଏ ବର୍ଷ ପୂରଣ କରିବାକୁ ନିକଟତର ହେଉଥିବାରୁ ହାଇଦ୍ରାବାଦ ଗସ୍ତର ସଫଳତା ଓଡ଼ିଶାର ଶିଳ୍ପ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି । ଏହି ସମୟ ମଧ୍ୟରେ, ଏହି ପଦକ୍ଷେପ ନିବେଶକଙ୍କ ବିଶ୍ୱାସକୁ ବାସ୍ତବରେ ସୁଦୃଢ କରିପାରିଛି । ନିବେଶ ଆକର୍ଷଣ, ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ନିଯୁକ୍ତି ସୃଷ୍ଟିରେ ଅଭିବୃଦ୍ଧି ଏହାର ପ୍ରମାଣ ।
ସେ କହିଥିଲେଯେ, ଶିଳ୍ପ ବିକାଶରେ ଆମର ଅଭିପ୍ରାୟ ବାସ୍ତବରେ ରୂପାନ୍ତରିତ ହେଉଛି । ଏହି ସଫଳତା ହେଉଛି ତା’ର ପ୍ରମାଣ । ଓଡ଼ିଶାର ଅଭିବୃଦ୍ଧିର କାହାଣୀ ଉପରେ ନିବେଶକମାନଙ୍କ ବଢ଼ୁଥିବା ଆତ୍ମବିଶ୍ୱାସକୁ ଏହା ପ୍ରତିଫଳିତ କରୁଛି ।
ଏହି ଗସ୍ତର ସାରାଂଶକୁ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଶିଳ୍ପ ଅଭିବୃଦ୍ଧି ପାଇଁ ଓଡ଼ିଶାର ମୂଳମନ୍ତ୍ର ହେଉଛି ଭରସା, ନିରନ୍ତର ପ୍ରୟାସ ଏବଂ ଦୀର୍ଘସ୍ଥାୟୀ ସହଭାଗୀତା । ଏହି ପ୍ରେସ୍ମିଟ୍ ସମୟରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକଗଣ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Samir Kumar Rout