ଜାତି ଜନଗଣନା ହେବ
ାା ଏଜେନ୍ସି ।ା ନୂଆଦିଲ୍ଲୀ: ଆସନ୍ତା ଜନଗଣନାରେ ଜାତି ଗଣାଯିବ । ଅର୍ଥାତ୍ ଆଗାମୀ ଦିନରେ ହେବାକୁ ଥିବା ଚତୁର୍ଥ ଜନଗଣନାରେ ଜାତିକୁ ମଧ୍ୟ ସାମିଲ କରାଯିବ ବୋଲି ଆଜି ଅନୁଷ୍ଠିତ ହୋଇଥିବା ସିସିପିଏ (ରାଜନୈତିକ ବ୍ୟାପାର କ୍ୟାବିନେଟ୍ କମିଟି) ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ୱଚ୍ଛତା ଭିତ୍ତିରେ ଜାତିଗତ ଜନଗଣନା କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତୀୟ ଜନତା ଆର୍ଥିକ ଏବଂ ସାମାଜିକ ସ୍ତରରେ କେତେ ସଶକ୍ତ ହୋଇଛନ୍ତି ଏବଂ ଭାରତ କେତେ ସୁଦୃଢ଼ ହୋଇଛି ତାହାକୁ ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ତେବେ ପ୍ରତି ୧୦ବର୍ଷରେ ଥରେ ଜନଗଣନା ଅନୁଷ୍ଠିତ ହେଉଥିବା ବେଳେ ଏପ୍ରିଲ ୨୦୨୦ରେ ମଧ୍ୟ ଜନଗଣନା ପାଇଁ ପ୍ରସ୍ତୁତି ଶେଷ ହୋଇଥିଲା । କିନ୍ତୁ କୋଭିଡ୍ ମହାମାରୀ ପାଇଁ ଏହି ପ୍ରକ୍ରିୟା ବିଳମ୍ବ ହେବା ଯୋଗୁ ଜନଗଣନା ବାଧାପ୍ରାପ୍ତ ହୋଇଥିଲା । ଫଳରେ ୨୦୨୧ରେ ପ୍ରକାଶ ପାଇବାକୁ ଥିବା ରିପୋର୍ଟ ପ୍ରକାଶିତ ହୋଇପାରି ନ ଥିଲା ।
ଏହାବାଦ ଅଶ୍ୱିନୀ କହିଛନ୍ତି ଯେ, ଆଜିର କ୍ୟାବିନେଟ୍ ନିଷ୍ପତ୍ତିକୁ କଂଗ୍ରେସ ଦୃଢ଼ ଭାବେ ବିରୋଧ କରୁଛି । କଂଗ୍ରେସ କହିବା କଥା କେବଳ ଭୋଟ୍ ବ୍ୟାଙ୍କ ସଶକ୍ତ କରିବାକୁ ବିଜେପି ସରକାର ଏଭଳି ନୂଆ ନିୟମ ଆଣୁଛନ୍ତି । ଏହାକୁ ଭିତ୍ତି କରି ବୈଷ୍ଣବ କହିଛନ୍ତି ଯେ, ପୂର୍ବରୁ ୨୦୧୦ ଜନଗଣନା ସମୟରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଏହି ଜାତି ଜନଗଣନାକୁ ନେଇ କ୍ୟାବିନେଟ୍ ବୈଠକରେ ଏହା ଆଲୋଚନା ହେବା ଉଚିତ ବୋଲି କହିଥିଲେ । ପରେ ଏଥିପାଇଁ ଏକ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିବା ବେଳେ ଏଭଳି ଜାତି ଜନଗଣନାକୁ କେତେକ ମନ୍ତ୍ରୀ ସ୍ୱାଗତ ମଧ୍ୟ କରିଥିଲେ । ଆଉ ଏସ୍ଇଇସି (ସାମାଜିକ-ଅର୍ଥନୈତିକ ଓ ଜାତି ଗଣନା) ନାମରେ ସର୍ଭେ ମଧ୍ୟ କରାଯାଇଥିଲା । ଅଧିକାଂଶ ରାଜ୍ୟସରକାର ମଧ୍ୟ ଏହାକୁ ସମର୍ଥନ କରି ରାଜ୍ୟସ୍ତରରେ ରିପୋର୍ଟ ମଧ୍ୟ ଦେଇଥିଲେ । କିନ୍ତୁ ପରିଶେଷରେ ଏହି ରିପୋର୍ଟକୁ ତକ୍ରାଳୀନ କଂଗ୍ରେସ ସରକାର ରଦ୍ଦ କରିଦେଇଥିଲେ । ବୈଷ୍ଣବ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ, କଂଗ୍ରେସକୁ କେବଳ ରାଜନୈତିକ ଦୃଷ୍ଟିକୋଣ ଦେଖାଯାଉଛି । ଯାହାଫଳରେ ଏହି ଜାତି ଜନଗଣନା କଂଗ୍ରେସକୁ ଅଡ଼ୁଆ କରୁଛି ଏବଂ ଏହାକୁ ଅସ୍ୱଚ୍ଛ ବୋଲି କହୁଛି । ଅପରପକ୍ଷେ ଆଜି କ୍ୟାବିନେଟ୍ ନିଷ୍ପତ୍ତିକୁ ଅଧିକାଂଶ ରାଜ୍ୟ ସମର୍ଥନ ମଧ୍ୟ କରିଛନ୍ତି । ଏହାରି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏହାକୁ ସମର୍ଥନ କରି କହିଛନ୍ତି ଯେ, ବହୁ ଆଗରୁ ଏ ସମ୍ପର୍କରେ ଆମେ ଦାବି କରି ଆସୁଥିଲୁ, ଆଉ ଆଜି ତାହା ପୂରଣ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ସମ୍ପର୍କରେ ନିତିଶ କୁମାର ନିଜ ଏକ୍ସ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ସୂଚନା ଯେ, ପ୍ରଥମ ରାଜ୍ୟ ଭାବେ ବିହାର ଜାତିଜନଗଣନା କରି ଅକ୍ଟୋବର ୨୦୨୩ରେ ରିପୋର୍ଟ ଦେଇଥିଲା । ରିପୋର୍ଟ ଅନୁସାରେ ରାଜ୍ୟର ମୋଟ୍ ଜନସଂଖ୍ୟା (୧୩କୋଟିରୁ ଅଧିକ)ରୁ ୩୬% ନିହାତି ପଛୁଆ ବର୍ଗର, ୧୫.୫୨% ସାଧାରଣବର୍ଗର ଏବଂ ୨୭.୧୩% ପଛୁଆବର୍ଗର ବୋଲି ଦର୍ଶାଇଥିଲା ।