ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ

 ଅନୁଗୁଳ: ଆନେ୍ଦାଳନ ପରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏହି ଆନେ୍ଦାଳନକୁ ଗତ ୧ ତାରିଖରେ ବର୍ଷେ ବିତିଯାଇଥିଲେ ମଧ୍ୟ ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ୧୯୭୩ ମସିହାରେ ରେଙ୍ଗାଳି ଜଳ ଭଣ୍ଡାର ନିର୍ମାଣ ଦ୍ୱାରା ପାଳଲହଡ଼ା ଓ ଦେବଗଡ଼ ଜିଲ୍ଲାର ୨୬୩ଟି ଗାଁ ଜଳମଗ୍ନ ହୋଇଥିଲା । ଫଳରେ ଏହି ଗାଁର ଲୋକମାନଙ୍କୁ ନିକଟସ୍ଥ ବିଭିନ୍ନ ଗ୍ରାମରେ ଅବସ୍ଥାପିତ କରାଯାଇଥିଲା । ପାଳଲହଡ଼ାଠାରେ ରେଙ୍ଗାଳି ଡ୍ୟାମ ନିର୍ମାଣକୁ ଇତିମଧ୍ୟରେ ୫୦ ବର୍ଷ ପୂରିଛି । ମାତ୍ର ଭିଟାମାଟି ହରାଇଥିବା ପ୍ରଜାମାନେ ଦୁଃଖ କଷ୍ଟରେ ଜୀବନ କାଟୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ମିଳିପାରିନାହିଁ । ୨୦୧୦ରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସୁପାରିଶ ଅନୁଯାୟୀ ପ୍ରତ୍ୟେକ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ତତକାଳୀନ ସରକାର ଘୋଷଣା କରିଥିଲେ । ଏହା ଭିତରେ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ୨୦୨୩ ମସିହା ଡିସେମ୍ବର ୧ ତାରିଖରେ ଦ୍ୱିତୀୟ ଚିଲିକା ରେଙ୍ଗାଳି ଜଳ ଭଣ୍ଡାରରେ ବିସ୍ଥାପିତ ପ୍ରଜା ସଂଘର ସଭାପତି ଡଃ. ସନ୍ତୋଷ କୁମାର ଦେହୁରୀଙ୍କ ନେତୃତ୍ୱରେ ୧୪ ଦିନ ଧରି ଜଳ ସତ୍ୟାଗ୍ରହ କରାଯାଇଥିଲା । କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ସେତେବେଳେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତିି ଦିଆଯାଇଥିଲା । ହେଲେ ତାହା ପ୍ରତିଶ୍ରୁତିରେ ହିଁ ରହିଯାଇଛି । ତେବେ ଜଳ ସତ୍ୟାଗ୍ରହର ବର୍ଷେ ପୂର୍ତ୍ତି ଅବସରରେ ଗତ ୧ ତାରିଖରେ ଦ୍ୱିତୀୟ ଚିଲିକାଠାରେ ଡଃ. ସନ୍ତୋଷ କୁମାର ଦେହୁରୀଙ୍କ ସଭାପତିତ୍ୱରେ ପାଳଲହଡ଼ା ରେଙ୍ଗାଳି କ୍ଷତିଗ୍ରସ୍ତ ପ୍ରଜା ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଜୁନ ମାସରେ ନୂତନ ସରକାର ଆସିବା ପରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ବିଧାନସଭାରେ ରେଙ୍ଗାଳି ଓ ସମଲ ବ୍ୟାରେଜ ପ୍ରଜା ସଂଘର ସମସ୍ୟା ଉଠାଇଥିଲେ । ଫଳରେ ଚକ୍ରଧର ପ୍ରକଳ୍ପ ନିର୍ମାଣ ପାଇଁ ଚାଷୀଙ୍କ ସ୍ୱାର୍ଥ ରକ୍ଷାପାଇଁ ପାଳଲହଡ଼ା ନିର୍ବାଚନ ମଣ୍ଡଳୀର ୯୦ ଗାଁର ଜମିକୁ ଜଳସେଚନ ହେବା ପାଇଁ ମୋହନ ସରକାର ବଜେଟରେ ବ୍ୟବସ୍ଥା କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ରୁଦ୍ରନାରାୟଣ ପାଣି, ବିଧାୟକ ଅଶୋକ ମହାନ୍ତିଙ୍କୁ ବୈଠକରେ ଧନ୍ୟବାଦ ପ୍ରଦାନ କରାଯାଇଥିଲା । କ୍ଷତିପୂରଣ ପାଇବା ପାଇଁ ବିଧାୟକ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ଚଳିତ ମାସ ଶେଷ ସୁଦ୍ଧା ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ଏହି ବୈଠକରେ ସଦସ୍ୟ ଗୋପାଳ ବିଶ୍ୱାଳ, ରୁଦ୍ରନାରାୟଣ ଜେନା, ମୁରଲୀଧର ଜେନା, ସଂଗ୍ରାମ କେଶରୀ ପାଳଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।