ଲାଞ୍ଚୁଆ ଅମିନଙ୍କୁ ୩ବର୍ଷ ଜେଲ୍

  ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ତହସିଲର ଜଣେ ଅମିନ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ଘଟଣାର ଭିଜିଲାନ୍ସ କେସ୍ ନଂ ୧/୨୦ର ଶୁଣାଣୀ କରି ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ଅମିନକୁ ୭ ପିସି ଆକ୍ଟରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । 
ପ୍ରକାଶ ଯେ, ସଦର ଥାନା ବେଶାଳିଆ ଗ୍ରାମର ଅରୁଣ ପଟ୍ଟନାୟକ ତାଙ୍କ ପତ୍ନୀଙ୍କ ନାମରେ ସହରର ଜୁବୁଲି ଟାଉନରେ ଗୋଟିଏ ପ୍ଲଟ ଥିଲା । ସେହି ପ୍ଲଟର ଡିମାରେକେସନ ପାଇଁ ସେ ସଦର ତହସିଲରେ ଆବେଦନ କରିଥିଲେ । ତହସିଲ ପକ୍ଷରୁ କାର୍ଯ୍ୟାଳୟର ତତ୍କାଳୀନ ଅମିନ ଶୁଭ୍ରଜିତ୍ ସାହୁଙ୍କୁ ଡିମାରେକେସନ ପାଇଁ ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ପଟ୍ଟନାୟକଙ୍କ ଜାଗାଟିକୁ ଶ୍ରୀ ସାହୁ ଡିମାରେକେସନ କରି ସାରିବା ପରେ ତାର କାଗଜପତ୍ର ଅଫିସରେ ଦାଖଲ କରିନଥିଲେ । ଅଭିଯୋଗକାରୀ ଅରୁଣ ପଟ୍ଟନାୟକ ତହସିଲରେ ଏହାର ସାର୍ଟିଫାଏଡ୍ କପି ମାଗିବା ପରେ ଜାଣିବାକୁ ପାଇଲେ ଯେ, ଅମିନ ଶ୍ରୀ ସାହୁ ଡିମାରେକେସନ ରିପୋର୍ଟଟି ଅଫିସକୁ ନ ଦେଇ ନିଜ ପାଖରେ ରଖିଛନ୍ତି । ଏ ସଂପର୍କରେ ଶ୍ରୀ ସାହୁଙ୍କୁ ସେ ପଚାରିବାରୁ ତାଙ୍କୁ ୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶ୍ରୀ ପଟ୍ଟନାୟକ ଟଙ୍କା ଲାଞ୍ଚ ନ ଦେଇ ୩-୧-୧୯ରେ କଟକ ଭିଜହିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଶ୍ରୀ ପଟ୍ଟନାୟକ ୧ହଜାର ଟଙ୍କା ତହସିଲ କାର୍ଯ୍ୟାଳୟରେ ଶୁଭ୍ରଜିତକୁ ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ତାଙ୍କୁ ମାଡି ବସି ଗିରଫ କରିଥିଲେ । ପରେ ଶ୍ରୀ ସାହୁ ଜାମିନ୍ରେ ଆସି କଙ୍କଡାହାଡ ତହସିଲରେ କିଛିଦିନ ପରେ ବର୍ତ୍ତମାନ ଗନ୍ଦିଆ ତହସିଲରେ କାର୍ଯ୍ୟରତ ଅଛନ୍ତି । ଉକ୍ତ କେସ୍ର କଟକ ଭିଜିଲାନ୍ସ କେସ୍ ନଂ ୧/୩-୧-୧୯ ର ଆଜି  ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ପ୍ରଣତି ଶାହା ବିଚାର କରି ସରକାରଙ୍କ ପକ୍ଷରୁ ୫ ଜଣ ସାକ୍ଷୀ ଓ ସମସ୍ତ ୩୮ ଟି ଦସ୍ତାବିଜକୁ ଭିତ୍ତିକରି ଶୁଭ୍ରଜିତକୁ ୭ ପିସି ଆକ୍ଟରେ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ହେମନ୍ତ କୁମାର ଖଟୁଆ ଓ ଆଡିସନାଲ ପିପି ଚନ୍ଦ୍ରକାନ୍ତ ଦାସ  ମାମଲା ପରିଚାଳନା କରୁଥିଲେ ।