୧୧ରୁ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘ ମେଳା
ଢେଙ୍କାନାଳ: ଆସନ୍ତା ୧୧ ତାରିଖଠାରୁ ଆରମ୍ଭ ହେବ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଏନେଇ ଦ୍ୱିତୀୟ ପ୍ରସ୍ତୁତି ବୈଠକ କରାଯାଇଛି । ମାଘ ମେଳାକୁ କିପରି ଭାବରେ ଶାନ୍ତିଶୃଙ୍ଖଳାର ସହ କରାଯିବ ସେନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ବିଶେଷ ଭାବରେ ମେଳା ସମୟରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଡ଼ା ନଜର ରଖିବା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ପାଇଁ ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ସଭାଗୃହଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ତଥା ଶେଷ ପ୍ରସ୍ତୁତି ବୈଠକ କରାଯାଇଛି । ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ମାଦକ ଦ୍ରବ୍ୟ ବ୍ୟବହାର ଓ ବିଶୃଙ୍ଗଳାକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଳାର ସୁପରିଚାଳନା ପାଇଁ ଜିଲ୍ଲାପାଳ, ଗାଦି ମନ୍ଦିର, ଆଶ୍ରମ, ମେଳା ପଡ଼ିଆ ପରିଦର୍ଶନ କରି ସାଧୁବାବାମାନଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଆଇନ ଶୃଙ୍ଖଳା ଓ ଯାନବାହାନ ଚଳାଚଳ, ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ମେଳା ଆୟୋଜନ ସଂପର୍କରେ ଅବଗତ କରାଇଛନ୍ତି ।