ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ

 କେନ୍ଦୁଝର : ସାଧାରଣତଃ ପାର୍ବଣ ଋତୁରେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ ବହୁ ମାତ୍ରାରେ ବ୍ୟବହାର ହୋଇଥାଏ । ଜନସାଧାରଣ ମାନେ ପୂଜା ସମୟରେ ପଲିଥିନ ବ୍ୟାଗ, କପ, ପ୍ଲେଟ, ଗ୍ଲାସ, ଥୋର୍ମକୁଲ ଇତ୍ୟାଦି ବହୁଳ ମାତ୍ରରେ ବ୍ୟବହାର କରିଥାନ୍ତି । ଫଳରେ ପରିବେଶ ପ୍ରଦୂଷିତ ହୋଇଥାଏ । ପୂଜାସ୍ଥଳରେ ମଧ୍ୟ ପୂଜା କମିଟି ମାନେ ନିଷିଦ୍ଧ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ ଦ୍ୱାରା ପୂଜା ମଣ୍ଡପକୁ ସଜାଇବା, ପ୍ରସାଦ ଏବଂ ପାଣି ବଂଟନ କରିଥାନ୍ତି । ଫଳରେ ବହୁଳ ମାତ୍ରାରେ ଏହା ବ୍ୟବହାର ହୋଇଥାଏ । ଏସବୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ପୂଜା କମିଟିକୁ ଅନୁମତି ଦେବା ପୂର୍ବରୁ କେତେକ ନିୟମ ପାଳନ କରିବା ପାଇଁ ଆନନ୍ଦପୁର, କେନ୍ଦୁଝର, ଚମ୍ପୁଆ ଉପ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ପୌରପାଳିକା ଏବଂ ଚମ୍ପୁଆ ଏନଏସିର ନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିଦେ୍ର୍ଦଶ ଦେଇଛନ୍ତି । ପୂଜା କମିଟି ମାନେ ଅନୁମତି ନେବା ବେଳେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଏକ ଅଣ୍ଡରଟେକିଂ ପ୍ରଦାନ କରିବେ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ ରହିଛି ।
ଏହାର ତଦାରଖ ପୌରପାଳିକା ପକ୍ଷରୁ ନିୟମିତ କରାଯିବ । ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ପରିବର୍ତ୍ତେ ଜନସାଧାରଣଙ୍କ ବ୍ୟବହାର ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ପୂଜା କମିଟିମାନେ କରିବେ । କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଅନୁସାରେ ପୂଜା ସ୍ଥଳରେ ସୃଷ୍ଟି ହେଉଥିବା କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପୂଜା କମିଟିମାନେ କରିବେ । ମୂର୍ତ୍ତୀ ନିର୍ମାଣ ସମୟରେ ପ୍ରାକୃତିକ ମୂର୍ତ୍ତିକା ସହିତ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ମୂର୍ତ୍ତୀର ଉଚ୍ଚତା ୨୦ ଫୁଟ ଏବଂ ପୂଜା ମଣ୍ଡପର ଉଚ୍ଚତା ୪୦ ଫୁଟ ମଧ୍ୟରେ ରଖିବା ପାଇଁ କମିଟି ପଦକ୍ଷେପ ନେବେ । ପୂଜା ମଣ୍ଡପ ନିକଟରେ ଓଦା ଓ ଶୁଖିଲା ବର୍ଜ୍ୟ ଲାଗି ପୃଥକ୍ ଡଷ୍ଟବିନ୍ ରହିବ । ଏହାସହ ସଂଗୃହୀତ ଅଳିଆକୁ ପୌରପାଳିକା ପକ୍ଷରୁ ନିୟୋଜିତ ସଫେଇ ଗାଡି ନିୟମିତ ଭାବେ ଉଠାଇ ନେବ । ଯେଉଁମାନେ ସାମୂହିକ ପୂଜା କରୁଛନ୍ତି, ସେହି ସ୍ଥାନର ୫ମିଟର ଚତୁଃପାଶ୍ୱର୍କୁ ନିଜ ଦାୟିତ୍ୱରେ ସଫା ରଖିବାକୁ ପରାମର୍ଶ ଦିଆଯାଇଛି । ଖାଲି ସେତିକି ନୁହେଁ, ସମସ୍ତ ପ୍ରକାର ବିଦୁ୍ୟତ ସଂଯୋଗର ବୈଧତା ଓ ନିରାପତ୍ତା ରକ୍ଷା କରିବା ଓ ବିଦୁ୍ୟତ ବିତରକ ଟିପିଏନ୍ଓଡିଏଲର ନିୟମ ପାଳନ କରିବାକୁ ନିଦେ୍ର୍ଦଶ ଦେଇଛି । ପୂଜା ସମାପ୍ତ ହେବାର ୧୫ଦିନ ମଧ୍ୟରେ ପ୍ରଦୂଷଣମୁକ୍ତ ପୂଜାସ୍ଥଳ ପାଇଁ ନିଆଯାଇଥିବା ପଦକ୍ଷେପର ଫଟୋ ଆଂଚଳିକ ଅଧିକାରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଙ୍କୁ ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ପାର୍ବଣ ଋତୁରେ ଦୂର୍ଗାପୂଜା, ଗଜଲକ୍ଷ୍ମୀ ପୂଜା ଏବଂ କାଳୀପୂଜା ପାଳନ ବେଳେ ହାଇକୋର୍ଟଙ୍କ ଦ୍ୱାରା କରାଯାଇଥିବା ଏହି ସବୁ ଗାଇଡଲାଇନ ଗୁଡିକ ଅନୁସରଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଡା ନିଦେ୍ର୍ଦଶନାମା ଜାରି କରିଛନ୍ତି ।