ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ


 ଭୁବନେଶ୍ୱର : ଭବାନୀପାଟଣା ଓ ପୁରୀରେ ମୌସୁମୀ ଅଟକି ରହିଥିବାବେଳେ ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତନ ଠାରୁ ୫.୮ କିଲୋମିଟର ଉଚ୍ଚରେ ଏକ ଉପର ବାୟୁମଣ୍ଡଳ ଘୂର୍ଣ୍ଣିବଳୟ ସୃଷ୍ଟିହୋଇଛି  । ଏହାର ପ୍ରଭାବ କିନ୍ତୁ ସେଭଳି ପରିଲକ୍ଷିତ ହେବନାହିଁ  । ତେବେ ଓଡ଼ିଶାର କେତେକ ଜିଲ୍ଳାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି  । ସେପଟେ ମୌସୁମୀ ନିଷ୍କ୍ରିୟ ଥିବାରୁ ଖରାର ପ୍ରକୋପ  ବଢ଼ିଯାଇଛି  । ସମ୍ବଲପୁରରେ ତାତି ୪୦.୬ ଡିଗ୍ରୀ ଛୁଇଁଥିବା ରେକର୍ଡ଼ କରାଯାଇଛି  । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ମାଲକାନାଗିରି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି  । ତେବେ ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ  । ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ କେନ୍ଦୁଝରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଏବଂ ଝଟକା ପବନର ବେଗ ୩୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି  । ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ସୃଷ୍ଟି ହେବ  । ଅପରପକ୍ଷରେ ବାରିପଦାରେ ତାତି ୩୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୦ ହିଗ୍ରୀ, ସମ୍ବଲପୁରରେ ୪୦.୬ ଡିଗ୍ରୀ, ନୂଆପଡ଼ା ଓ ଖୋର୍ଦ୍ଧାରେ ତାତି ୩୯ ଡିଗ୍ରୀ ରହିଛି  । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆଗାମୀ ୭ ଦିନ ମଧ୍ୟରେ ଏହା ଅବପାତର ରୂପ ନେଇପାରେ  । ଏହି ଘୂର୍ଣ୍ଣିବଳୟର ବିଶେଷ ପ୍ରଭାବ ଓଡିଶା ଉପରେ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ  । ଆସନ୍ତା ୧୧ କିମ୍ବା ୧୨ରେ ଦକ୍ଷିଣ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ତାର ପ୍ରଭାବରେ ଦକ୍ଷିଣ ଓଡିଶାରେ ୧୩ରୁ ବର୍ଷା ହେବ  । ସେହିଭଳି ୧୬ କିମ୍ବା ୧୭ ଆଡ଼କୁ ପୁଣି ଏକ ଘୂର୍ଣ୍ଣିିବଳୟ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି  ।