ରେକର୍ଡ଼ ଭାଙ୍ଗିଲା ମେ’ ବର୍ଷା

ରେକର୍ଡ଼ ଭାଙ୍ଗିଲା ମେ’ ବର୍ଷା


 ଭୁବନେଶ୍ୱର:  ଚଳିତ ବର୍ଷ ମେ’ରେ ହୋଇଥିବା ବର୍ଷା ୧୨୪ ବର୍ଷର ରେକର୍ଡ଼ ଭାଙ୍ଗିଛି  । ୧୯୦୧ ପରେ ସର୍ବାଧିକ ବର୍ଷା ହୋଇଥିବା ନେଇ ଆଇଏମଡ଼ି ପକ୍ଷରୁ କୁହାଯାଇଛି  । ସେହିପରି ୨୦୨୧ ପରେ ପଶ୍ଚିମ ଉପକୂଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ଭାରତରେ ୧୦୫୩ ଥର ଅତ୍ୟଧିକ ବର୍ଷା (୬୪.୪-୧୧୫.୫ ମିମି) ବର୍ଷା ହୋଇଛି  । ଯାହାକି ୨୦୨୧ ପରେ ସର୍ବାଧିକ  । ମେ’ ମାସରେ ଦେଶରେ ହାରାହାରି ବର୍ଷା ୧୨୬.୭ ମିମି ହୋଇଥିବାବେଳେ ୧୯୦୧ ପରେ ତାହା ସର୍ବାଧିକ ବୋଲି ଦର୍ଶାଯାଇଛି  । ତଥ୍ୟ ଅନୁଯାୟୀ, ମେ’ରେ ଦେଶରେ ସାଧାରଣତଃ ୬୧.୪ ମିମି ବର୍ଷା ହୋଇଥାଏ  । ସେହିପରି ଉତ୍ତର ପଶ୍ଚିମ ଭାରତରେ ୩୪.୬ ମିମି ବର୍ଷା ହେଉଥିବାବେଳେ ଗତ ମେ’ରେ ତାହା ୪୮.୧ ମିମି ହୋଇଛି  । କେନ୍ଦ୍ରୀୟ ଭାରତରେ ସାଧାରଣ ବର୍ଷା ପରିମାଣ ହାରାହାରି ୧୯ ମିମି ରହିଥାଏ  । କିନ୍ତୁ ଗତ ମାସରେ ୧୦୦.୯ ମିମି ବର୍ଷା ରେକର୍ଡ଼ କରାଯାଇଛି  । ଅପରପକ୍ଷରେ ଦକ୍ଷିଣ ଉପଦ୍ୱୀପାଞ୍ଚଳରେ ସାଧାରଣ ବର୍ଷା ୭୧.୮ ମିମି ଥିବାବେଳେ ମେ’ରେ ୧୯୯.୭ ମିମି ବର୍ଷା ହୋଇଛି  । ଅପରପକ୍ଷରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୧୮୯.୯ ମିମି ବର୍ଷା ହେଉଥିବାବେଳେ ଗତ ମେ’ରେ କିନ୍ତୁ ତାହା ୨୪୨.୮ ମିମି ରେକର୍ଡ଼ କରାଯାଇଛି  । ଗତ ମେ’ରେ ୨୫ଟି ସବଡ଼ିଭିଜନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୫ ସବଡ଼ିଭିଜନରେ ପ୍ରବଳ ବର୍ଷା ଓ ୬ ସବଡ଼ିଭିଜନରେ ସ୍ୱାଭାବିକ ବର୍ଷା ରେକର୍ଡ଼ କରାଯାଇଛି  ।     
ଅପରପକ୍ଷରେ ଗତ ମେ’ରେ ବଜ୍ରପାତ କାରଣରୁ ୧୯୯ ଜୀବନ ଯାଇଛି  । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ, ଝାରଖଣ୍ଡ, ବିହାର, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆସାମ, ଗୁଜୁରାଟ, କେରଳ, ପଞ୍ଜାବ, ଚଣ୍ଡୀଗଡ଼, ଜାମ୍ମୁକାଶ୍ମୀରରେ ବଜ୍ରପାତରେ ଅଧିକ ଜୀବନ ଯାଇଛି  । ସେହିପରି ପ୍ରବଳ ବର୍ଷା କାରଣରୁ ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆସାମ ଓ ଦିଲ୍ଲୀରେ ୫୮ ଜଣଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି  ।