ସବୁ ନିର୍ବାଚନମଣ୍ଡଳୀ ବୁଲିବି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପି ସାଂସଦ ଓ ବିଧାୟକମାନଙ୍କ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳର ସାଂସଦ ଓ ବିଧାୟକଙ୍କ ସହ ବର୍ଷକର ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ‘ବର୍ଷ ଏକ, ଉପଲବ୍ଧô ଅନେକ’ ଥିମ୍ରେ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ସାଂସଦ ଓ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ମୋହନ ସରକାରଙ୍କ ସଫଳତା, ବିଭିନ୍ନ ଅଭିନବ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅପରେସନ ସିନ୍ଦୁରର ସଫଳତା ପାଇଁ ଭାରତର ସେନା ବାହିନୀକୁ ସଲାମ କରୁଛି ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ ନେତୃତ୍ୱ ପାଇଁ ଅଭିନନ୍ଦନ ଜଣାଉଛି । ପାକିସ୍ତାନର ଆତଙ୍କବାଦର ମୁଖାକୁ ସାରା ବିଶ୍ୱରେ ଖୋଲିବା ପାଇଁ ଓଡିଶାର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବୈଜୟନ୍ତ ପଣ୍ଡା ଭାରତର ସଫଳ ପ୍ରତିନିଧିତ୍ୱ କରିଥିଲେ । ସେମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି ।
ଆଜିକୁ ଏକ ବର୍ଷ ତଳେ ଅର୍ଥାତ ଜୁନ ୪, ୨୦୨୪ରେ ଓଡିଶାର ଜନ ସାଧାରଣ ଆମ ଉପରେ ଆସ୍ଥା ପ୍ରକଟ କରି ଆମକୁ ସମୃଦ୍ଧି ଓ ବିକଶିତ ଓଡ଼ିଶା ଗଠନର ଦାୟିତ୍ୱ ଦେଇଥିଲେ । ଜୁନ ୧୨ ତାରିଖରେ ଓଡିଶାରେ ପ୍ରଥମ ଥର ଭାବେ ଆମ ସରକାର ଗଠନ ହୋଇଥିଲା । ଏହା ଆମ ସମସ୍ତଙ୍କପାଇଁ ଏକ ଐତିହାସିକ କ୍ଷଣ ଥିଲା । ଶାସନଭାର ସମ୍ଭାଳିବା ସହିତ ଆସିଥିଲା ଏକ ଗୁରୁ ଦାୟିତ୍ୱ । ଓଡିଶାର ସାଢେ ଚାରିକୋଟି ଜନତା ଯେଉଁ ଆଶା ଓ ଆକାଂକ୍ଷା ସହିତ ଏକ ବିକଳ୍ପ ବାଛିଥିଲେ, ତାହା ପୂରଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଥିଲା । ମୁଁ ଭଲ ଭାବେ ଜାଣିଥିଲି ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଯିବ ବିଗତ ସରକାର ସହିତ ତୁଳନା । ମୁଁ ଏହା ବି ହୃଦୟଙ୍ଗମ କରିଥିଲି ଯେ ଲୋକେ କହିବେ ଆମର ମନ୍ତ୍ରୀମଣ୍ଡଳ ଏକ ଅନଭିଜ୍ଞ ମନ୍ତ୍ରୀମଣ୍ଡଳ । ଆମ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ସମୟ ବହୁତ କମ ଥିଲା । ‘ଜୀବନ ଜୀବିକା, ଭିତ୍ତିଭୂମି, ସାମାଜିକ ସୁରକ୍ଷା ଓ ସମାଜ କଲ୍ୟାଣ ତଥା ଓଡିଆ ଅସ୍ମିତା’କୁ ଆମେ ଗୁରୁତ୍ୱ ଦେଇଥିଲୁ । ମାତ୍ର ୧୨୫ ଭିତରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଓଡିଶାର ପ୍ରତି ଜିଲ୍ଲା ହେବ ଶିଳ୍ପାୟନ । ଧାନ କୁଇଣ୍ଟାଲ ୨୧ ଶହ ଟଙ୍କା କରାଯାଇଛି । ୬୫ ହଜାର ୦୧୨ କୋଟି ଟଙ୍କା କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ ହୋଇଛି । ଆଜି ଡବଲ ଇଞ୍ଜିନ ସରକାରର ସବୁ ସିଲିଣ୍ଡର ଫାୟାର କରୁଛି । ଏହାର ପ୍ରମାଣ ହେଉଛି ମାତ୍ର ବର୍ଷକ ଭିତରେ ରେଳ ବିକାଶ ପାଇଁ ୭୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ରାଜ୍ୟରେ ସଡକ ବିକାଶ ପାଇଁ ୧୨ ହଜାର କୋଟିରୁ ବି ଅଧିକ ପ୍ରକଳ୍ପ ଚାଲୁଅଛି । ରାଜ୍ୟରେ ଆଗାମୀ ଦିନରେ ୭୫ ହଜାର କିଲୋମିଟର ଉଚ୍ଚମାନର ସଡକ ନିର୍ମିତ ହେବ । ଆଗାମୀ ପାଞ୍ଚ ବର୍ଷ ଭିତରେ ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇବା ପାଇଁ କାର୍ଯ୍ୟ ଜାରି ରହିଛି । ୨୦୨୬ ଶୁଦ୍ଧା ପ୍ରତି ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ପାଇପ ଦ୍ୱାରା ଯୋଗାଇ ଦିଆଯିବ । ୬ ହଜାର କୋଟି ଟଙ୍କାରେ “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା” ଆରମ୍ଭ କରୁଛୁ । ଏହି ଯୋଜନା ଦ୍ୱାରା ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ବିକାଶ ହେବ ଏଥି ସହିତ ନୂତନ ଶିକ୍ଷାନୀତି, ୨୦୨୦କୁ ରାଜ୍ୟରେ ଲାଗୁ କରିବା, ଶିଶୁ ବାଟିକା ଇତ୍ୟାଦି ଚଳିତ ଶିକ୍ଷା ବର୍ଷରୁ ଲାଗୁ ହୋଇ ସାରିଛି । ଏହି ସବୁ କାର୍ଯ୍ୟକ୍ରମ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିବ । ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକକ ଯୋଜନା ଭାବେ ଲାଗୁ କରାଯାଉଛି । ଚଳିତ ବଜେଟରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାରୁ ବି ଉର୍ଦ୍ଧ୍ୱ ପ୍ରବଧାନ କରାଯାଇଛି । ଏହି ରେକର୍ଡ ପ୍ରବଧାନ ରାଜ୍ୟର ମହିଳାଙ୍କ ପ୍ରତି ଆମର ପ୍ରତିବଦ୍ଧତା । ଆଜି ଆପଣମାନେ ଜାଣି ଖୁସି ହେବେ ଯେ ଆପଣଙ୍କ ସରକାରକୁ ଓଡିଶାବାସୀ ‘ଲୋକଙ୍କ ସରକାର’ ର ଆଖ୍ୟା ଦେଇଛନ୍ତି, କାରଣ ଆମେ ‘ତୃତୀୟ ମହଲା’ ଓ ‘ଜନତା’ ଭିତରେ ଥିବା ଖାଇକୁ ସଂପୂର୍ଣ୍ଣ ଭାବେ ଧୂଳିସାତ କରିଦେଇଛୁ । ଲୋକଙ୍କ ସରକାର ଉପାଧି ପାଇବାର ଅନ୍ୟ ଏକ କାରଣ ଅଛି । ଗତ ଏକ ବର୍ଷ ଭିତରେ ମୁଁ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି ଏବଂ ସେମାନଙ୍କ ସୁଖଦୁଖରେ ସାମିଲ ହୋଇଥିଲି । ସରକାରର ଦ୍ୱିତୀୟ ବର୍ଷରେ ମୁଁ ରାଜ୍ୟର ପ୍ରତି ବିଧାନସଭା ମଣ୍ଡଳୀଗସ୍ତ କରିବା ପାଇଁ ଯୋଜନା କରିଛି । ପ୍ରଧାନମନ୍ତ୍ରୀ ସ୍ୱୟଂ ୫ ଥର ଓଡ଼ିଶା ଆସିଛନ୍ତି ଏବଂ ଆଗାମୀ ୨୦ ତାରିଖରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ଅଛି । ଓଡ଼ିଶାର ବିକାଶ ଧାରା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ସମର୍ଥନ ଆମ ବିକାଶର ଗତିକୁ ତ୍ୱରାନ୍ୱିତ କରିଛି । ଏଥିପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବ ଏବଂ ୨୦୪୭ ସୁଦ୍ଧା ଏହା ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଏବଂ ‘ବିକଶିତ ଭାରତ'ରେ ଉଲ୍ଲେଖନୀୟ ଯୋଗଦାନ ଦେବ ବୋଲି ଆମେ ଲକ୍ଷ୍ୟ ରଖିଛୁ । ଆଗକୁ ରାସ୍ତା ଲମ୍ବା, ଏବଂ ଏହା ନିଶ୍ଚିତ ଭାବରେ ଆମ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରିବ ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ଓଡିଶାକୁ ପ୍ରତିନିଧିତ୍ୱ କରୁଥିବା ତିନି ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ନିଜ ନିଜ ବିଭାଗରେ ଯାହାସବୁ ସମ୍ଭବ ଓଡିଶା ପାଇଁ ଅବଦାନ ଦେବା ସହିତ, ଅନ୍ୟ ବିଭାଗ ସହିତ ଯୋଗସୂତ୍ର ରକ୍ଷାକରୀ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଏହି ବୈଠକରେ ବାଚସ୍ପତି ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।