ବାଂଲାଦେଶରେ ୨୪ ଘଣ୍ଟା ମଧ୍ୟରେ ଦୁଇ ହିନ୍ଦୁଙ୍କୁ ହତ୍ୟା
ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବଢ଼ିବାରେ ଳାଗିଛି । ୨୪ ଘଣ୍ଟା ମଧ୍ୟରେ ୨ ଜଣଙ୍କୁ ହତ୍ୟା କରାଯାଇଛି । ୧୮ ଦିନରେ ଭିତରେ ୬ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ସୋମବାର ରାତିରେ ନରସିଣ୍ଡିରେ ୪୦ ବର୍ଷୀୟ ଦୋକାନୀ ଶରତ ଚକ୍ରବର୍ତ୍ତୀ ମଣିଙ୍କୁ ହତ୍ୟା କରାଯାଇଛି । ପଲାଶ ଉପଜିଲାର ଚରସିନ୍ଦୁର ବଜାରରେ ମଣିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା ଅଜ୍ଞାତ ଆକ୍ରମଣକାରୀମାନେ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ, ଯାହା ତାଙ୍କୁ ଗୁରୁତର ଆହତ କରିଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଡାକ୍ତରଖାନାକୁ ନେଇଯାଉଥିଲେ, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସେହି ଦିନ ସନ୍ଧ୍ୟାରେ ଯଶୋର ଜିଲ୍ଲାରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ସର୍ବସାଧାରଣ ସ୍ଥାନରେ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣା ସନ୍ଧ୍ୟା ପ୍ରାୟ ୫ଟା ୪୫ ମିନିଟରେ ମଣିରାମପୁର ଉପଜିଲ୍ଲାର ୧୭ ନମ୍ବର ୱାର୍ଡର କୋପଳିଆ ବଜାରରେ ଘଟିଛି । ଗତ ତିନି ସପ୍ତାହ ମଧ୍ୟରେ ପୃଥକ ହିଂସାତ୍ମକ ଘଟଣାରେ ବାଂଲାଦେଶର ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କ ଉପରେ ଏହା ପଞ୍ଚମ ମାରାତ୍ମକ ଆକ୍ରମଣ । ଯାହା ଦେଶବ୍ୟାପୀ ଅଶାନ୍ତି ଓ ପ୍ରତିବାଦ ଜାରି ରହିଥିବା ବେଳେ ଆଇନ ଶୃଙ୍ଖଳା ଉପରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି । ମୃତକଙ୍କ ନାମ ରାଣା ପ୍ରତାପ (୪୫) ବୋଲି ଜଣାଯାଇଛି । ସେ କେଶବପୁର ଉପଜିଲ୍ଲା ଅରୁଆ ଗ୍ରାମର ବାସିନ୍ଦା ତୁଷାର କାନ୍ତି ବୈରାଗୀଙ୍କ ପୁଅ । ପ୍ରତ୍ୟକ୍ଷଦର୍ଶୀ ଓ ପୁଲିସ ସୂତ୍ର ଅନୁଯାୟୀ ବଜାରରେ ଉପସ୍ଥିତ ଥିବା ସମୟରେ ଅଜ୍ଞାତ ଆକ୍ରମଣକାରୀମାନେ ରାଣା ପ୍ରତାପଙ୍କ ଉପରେ ଗୁଳି ଚଳାଇଥିଲେ। ତାଙ୍କ ଦେହରେ ଅନେକ ଗୁଳି ବାଜିଥିଲା ଓ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।
Samir Kumar Rout