ହରଡ଼ଘଣାରେ ୟୁନୁସ ସରକାର ଗୃହଯୁଦ୍ଧ ସ୍ଥିତି!
ଢାକା: ବାଂଲାଦେଶର ମହମ୍ମଦ ୟୁନୁସ ସରକାର ଏବେ ହରଡ଼ଘଣାରେ । ନିର୍ବାଚନ ପାଇଁ ଦେଶରେ ଦାବି ଉଠୁଥିବାବେଳେ ବିକ୍ଷୋଭକାରୀଙ୍କୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଡିସେମ୍ବର ସୁଦ୍ଧା ବାଂଲାଦେଶର ନିର୍ବାଚନ କରିବା ପାଇଁ ବାଂଲାଦେଶ ଆର୍ମି ମୁଖ୍ୟ ଓ ବାଂଲାଦେଶ ନାସନାଲିଷ୍ଟ ପାର୍ଟି ପକ୍ଷରୁ ଦାବି କରାଯାଉଛି । ଏନେଇ ବିକ୍ଷୋଭ ବି ଜାରିରହିଛି । ଅପରପକ୍ଷରେ ୟୁନୁସ ସରକାର ସପକ୍ଷରେ ବି ଲୋକେ ଆନେ୍ଦାଳନ କରିବାକୁ ସଜବାଜ ହେଉଛନ୍ତି । ଏମିତିକି ସହରରେ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ଫଳରେ ଗୃହଯୁଦ୍ଧ ଭଳି ଏକ ସ୍ଥିତି ସୃଷ୍ଟି ହୋଇଛି । ୨୦୨୪ରେ ଲୋକଙ୍କ ଆକ୍ରୋଶର ଶିକାର ହୋଇ ଶେଖ ହସିନାଙ୍କ ସରକାର ଚାଲି ଯାଇଥିଲା । ହାସିନା ମଧ୍ୟ ଦେଶରୁ ଲୁଚି ପଳାଇଥିଲେ । ଅପରପକ୍ଷରେ ଯଦି ବିକ୍ଷୋଭକାରୀ ସରକାରଙ୍କ କାମରେ ବାଧା ଦିଅନ୍ତି ତେବେ ଲୋକଙ୍କୁ ପଚାରି ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେବୋଲି ଚେତାବନୀ ଦିଆଯାଇଛି । ଅପରପକ୍ଷରେ ୟୁନୁସ ବାଂଲାଦେଶର ମୁଖ୍ୟ ଉପଦେଷ୍ଟା ପଦରୁ ଇସ୍ତଫା ଦେବେବୋଲି ଚର୍ଚ୍ଚା ହେଉଥିଲେବି ସେଭଳି କିଛି ହୋଇନଥିବା ସ୍ପଷ୍ଟ କରାଯାଇଛି । ଗୋଟିଏ ପଟେ ସେନା ଓ ବିଏନପି ନିର୍ବାଚନ ଚାହୁଁଥିବାବେଳେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଅନ୍ତରୀଣ ସରକାର ରହୁ ବୋଲି ଆଉ ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି ।