ବାରିପଦାରେ ‘ଆଦିବାସୀ ଶକ୍ତି ସମାବେଶ’ : ‘ଜନଜାତି କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ପ୍ରତିବଦ୍ଧ’
ସ୍ୱତନ୍ତ୍ର ପ୍ରତିନିଧି ପ୍ରୟାଗରାଜ କର : ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଓ ସାମାଜିକ ସୁରକ୍ଷାରେ ଉନ୍ନତି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦% ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାର ଛଉ ପଡିଆ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶକୁ ଉଦଘାଟନ କରି ଏହା କହିଛନ୍ତି ।
ସେ କହିଛନ୍ତିଯେ, ଓଡିଶା ସାଂସ୍କୃତିକ ବୈଭବ ଚିତ୍ରପଟ୍ଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଆଗାମୀ ୧୧ ବର୍ଷ ଭିତରେ ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟକୁ ସାକାର କରିବାକୁ ହେଲେ ରାଜ୍ୟର ୪୦% ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ହେବ । ଆଜି ଏହି ‘ଆଦିବାସୀ ଶକ୍ତି ସମାବେଶ’ରେ ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ହେଉଛି । ଏହି ମେଳା ରାଜ୍ୟର ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କୁ ଏକାଠି କରିବାର ଓ ସେମାନଙ୍କୁ ପରସ୍ପରର ସଂସ୍କୃତି ସହ ପରିଚିତ କରାଇବାର ଏକ ସୁଯୋଗ ସୃଷ୍ଟି କରି ଆସୁଛି । ଏହି ସମାବେଶର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା । ଆମେ ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଓ ସାମାଜିକ ସୁରକ୍ଷାରେ ଉନ୍ନତି କରିବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଥିଲେ ।
ଓଡିଶାର ପ୍ରାଣ ହେଉଛନ୍ତି ଏହାର ଜନଜାତି । ମୟୂରଭଞ୍ଜରୁ ୭ ଜଣ ଆଦିବାସୀ ସମ୍ପ୍ରଦାୟର ବିଧାୟକମାନେ ଜିଲ୍ଲାର ପ୍ରତିନିଧିତ୍ୱ କରୁଛନ୍ତି । ଏଇ ମୟୂରଭଞ୍ଜ ମାଟିର ଜଣେ ସାଧାରଣ ପରିବାରର ଝିଅ ବହୁ ବାଧାବିଘ୍ନ ସତ୍ତ୍ୱେ ଆଜି ଦେଶର ପ୍ରଥମ ନାଗରିକ, ମହାମହିମ ରାଷ୍ଟ୍ରପତି ପଦରେ ଦେଶକୁ ଗୌରବାନ୍ୱିତ କରୁଛନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରା ଜନଜାତିଙ୍କ ବିନା କଳ୍ପନା କରିବା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି । ସେ କହିଛନ୍ତିଯେ, କେନ୍ଦ୍ର ସରକାରଙ୍କ ସହିତ ଓଡିଶା ରାଜ୍ୟ ସରକାର ଜନଜାତି କଲ୍ୟାଣ ପାଇଁ ପ୍ରତିବଦ୍ଧ । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧିନରେ ରାଜ୍ୟର ଜନଜାତି ସମୁଦାୟର ଜୀବିକା ବିକାଶକୁ ପ୍ରୋସôାହନ କରାଯାଉଛି । କୃଷି, ଜଳସେଚନ ଓ ପଶୁପାଳନ ମାଧ୍ୟମରେ ୧.୪୫ ଲକ୍ଷ ଜନଜାତି ପରିବାରର ଜୀବିକା ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି । ୫ ହଜାର ଆଦିବାସୀ ଯୁବକ ଓ ଯୁବତୀ ୧ ଲକ୍ଷ ଟଙ୍କା ଲେଖାଏଁ ସହଯୋଗ ରାଶି ପାଇ ଲଘୁ ଉଦ୍ୟୋଗ ଆରମ୍ଭ କରି ଉପକୃତ ହୋଇଛନ୍ତି । ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆରମ୍ଭ ହୋଇଛି । ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ଆଶ୍ରମ ବିଦ୍ୟାଳୟ ଯୋଜନା ନିମନ୍ତେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପିଏମ୍-ଜନମନ ଯୋଜନା ୧୪ ଜିଲ୍ଲାର ୧୬୭୯ ଗ୍ରାମରେ ବାସ କରୁଥିବା ୨,୯୪,୭୧୨ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି)ଙ୍କ ନିକଟରେ ପହଞ୍ଚିବ । ରାଜ୍ୟ ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ନିମନ୍ତେ ଯଥାକ୍ରମେ ୧୦୦ କୋଟି ଓ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଦିବାସୀ ସଶକ୍ତିକରଣ ଆମ ପାଇଁ କେବଳ ଏକ ସ୍ଳୋଗାନ କିମ୍ବା ଭୋଟ ପାଇଁ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ନୁହେଁ । ଏହା ଆମ ସରକାରଙ୍କ ଆପଣଙ୍କ ପାଇଁ ପ୍ରତିବଦ୍ଧତା ।
ପ୍ରତ୍ୟେକ ଆଦିବାସୀ ପରିବାରରେ ଶିକ୍ଷାର ପ୍ରସାର ହିଁ ଆଦିବାସୀ ସମାଜର ବିକାଶ ବୋଲି ଏସସି ଏସଟି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ । ଗରିବ, ଅବହେଳିତ ଆଦିବାସୀ ଭାଇଭଉଣୀମାନଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେଯେ, ଜନଜାତିମାନଙ୍କ ସାମାଜିକ ବ୍ୟବସ୍ଥା, ସାଂସ୍କୃତିକ ବୈଭବ ଓ ମୌଳିକତାକୁ ବଜାୟ ରଖିବାକୁ ପଡିବ । କାରଣ ଆମ ସଂସ୍କୃତିର ମୂଳପିଣ୍ଡ ହେଉଛନ୍ତି ଆମ ଆଦିମ ଅଧିବାସୀ । ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେଯେ, ଆଦିବାସୀଙ୍କ ଉନ୍ନତିର କେବଳ ଆମ ସଂସ୍କୃତିର ବିକାଶ ନୁହେଁ ବରଂ ଆମ ପର୍ଯ୍ୟାବରଣର ବିକାଶ । ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ଲୋକକଳା, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢେଇ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସାରସକଣା ବିଧାୟକ ଭାଦବ ହାଂସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ୍ ମୁର୍ମୁ, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ । ବଡ଼ସାହି ବିଧାୟକ ସନାତନ ବିଜୁଳି ସ୍ୱାଗତ ଭାଷଣ ଦେଇଥିବା ବେଳେ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ନିଦେ୍ର୍ଦଶିକା ପୋମା ଟୁଡୁ ଧନ୍ୟବାଦ ଦେଇଥିଲେ ।