ସ୍ୱାଭାବିକ ହେଉଛି ନେପାଳ : ସୁଶୀଳା ହୋଇପାରନ୍ତି ଅନ୍ତରୀଣ ସରକାରର ମୁଖ୍ୟ
ନୂଆଦିଲ୍ଲୀ: ହିଂସାରେ ନିଅାଁରେ ଜଳୁଥିବା ନେପାଳରେ ସେନା ବାହିନୀର ହସ୍ତକ୍ଷେପ ପରେ ସ୍ୱାଭାବିକ ସ୍ଥିତି ଫେରିବାକୁ ଲାଗିଛି । ବୁଧବାର ସକାଳେ କାଠମାଣ୍ଡୁ ଓ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ସେନା ବାହିନୀ ପହଞ୍ଚି କଟକଣା ଲାଗୁ କରିବା ସହ ଶାନ୍ତି ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି । ନେପାଳରେ ହିଂସାତ୍ମକ ସରକାର ବିରୋଧୀ ପ୍ରତିବାଦ ପ୍ରଦର୍ଶନର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ । ମଙ୍ଗଳବାର ରାତିରେ ଦେଶବ୍ୟାପୀ ସୁରକ୍ଷା ଅଭିଯାନର କମାଣ୍ଡ ନେଇଥିବା ନେପାଳୀ ସେନା କାଠମାଣ୍ଡୁ, ଲଳିତପୁର ଏବଂ ଭକ୍ତପୁର ସମେତ ସହରଗୁଡ଼ିକରେ କଟକଣା ଲାଗୁ କରିଛନ୍ତି । ସାଧାରଣ ନାଗରିକ ଓ ସାର୍ବଜନୀନ ସମ୍ପତ୍ତିକୁ ଗୁରୁତର କ୍ଷତି ପହଞ୍ଚାଇବା ଗୋଷ୍ଠୀଗୁଡ଼ିକ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଅତ୍ୟନ୍ତ ଆବଶ୍ୟକ ନହେଲେ କର୍ତ୍ତୃପକ୍ଷ ଜନତାଙ୍କୁ ଘର ଭିତରେ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ସେନା ବୁଧବାର ସତର୍କ କରାଇ ଦେଇଥିଲା ଯେ ବିରୋଧ ନାମରେ ଭଙ୍ଗାରୁଜା, ଲୁଟପାଟ, ପୋଡ଼ାଜଳା କିମ୍ବା ବ୍ୟକ୍ତି ଓ ସମ୍ପତ୍ତି ଉପରେ ଆକ୍ରମଣକୁ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯିବ । ଏହାସହ ଆଜି ସନ୍ଧ୍ୟାରୁ କାଠମାଣ୍ଡୁ ବିମାନ ବନ୍ଦର ଖୋଲାଯିବା ସହ ବିମାନ ଚଳାଚଳ ସ୍ୱାଭାବିକ ହେଇଛି । ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ସହ ଆଶାୟୀ ସାକ୍ଷାତ ପୂର୍ବରୁ, ଜେନ-ଜେଡ୍ ପ୍ରତିବାଦକାରୀ ସୁଭାସ କହିଛନ୍ତି ଯେ ସାମ୍ପ୍ରତିକ ହିଂସା କମିପାରେ, କିନ୍ତୁ ସଂସ୍କାର ପାଇଁ ସେମାନଙ୍କର ଦାବି ଜାରି ରହିଛି । ଆମ ଦେଶର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦେଶ ଛାଡି ପଳାଇ ଯାଇଛନ୍ତି । ଆମେ ଜଣେ ଭଲ ନେତା ଦାବି କରୁଛୁ । ଆମେ ଦେଶରେ ନୂତନ ନିୟମ ଓ ନିୟମାବଳୀ ଚାହୁଁଛୁ, ଯାହା ଫଳରେ ଯୁବପିଢ଼ି ଅଧିକ ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି ।
ସରକାରଙ୍କ ସୋସିଆଲ ମିଡିଆ ପ୍ରତିବନ୍ଧକ ଓ ଦୁର୍ନୀତି, ସଂସ୍ଥାଗତ ପକ୍ଷପାତିତା ଓ ଦାୟିତ୍ୱହୀନତା ଉପରେ ଦୀର୍ଘକାଳୀନ ଅଭିଯୋଗ ଯୋଗୁଁ ୮ ତାରିଖରେ କାଠମାଣ୍ଡୁ ଓ ପୋଖରା, ବୁଟୱାଲ ଏବଂ ବୀରଗଞ୍ଜ ସମେତ ଅନ୍ୟାନ୍ୟ ସହରରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପ୍ରତିଦିନ ପ୍ରାୟ ୫,୦୦୦ ନେପାଳୀ ଯୁବକ ବିଦେଶରେ ଚାକିରି ଖୋଜିବା ପାଇଁ ଦେଶ ଛାଡି ଯାଉଛନ୍ତି । ଯାହା ହିଂସାକୁ ବଢାଇଥିଲା । ରାଷ୍ଟ୍ରପତି ସମସ୍ତ ପକ୍ଷକୁ ଶାନ୍ତ ରହିବା ଓ ଆଲୋଚନା ମାଧ୍ୟମରେ ପରିସ୍ଥିତିର ସମାଧାନ କରିବାକୁ ଅନୁରୋଧ କରିଛନ୍ତି । ଗଣତନ୍ତ୍ରରେ ନାଗରିକଙ୍କ ଦାବିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରାଯାଇପାରିବ ବୋଲି ଗୁରୁତ୍ୱାରୋପ କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଜାରି ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ନେପାଳୀ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ଆଲୋଚନା ପାଇଁ ନିବେଦନ କରିଛନ୍ତି । ଦେଶକୁ ଏକ ଶାନ୍ତିପୂର୍ଣ୍ଣ ସମାଧାନ ପ୍ରଦାନ କରିବା ପାଇଁ ଆମେ ପ୍ରତିବାଦରେ ସାମିଲ ଥିବା ସମସ୍ତ ଗୋଷ୍ଠୀକୁ ଏହାକୁ ବନ୍ଦ କରି ଆଲୋଚନାରେ ସାମିଲ ହେବାକୁ ଅନୁରୋଧ କରୁଛୁ ବୋଲି ସେ କହିଛନ୍ତି ।
ନେପାଳର ଜେନେରାଲ ଜେଡ୍ ପ୍ରତିବାଦକାରୀମାନେ ବିଭିନ୍ନ ରାଜନୈତିକ ଓ ସାମାଜିକ ଦାବି ଉପସ୍ଥାପନ କରିଛନ୍ତି । ଯେଉଁଥିରେ ଶାସନରେ ବ୍ୟାପକ ସଂସ୍କାର ଓ ଗତ ତିନି ଦଶନ୍ଧି ମଧ୍ୟରେ ରାଜନେତାଙ୍କ ଦ୍ୱାରା ଲୁଟ ହୋଇଥିବା ସମ୍ପତ୍ତିର ତଦନ୍ତ ପାଇଁ ଆହ୍ୱାନ ଦିଆଯାଇଛି । ଆନେ୍ଦାଳନକାରୀମାନେ ଦାବି କରିଛନ୍ତି ଯେ ପ୍ରତିବାଦ ସମୟରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କୁ ସରକାରୀ ଭାବରେ ସହିଦ ଭାବରେ ମାନ୍ୟତା ଦିଆଯାଉ, ସେମାନଙ୍କ ପରିବାରକୁ ରାଷ୍ଟ୍ରୀୟ ସମ୍ମାନ, ସ୍ୱୀକୃତି ଏବଂ ସହାୟତା ମିଳୁ । ଆୟୋଜକମାନେ ବେକାରୀ ମୁକାବିଲା, ପ୍ରବାସ ରୋକିବା ଏବଂ ସାମାଜିକ ଅନ୍ୟାୟକୁ ଦୂର କରିବା ପାଇଁ ବିଶେଷ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଅପରପକ୍ଷରେ ଅଶାନ୍ତ ହୋଇପଡିଥିବା ନେପାଳର ଶାସନ ଭାର ନେଇପାରନ୍ତି ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାରକୀ । ଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ବାଛିବା ପାଇଁ ଏକ ଭର୍ଚୁଆଲ୍ ବୈଠକରେ ୫୦୦୦ ରୁ ଅଧିକ ଯୁବକ ଯୋଗ ଦେଇଥିଲେ । ସେମାନେ ସର୍ବସମ୍ମତି କ୍ରମେ ଜଷ୍ଟିସ ସୁଶୀଳାଙ୍କ ନାମକୁ ବାଛିଛନ୍ତି । ଅନଲାଇନ୍ ଆଲୋଚନାରେ ଶୀର୍ଷ ପଦବୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ଉପରେ କେନ୍ଦ୍ରିତ ହୋଇଥିଲା । କାଠମାଣ୍ଡୁ ମେୟର ବାଲେନ ଶାହ ପ୍ରଥମେ ଆଲୋଚନକୁ ଆସିଥିଲେ । ଏନେଇ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । ବାରମ୍ବାର ଚେଷ୍ଟା କରିବା ପରେ ସେ କୌଣସି ଉତ୍ତର ଦେଇନଥିଲେ । ସେ ଆମର ଫୋନ୍ ଗ୍ରହଣ ନକରିବାରୁ ଅନ୍ୟ ନାମ ବାଛିଥିଲୁ । ଜେନ୍ ଜେଡ୍ ପ୍ରତିନିଧିଙ୍କ ମଧ୍ୟରୁ ସୁଶୀଳା କାରକୀଙ୍କୁ ସର୍ବାଧିକ ସମର୍ଥନ ମିଳିଥିବା ନେପାଳୀ ଗଣମାଧ୍ୟମ ଦ୍ୱାରା ଉଦ୍ଧୃତ କରାଯାଇଛି ।
କାରକୀଙ୍କୁ ପ୍ରସ୍ତାବ ଦେବା ପରେ ସେ ଅତି କମରେ ହଜାରେ ସମର୍ଥନଙ୍କ ଲିଖିତ ଦସ୍ତଖତ ମାଗିଥିଲେ । ତେବେ ତାଙ୍କ ଚାହିଦାଠାରୁ ୨୫୦୦ ରୁ ଅଧିକ ଦସ୍ତଖତ ହାସଲ କରାଯାଇଛି । ଯଦିଓ କାରକୀ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଥିଲେ, ଭର୍ଚୁଆଲ୍ ବୈଠକରେ ଅନେକଙ୍କ ନାମ ଆଲୋଚନା ହୋଇଥିଲା । ଅଂଶଗ୍ରହଣକାରୀମାନେ ନେପାଳ ବିଦୁ୍ୟତ୍ ପ୍ରାଧିକରଣର ମୁଖ୍ୟ କୁଲମାନ ଘିସିଂଙ୍କ ସହିତ ଯୁବ ନେତା ସାଗର ଧକାଲ ଓ ଧରାନ ମେୟର ହାରକା ସମ୍ପାଙ୍ଗଙ୍କ ନାମ ଉଲ୍ଲେଖ କରିଥିଲେ ।