ପାଣ୍ଡିଆନ ଫଣ୍ଡା : ଇଗୋ ଫାଷ୍ଟ, ଦଳ ଲାଷ୍ଟ ‘ଇଚ୍ଛା ପାଇଲେ ରୁହ, ନହେଲେ ଯାଅ...’

ପାଣ୍ଡିଆନ ଫଣ୍ଡା : ଇଗୋ ଫାଷ୍ଟ, ଦଳ ଲାଷ୍ଟ ‘ଇଚ୍ଛା ପାଇଲେ ରୁହ, ନହେଲେ ଯାଅ...’

 ଭୁବନେଶ୍ୱର: ଚବିଶ ବିପର୍ଯ୍ୟୟରୁ ଭିକେ ପାଣ୍ଡିଆନ୍ କିଛି ବି ଶିଖିଲେନି  । ଦଳ ପଛେ ଭାଙ୍ଗୁ, ନେତା ପଛେ ଦଳ ଛାଡ଼ନ୍ତୁ, ହେଲେ ମୋ ଇଗୋ କିନ୍ତୁ କାଏମ୍ ରହୁ  । ‘ଇଗୋ ଫାଷ୍ଟ, ଦଳ ଲାଷ୍ଟ’ ନୀତିରେ ସେ ଏବେବି ଅଟଳ ଥିବା ମନେହେଉଛି  । ଦଳର ଯେଉଁ ନେତା ରଣନୀତିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ସେମାନଙ୍କୁ ସାଇଡ୍ କରି ଦିଆଯାଉଛି  । ସତେଯେମିତି ସେମାନଙ୍କୁ ପରୋକ୍ଷରେ ବାର୍ତ୍ତା ଦିଆଯାଉଛି, ‘ଇଚ୍ଛା ପାଇଲେ ରୁହ, ନହେଲେ ଯାଅ’  । ମିଡ଼ିଆ ସେଲ୍ ହେଉକି ସୋସିଆଲ ମିଡ଼ିଆ ସେଲ୍, ପାଣ୍ଡିଆନଙ୍କ ଇମେଜ୍ ବିଲଡ଼ିଂରେ ସମସ୍ତେ ଲାଗି ପଡ଼ିଛନ୍ତି  । ଏଥିପାଇଁ ଦଳ ପକ୍ଷରୁ ସୋସିଆଲ ମିଡ଼ିଆ ଇନଫ୍ଲୁଏସରଙ୍କ ପାଇଁ ବି ବ୍ୟବସ୍ଥା କରାଯାଉଛି  । ହେଲେ ପାଣ୍ଡିଆନଙ୍କୁ ତେଲ ମାରିଲେ, ହଁରେ ହଁ କଲେ, ଯଦି ବିଜେଡ଼ି ମଜବୁତ ହେବବୋଲି କେହି ଭାବୁଥାଏ, ବୋଧହୁଏ ତାଙ୍କଠୁ ବୋକା ଆଉ କେହିନାହିଁ  । 
କୁହାଯାଏ ସମାଲୋଚକମାନେ ହେଉଛନ୍ତି ସାବୁନ୍ ଭଳି  । ଠିକ୍ ସେମିତି ଦଳରେ ବିରୋଧାଭାସ ରୁହେ ଆଉ ରହିବା କଥା ମଧ୍ୟ  । ଦାର୍ଶନିକ ବଟଲରଙ୍କ ମତରେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଦକ୍ଷତାର ଅନ୍ୟନାମ ହେଉଛି ନେତୃତ୍ୱ  । ହେଲେ ବିଜେଡ଼ିରେ କିନ୍ତୁ ଗୋଟିଏ ଫଣ୍ଡା, ତାହାହେଉଛି ପାଣ୍ଡିଆନ୍ ଫଣ୍ଡା  । ଯିଏ ପାଣ୍ଡିଆନଙ୍କୁ ତେଲ ମାରିବ ସେ ହିଁ ଦଳରେ ପଦପଦବୀ ପାଇବ  । ଏମିତି ଏକ ଧାରଣା ହିଁ ଦଳରେ ସୃଷ୍ଟି କରାଯାଇଛି  । ଯାହା ଦଳକୁ ପତନ ଆଡକୁ ଟାଣିନେଉଛି ବୋଲି ବିଜେଡ଼ିର ଅନେକ ବରିଷ୍ଠ ନେତା ମତ ପ୍ରକାଶ କରୁଛନ୍ତି  । ବିଜୁବାବୁ ସମସ୍ତଙ୍କ କଥା ଶୁଣୁଥିଲେ  । ଯିଏ ଅବୁଝା ହେଉଥିଲା ତାକୁ ନିଜେ ବୁଝାଉଥିଲେ  । ନହେଲେ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦେଉଥିଲେ  । କିନ୍ତୁ ଆଜିକା ବିଜେଡ଼ିରେ ଯିଏ ଅସନ୍ତୁଷ୍ଟ ହେଲା ତା’କୁ ପୂରା କୋଣଠେସା କରାଯାଉଛି  । ଦଳର ଭୋଟ୍ କେମିତି ବଢ଼ିବ, ଦଳ କେମିତି ମଜବୁତ୍ ହେବ ସେ ଅଙ୍କ ନକଷି କେବଳ ପାଣ୍ଡିଆନଙ୍କ ଇଗୋ ଅଙ୍କ ହିଁ କଷାଯାଉଛି  । ଚବିଶରେ ସେଇଆ କରାଗଲା, ଯେଉଁଥିପାଇଁ ଜିତିବା ଦଳ ପରାଜୟ ବରଣ କଲା  । ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ଼ କରିବାକୁ ଥିବା ନେତା ଏବେ କ୍ଷମତାହୀନ ହୋଇ ବସି ରହିବାକୁ ବାଧ୍ୟ ହେଉଛନ୍ତି  । ଗାଁଠୁ ନେଇ ରାଜଧାନୀ ଯାଏଁ ଏବେ ଏମିତି ଚର୍ଚ୍ଚା ହେଉଛି  । ପାଣ୍ଡିଆନଙ୍କ ବିରୋଧରେ ଏବେ ବି ଦଳରେ ସ୍ରୋତ ବହୁଛି  । ହେଲେ ସୋସିଆଲ ମିଡ଼ିଆରେ ପାଣ୍ଡିଆନଙ୍କୁ ମହାନ୍ କରିବା ପାଇଁ କୋଟି କୋଟି ଟଙ୍କା ଶ୍ରାଦ୍ଧ କରାଯାଉଛି  । 
ପାଣ୍ଡିଆନ ଏବେବି କୋଟରୀ ଜରିଆରେ ବିଜେଡ଼ି ଚଳାଉଛନ୍ତି ବୋଲି ବିଜେଡ଼ିର ଯୁବ, ଛାତ୍ର ଓ ବରିଷ୍ଠ ନେତାମାନେ କହୁଛନ୍ତି  । ଅନେକ ନେତାମାନେ ନବୀନ ନିବାସରେ ଏହା ଅନୁଭବ କରୁଛନ୍ତି  । ବିଜେଡ଼ି ନେତାଙ୍କ ଖଟିରେ ବି ନିତିଦିନ ଏଇକଥା ଆଲୋଚନା ହେଉଥିବାର ଆମେ ଶୁଣୁଛୁ  । ନବୀନଙ୍କ ଦସ୍ତଖତରେ ଦଳର ସମସ୍ତ ବିଜ୍ଞପ୍ତି ବା ନୋଟିସ୍ ଆସୁଥିଲେବି ଏହାର ଲେଖକ ଭିକେ ପାଣ୍ଡିଆନ୍ ବୋଲି ବିଜେଡ଼ି ନେତାମାନେ ହିଁ କହି ବୁଲୁଛନ୍ତି  । ଚବିଶ ନିର୍ବାଚନ ବେଳେ ସେ ହିଁ ନିଜକୁ ନବୀନଙ୍କ ପରେ ଲୋକପ୍ରିୟ ନେତା ବୋଲି ଭାବୁଥିଲେ  । ହେଲେ ସାଢ଼େ ୪ କୋଟି ଓଡ଼ିଆ ପାଣ୍ଡିଆନଙ୍କ ଅହଙ୍କାରକୁ ସରୁ ଚଟକଣି ଲଗାଇଦେଲେ  । ସର୍ଭେରୁ ବି ପାଣ୍ଡିଆନ୍ ନିଜର ସ୍ଥିତି ଜାଣିବା ପରେ ସନ୍ନ୍ୟାସ ନେବାର ନାଟକ ରଚିଥିଲେ  । ଏବେ ନିଜ ପନôୀ ସୁଜାତା କାର୍ତ୍ତିକେୟନଙ୍କୁ ଲଞ୍ଚ କରିବା ପାଇଁ ସେ ଭରପୂର ଉଦ୍ୟମ ଆରମ୍ଭ କରିଦେଇଛନ୍ତି  । ହେଲେ ସାଧାରଣରେ ପାଣ୍ଡିଆନଙ୍କ ଭଳି ସୁଜାତାଙ୍କର ବି ଗ୍ରହଣୀୟତା ନାହିଁ  । ଦଳର ବରିଷ୍ଠ ଓ ଅଭିଜ୍ଞ ନେତାଙ୍କ ପରାମର୍ଶ ନନେଇ କେବଳ ତେଲମରା ଓ ଚାଟୁକାରଙ୍କୁ ସେ ପାଖରେ ରଖୁଥିବା କୁହାଯାଉଛି  । ଏମିତିକି ତାଙ୍କ ପାଖେ ପାଖେ ଥିବା ଅନେକ ନେତା ବି ପାଣ୍ଡିଆନଙ୍କ ଉପରେ ସନ୍ତୁଷ୍ଟ ନଥିଲେବି କେବଳ ରାଜନୀତିକ ଭବିଷ୍ୟତ ପାଇଁ ନୀରବ ବସୁଛନ୍ତି  ।
ବଦ୍ରି ନାରାୟଣ ପାତ୍ର, ପଦ୍ମନାଭ ବେହେରା, ଅମର ଶତପଥି, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ଅନେକ ନେତା ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅସନ୍ତୋଷ ଝାଡୁଥିବା ଲକ୍ଷ୍ୟ କରାଯାଉଛି  । ଖାଲି ସେତିକିନୁହେଁ ପ୍ରସନ୍ନ ଆଚାର୍ଯ୍ୟ ଓ ଶଶୀଭୂଷଣ ବେହେରାଙ୍କ ଭଳି ନେତାମାନେ ୱାକଫ ବିଲ୍ ଭୋଟ ପ୍ରସଙ୍ଗରେ ବି ଅସନ୍ତୋଷ ଝାଡ଼ିଥିଲେ  । ହେଲେ ସବୁ ଶୁଣୁଥିଲେ କାହାକୁ ବୁଝାଇବା ବଦଳରେ ସେମାନଙ୍କୁ କୋଣଠେସା କରାଯାଉଛି  । ଅତଏବ, ଦଳ ପାଣ୍ଡିଆନଙ୍କ ଇସାରାରେ ହିଁ ଚାଲିବ, ଯାହାର ପସନ୍ଦ ନାହିଁ ଦଳ ଛାଡ଼ିବ  । ବିଜେଡ଼ିରେ ଏମିତି ଏକ ବାତାବରଣ ସୃଷ୍ଟି ହୋଇଥିବାବେଳେ ଆଗାମୀ ଦିନରେ ଏହା ଦଳର ପତନର କାରଣ ହେଲେ ଆଶ୍ଚର୍ଯ୍ୟ ହେବାର ନାହିଁ  ।