ନରମିଲେ ଟ୍ରମ୍ପ : ବାଣିଜ୍ୟକ ଆଲୋଚନା ନେଇ ସଂକେତ, ସ୍ୱାଗତ କଲେ ମୋଦି

 ନୂଆଦିଲ୍ଲୀ: ରୁଷରୁ ତେଲ କିଣାକୁ ନେଇ କ୍ରୋଧ ଜର୍ଜରିତ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଟ୍ରମ୍ପଙ୍କ ଏହି ଶୁଳ୍କ ମାଡକୁ ଖାତିର ନକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନରେ ଏସସିଓ ସମ୍ମିଳନୀରେ ଜିନପିଙ୍ଗ ଓ ପୁଟିନଙ୍କ ସହ ହାତ ମିଳାଇଥିଲେ । ଆଉ ରୁଷରୁ ତେଲ କିଣିବା ଜାରି ରଖିବେ ବୋଲି ରୋକଠୋକ ଟ୍ରମ୍ପଙ୍କୁ ଶୁଣାଇଥିଲେ ମୋଦି । ଏହାର କିଛି ଦିନ ପରେ ଟ୍ରମ୍ପ ମୋଦି ତାଙ୍କର ଜଣେ ବିଶ୍ୱସ୍ତ ବନ୍ଧୁ ଓ ଭାରତ ସହଯୋଗୀ ରାଷ୍ଟ୍ର ବୋଲି ତାଙ୍କ ଟ୍ରୁଥରେ ଲେଖିଥିଲେ । ମୋଦି ମଧ୍ୟ ଟ୍ରମ୍ପଙ୍କୁ ଏହାର ପ୍ରତିକ୍ରିୟାରେ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଆଜି ଟ୍ରମ୍ପ ବାଣିଜି୍ୟକ ପ୍ରତିବନ୍ଧକ ମଧ୍ୟରେ ତାଙ୍କ ସ୍ୱରକୁ ନରମ କରିଛନ୍ତି । ଭାରତ ସହ ଥିବା ମତଭେଦ ସମାଧାନ ପାଇଁ ଆଶା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ "ବହୁତ ଭଲ ବନ୍ଧୁ’ ବୋଲି କହିଛନ୍ତି ଓ ଆଗାମୀ ସପ୍ତାହଗୁଡ଼ିକରେ ଆଲୋଚନା ପାଇଁ ଇଙ୍ଗିତ ଦେଇଛନ୍ତି । ଟ୍ରମ୍ପ ତାଙ୍କ୍ ସୋସିଆଲ ମିଡିଆ ଟ୍ରୁଥରେ ଏକ ପୋଷ୍ଟରେ କହିଛନ୍ତି, ମୁଁ ଆଗାମୀ ସପ୍ତାହଗୁଡ଼ିକରେ ମୋର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବାକୁ ଅପେକ୍ଷା କରିଛି । ମୁଁ ନିଶ୍ଚିତ ଯେ ଆମର ଉଭୟ ମହାନ ଦେଶ ପାଇଁ ଏକ ସଫଳ ନିଷ୍କର୍ଷରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ । ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟର କିଛି ଘଣ୍ଟା ମଧ୍ୟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସେ ବିଶ୍ୱାସ କରୁଛନ୍ତି ଯେ ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗିତାର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ । ଭାରତ ଓ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର । ଆମ ଟିମ ଏହି ଆଲୋଚନାକୁ ଯଥାଶୀଘ୍ର ଶେଷ କରିବାକୁ କାର୍ଯ୍ୟ କରୁଛନ୍ତି  । ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଉସôାହିତ ଅଛି । ଆମେ ଉଭୟ ଦେଶର ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ । ମୋଦି ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି । ଟ୍ରମ୍ପଙ୍କ ସଦ୍ୟତମ ମନ୍ତବ୍ୟ ବାଣିଜ୍ୟ ଉତ୍ତେଜନାର ସମ୍ଭାବ୍ୟ ହ୍ରାସ ଓ ଦୁଇ ରାଷ୍ଟ୍ର ମଧ୍ୟରେ ନୂତନ କୂଟନୈତିକ ସମ୍ପର୍କକୁ ସୂଚିତ କରୁଛି ।