୫ ଲକ୍ଷ ଭୂତ ପାଉଥିଲେ ରାସନ୍ ଚାଉଳ !
ଗରିବ ଲୋକଙ୍କ ମୁହଁରେ ଖାଇବା ଗଣ୍ଡେ ପହଞ୍ଚାଇବା ପାଇଁ ରାସନ୍ କାର୍ଡ ଦେଇଛନ୍ତି ସରକାର । ମାସକୁ ମାସ ଚାଉଳ ମଧ୍ୟ ଦେଉଛନ୍ତି । ହେଲେ ରାଜ୍ୟରେ କିନ୍ତୁ ରାସନ୍ ଚାଉଳ ପାଉଥିଲେ ଭୂତ । ୫ ଲକ୍ଷରୁ ଅଧିକ ଭୂତ ସରକାରଙ୍କ ରାସନ୍ ଚାଉଳ ପାଉଥିଲେ । ରାସନ କାର୍ଡ E-kyc ନେଇ ସୂଚନା ଦେଲାବେଳେ ଏମିତି କିଛି ଚମକାଇ ଦେଲାଭଳି ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଖାଦ୍ୟ ଯୋଗାଣ ବିଭାଗରେ E-kyc ଲାଗୁ କରିବା ଯୋଗୁଁ ୫ ଲକ୍ଷ ୭୫ ହଜାର ମୃତ ଲୋକଙ୍କ ନାଁରେ ରାସନ କାର୍ଡ ଥିବା ଜଣାପଡିଥିଲା ।
ଏମିତିକି ସେମାନଙ୍କ ନାଁରେ ଚାଉଳ ନିଆଯାଉଥିଲା । ତେବେ ଏବେ ସୁଦ୍ଧା ୧ ଲକ୍ଷ ୫ ହଜାର ଆୟକର ଦେଉଥିବା ଲୋକ କାର୍ଡ ଫେରାଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପଟେ ୬ ଲକ୍ଷ ଗରିବ ଲୋକ କାର୍ଡ ପାଇଛନ୍ତି । ୧୪ ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରି କାର୍ଡ ଅପେକ୍ଷାରେ ଥିଲେ କିନ୍ତୁ ରାସନ କାର୍ଡ ପାଉନଥିଲେ । ତେଣୁ ଧନୀ ଲୋକ ଯେଉଁଠି କାର୍ଡ ପାଇଛନ୍ତି, ସେଗୁଡିକୁ କାଟିବାକୁ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।