ଫ୍ରାନ୍ସରେ ଜଳାପୋଡ଼ା, ୨ ଶହ ଗିରଫ : ତେଜିଲା ସରକାର ବିରୋଧୀ ଆନେ୍ଦାଳନ
ନୂଆଦିଲ୍ଲୀ : ନେପାଳ ପରେ ଫ୍ରାନ୍ସରେ ଦେଖାଦେଇଛି ସରକାର ବିରୋଧୀ ଆନେ୍ଦାଳନ । ହଜାର ହଜାର ସଂଖ୍ୟାରେ ଲୋକେ ରାଜରାସ୍ତାକୁ ଓହ୍ଲାଇ ସରକାର ବିରୋଧୀ ମନ୍ତବ୍ୟ ଦେବା ସହ ବିଭିନ୍ନ ସହରରେ ବ୍ୟାପକ ଜଳାପୋଡା କରିଛନ୍ତି । ପୁଲିସ ସହ ଆନେ୍ଦାଳନକାରୀଙ୍କ ସଂଘର୍ଷ ଘଟିଛି । ଆନେ୍ଦାଳନକାରୀମାନେ ସାର୍ବଜାନୀନ ସମ୍ପତ୍ତିରେ ନିଆଁ ଲଗାଇ ଦେଇଛନ୍ତି । ଜଳାପୋଡ଼ା ଯୋଗୁ ସହରର ବିଭିନ୍ନ ସ୍ଥାନରେ ଉତ୍ତେଜନା ବୃଦ୍ଧି ପାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଆନେ୍ଦାଳନକାରୀଙ୍କ ଉପରେ ପୁଲିସ ବଳ ପ୍ରୟୋଗ କରିଛି । ଲୁହ ବୁହା ଗ୍ୟାସ୍ ମାଡ଼ କରିଛି । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଉପରେ ଚାପ ପକାଇବା ପାଇଁ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି । ବାରମ୍ୱାର ପ୍ରଧାନମନ୍ତ୍ରୀ ପରିବର୍ତ୍ତନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି । ପ୍ରଦର୍ଶନକାରୀ ଏହି ଆନ୍ଦୋଳନକୁ ‘ବ୍ଲକ୍ ଏଭ୍ରିଥିଙ୍ଗ୍’ ନାଁ ଦେଇଛନ୍ତି ।
କିଛି ମାସ ଭିତରେ ଚାରି ପ୍ରଧାନମନ୍ତ୍ରୀ ବଦଳାଯିବାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ପ୍ରଦର୍ଶନ ଜରିଆରେ ଲୋକେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ପ୍ରତି ନିଜ ଅସନ୍ତୋଷ ଝାଡ଼ିଛନ୍ତି । ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଭିତରେ ୨୦୦ ଜଣଙ୍କୁ ଗିରଫ କରାଯାଇଥିବା ଗୃହ ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରବଳ ସୁରକ୍ଷା ବାହିନୀ ମୁତୟନ ସତ୍ତ୍ୱେ ରାଜଧାନୀ ପ୍ୟାରିସ ସମେତ ଅନେକ ପ୍ରମୁଖ ସହରରେ ପରିସ୍ଥିତି ଆହୁରି ଖରାପ ହୋଇଛି । ଫ୍ରାନ୍ସରେ ଜାରି ରାଜନୈତିକ ସଂକଟ ମଧ୍ୟରେ ଏହି ଆନେ୍ଦାଳନ ଦେଖିବାକୁ ମିଳିଛି । ନିକଟରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସୋଇସ୍ ବେରୋ ସଂସଦରେ ଆସ୍ଥା ଭୋଟରେ ପରାସ୍ତ ହୋଇଥିଲେ । ମଙ୍ଗଳବାର ମାକ୍ରୋନ ତାଙ୍କ କାର୍ଯ୍ୟକାଳର ପଞ୍ଚମ ପ୍ରଧାନମନ୍ତ୍ରୀ ସେବାଷ୍ଟିଏନ୍ ଲେକୋର୍ନୁଙ୍କୁ ନିଯୁକ୍ତ କରିଥିଲେ ।
ବ୍ଲକ୍ ଏଭ୍ରିଥିଙ୍ଗ୍ ଏକ ସାଧାରଣ ଆନେ୍ଦାଳନ ନୁହେଁ । ଦେଶର ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥା ଲୋକଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି ଆନେ୍ଦାଳନକାରୀ ଅଭିଯୋଗ କରିଛନ୍ତି । ଏହି ଆନେ୍ଦାଳନ ପ୍ରଥମେ ଦକ୍ଷିଣପନ୍ଥୀ ଗୋଷ୍ଠୀଗୁଡ଼ିକ ଦ୍ୱାରା ଆରମ୍ଭ ହୋଇଥିଲା । ଏବେ ଆନେ୍ଦାଳନକୁ ବାମ ଓ ଅତି-ବାମପନ୍ଥୀ ଶକ୍ତିମାନେ ବଢାଇଛନ୍ତି । ସେମାନେ ଚେତାବନୀ ଦେଇଛନ୍ତି, ଯଦି ସରକାରୀ ବ୍ୟବସ୍ଥା କାମ ନକରେ ତେବେ ଦେଶରେ ମେସିନାରୀକୁ ବନ୍ଦ କରିଦିଆଯିବ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ୮୦,୦୦୦ ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରିଛନ୍ତି । ଏଥିରୁ ପ୍ୟାରିସରେ ହିଁ କେବଳ ୬୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ଏହି ଆନେ୍ଦାଳନ ୨୦୧୮ର ୟେଲୋ ଭେଷ୍ଟ ବିଦ୍ରୋହକୁ ମନେ ପକାଇ ଦେଇଛି । ୨୦୧୮ରେ ଦରଦାମ ବୃଦ୍ଧିକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ ।