ବାଲେଶ୍ୱର ବିଜେଡ଼ିରେ ବିଦ୍ରୋହ
ଭୁବନେଶ୍ୱର: ବାଲେଶ୍ୱର ବିଜେଡ଼ିରେ ଏବେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଗୋଟିଏ ପଟେ ରବୀନ୍ଦ୍ର ଜେନା ଓ ଶଶୀଭୂଷଣ ସାହୁଙ୍କ ଭଳି ନେତା ଥିବାବେଳେ ଅପରପକ୍ଷରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସୁକାନ୍ତ ନାୟକଙ୍କ ଭଳି ନେତାମାନେ ଅଛନ୍ତି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏବେ ପାୱାର ସୋ’ ଚାଲିଛି । ତେବେ ରବୀନ୍ଦ୍ର ଓ ଶଶୀଭୂଷଣ ନିଜର ଅନୁଗତ, ଜନପ୍ରତିନିଧିଙ୍କୁ ନେଇ ଶଙ୍ଖଭବନରେ ଶକ୍ତି ପ୍ରଦର୍ଶନ କରିସାରିଛନ୍ତି । ୭ ବ୍ଳକ ଅଧ୍ୟକ୍ଷ, ଏନଏସି ଓ ମୁନିସପାଲଟି ଅଧ୍ୟକ୍ଷମାନଙ୍କୁ ନେଇ ସେମାନେ ଦମ୍ ଦେଖାଇଛନ୍ତି । ଏମିତିକି ରବୀନ୍ଦ୍ରଙ୍କ ନେତୃତ୍ୱରେ ହିଁ ବାଲେଶ୍ୱରରେ ବିଜେଡ଼ି ମଜଭୁତ୍ ହୋଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଶଙ୍ଖ ଭବନରେ ବାଲେଶ୍ୱରର ନେତାମାନେ ପ୍ରତାପ ଜେନାଙ୍କୁ ଭେଟିଥିବାବେଳେ ନବୀନ ଦିଲ୍ଲୀରୁ ଫେରିଲେ ବଡ ଧରଣର ଆଲୋଚନା ହେବବୋଲି ସୂଚନା ମିଳିଛି । ଅପରପକ୍ଷରେ ଶଶୀଙ୍କ ପ୍ରତି ନୀଳଗିରିର ପୂର୍ବତନ ବିଧାୟକ ଦେଇଥିବା ଅଶୋଭନୀୟ ମନ୍ତବ୍ୟକୁ ନେଇ ମଧ୍ୟ ସେ ଦଳରେ ଫେରାଦ ହୋଇଛନ୍ତି ।